କରୋନା ପ୍ରସଙ୍ଗରେ ସୁପ୍ରିମ୍‌ କୋର୍ଟର ବରିଷ୍ଠ ବିଚାରପତି କହିଲେ, ‘ଘୋର କଳିଯୁଗ’…

ନୂଆଦିଲ୍ଲୀ: କରୋନାର ପ୍ରଭାବରେ ଦେଶର ଶୀର୍ଷତମ ଅଦାଲତ ସୁପ୍ରିମ୍‌ କୋର୍ଟରେ ସମସ୍ତ କାର୍ଯ୍ୟ ପ୍ରାୟ ସଂପୂର୍ଣ୍ଣ ରୂପେ ଠପ୍‌ ହୋଇଡ଼ିଛି। ଏବେ ସୁପ୍ରିମ୍‌ କୋର୍ଟରେ କେବଳ ମାତ୍ର ଜରୁରୀ ମାମଲାଗୁଡ଼ିକର ଶୁଣାଣି କରାଯାଉଛି। ସେଥିରେ ପୁଣି ସୁପ୍ରିମ୍‌ କୋର୍ଟ ଖଣ୍ଡପୀଠଙ୍କ ସଂଖ୍ୟା ୧୫ରୁ ୬କୁ କମାଇ ଦିଆଯାଇଛି। ଏଥି ମଧ୍ୟରୁ ମାତ୍ର ୪ଟି ଖଣ୍ଡପୀଠରେ ମାମଲାର ଶୁଣାଣି ହେବ।

ଏପରିସ୍ଥିତିରେ ସୁପ୍ରିମ୍‌ କୋର୍ଟର ଅନ୍ୟତମ ବରିଷ୍ଠ ବିଚାରପତି ଜଷ୍ଟିସ୍‌ ଅରୁଣ ମିଶ୍ର କହିଛନ୍ତି ଯେ ବର୍ତ୍ତମାନ ‘କଳିଯୁଗ’ ଚାଲିଥିବା କାରଣୁରୁ ହିଁ କରୋନା ଭାଇରସ୍‌ ଏକ ମହାମାରୀର ରୂପ ଧାରଣ କରିଛି। ବର୍ତ୍ତମାନ ସୁଦ୍ଧା ବିଶ୍ୱବ୍ୟାପି ଏ ମହାମାରୀରେ ୧,୬୮,୦୦୦ ଲୋକ ଆକ୍ରାନ୍ତ ହୋଇ ସାରିଥିବା ବେଳେ ୬,୬୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟି ସାରିଲାଣି। ଏକାଧିକ ରାଷ୍ଟ୍ର ଓ ସହସ୍ରାଧିକ ସହରରେ ସାଧାରଣ ଜୀବନ ଯାତ୍ରାକୁ ସଂପୂର୍ଣ୍ଣ ଠପ୍‌ କରି ପକାଇଛି ଏହି କରୋନା ମହାମାରୀ।

Matrubhumi

ଏହି ପରିପ୍ରେକ୍ଷୀରେ ଜଷ୍ଟିସ୍‌ ଅରୁଣ ମିଶ୍ର କହିଛନ୍ତି, ‘ପ୍ରତି ୧୦୦ ବର୍ଷ ଅନ୍ତରରେ ପୃଥିବୀରେ ଏହି ପରି ମହାମାରୀ ତାଣ୍ଡବ ରଚିଥାଏ। ତେବେ, ଆଜିର ଏଘୋର କଳିଯୁଗରେ ଆମେ ଭାଇରସ୍‌ ରୂପୀ ମହାମାରୀ ସହ ଲଢ଼ି ପାରିବା ନାହିଁ। ମଣିଷ ଯାହା ଚାହେଁ ସେସବୁ କିଛିକୁ ସେ ହାସଲ କରି ପାରେ। ଯୁଦ୍ଧାସ୍ତ୍ର ନିର୍ମାଣ କରି ଯୁଦ୍ଧ କରିପାରେ। କିନ୍ତୁ, ଭାଇରସ୍‌ ରୂପୀ ମହାମାରୀ ସହ ଲଢ଼ିବାକୁ ମଣିଷ ଅସମର୍ଥ। ତେଣୁ, ଏପରିସ୍ଥିିତିରୁ ମୁକୁଳିବାକୁ ହେଲେ ସମସ୍ତଙ୍କୁ ନିଜ ନିଜ କ୍ଷେତ୍ରରେ ଲଢ଼ିବାକୁ ପଡ଼ିବ। ସମସ୍ତେ ନିଜ ନିଜ କ୍ଷେତ୍ରରେ ଭାଇରସକୁ ମୁକାବିଲା କରିବା ପାଇଁ ନ ଲଢ଼ିଲେ; କେବଳ ମାତ୍ର ସରକାର ଯେତେ ଚାହିଁଲେ ବି ଆମକୁ ଏବିପତ୍ତିରୁ ଉଦ୍ଧାର କରି ପାରିବେ ନାହିଁ,’ ବୋଲି ପରାମର୍ଶ ଦେଇଛନ୍ତି ଜଷ୍ଟିସ୍‌ ମିଶ୍ର।

ସମ୍ବନ୍ଧିତ ଖବର