ହାଇଦ୍ରାବାଦ: ହାଇଦ୍ରାବାଦରୁ ଦିଲ୍ଲୀକୁ ଗୋ ଫାଷ୍ଟ୍‌ ବିମାନରେ ଟିକେଟ୍‌ ବୁକ୍‌ କରିଥିବା ଅନେକ ଯାତ୍ରୀ ଗତ ସୋମବାରଦିନ ରାଜୀବ ଗାନ୍ଧି ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବାପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଯାତ୍ରୀଙ୍କ ପାଖରେ ପିଏନ୍‌ଆର ସହ ଉପଯୁକ୍ତ ଟିକେଟ ଥାଇ ସୁଦ୍ଧା ସେମାନଙ୍କୁ ବିମାନବନ୍ଦରରେ ପ୍ରବେଶ ଅନୁମତି ମିଳିନଥିଲା। ସୁରକ୍ଷା ଦାୟିତ୍ବରେ ଥିବା ସିଆଇଏସଏଫ୍‌ କର୍ମୀ ଯାତ୍ରୀମାନଙ୍କୁ ବିମାନବନ୍ଦରରେ ପ୍ରବେଶ ଅନୁମତି ଦେଇନଥିଲେ। ଯାତ୍ରୀମାନଙ୍କୁ କୁହାଯାଇଥିଲା ଯେ ମୁମ୍ବାଇର ଏହି ବିମାନ ସଂସ୍ଥା ମାସକ ତଳୁ ଉକ୍ତ ରୁଟ୍‌ରେ ବିମାନ ବରିଚାଳନା ବନ୍ଦ କରିଦେଇଛି। ଯାତ୍ରୀମାନେ ଉକ୍ତ ଘଟଣାରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି।

Advertisment

ବିମାନ ସଂସ୍ଥା ଦ୍ବାରା ଠକାମି କରାଯାଇଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। ଡିଜିସିଏ ଉକ୍ତ ବିମାନ ସଂସ୍ଥା ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ସେମାନେ ଦାବି କରିଛନ୍ତି। ଅକ୍ଟୋବର ୧ରୁ ଉକ୍ତ ରୁଟ୍‌ରେ ଗୋ ଫାଷ୍ଟ୍‌ ବିମାନ ସଂସ୍ଥା ବିମାନ ସେବା ବନ୍ଦ ରଖିଛି। କିନ୍ତୁ ଗୌହାଟୀର ଏକ ଅନ୍‌ଲାଇନ ପୋର୍ଟାଲ ‌ହାପି ଫେୟାର୍‌ସ ଅକ୍ଟୋବର ଶେଷ ସପ୍ତାହରେ ଉକ୍ତ ବିମାନ ପାଇଁ ଟିକେଟ୍‌ ଜାରି କରିଥିଲା। ପୋର୍ଟାଲ ଦ୍ବାରା ଗ୍ରୁପ୍‌ ଟିକେଟ୍‌ ବିକ୍ରି ହୋଇଥିଲା। ଅନେକ ଯାତ୍ରୀ ମଧ୍ୟ ତତ୍କାଳ ଟିକେଟ୍‌ ପାଇଁ ଦ୍ବିଗୁଣା ଟଙ୍କା ଦେଇଛନ୍ତି। ପରିବାରରେ ଏକ ଜରୁରୀ ଆବଶ୍ୟକତା ପାଇଁ ତତ୍କାଳ ଟିକେଟ୍‌ ବୁକ୍‌ କରିଥିବା ଜଣେ ଯାତ୍ରୀ କହିଛନ୍ତି, ଏୟାରଲାଇନ୍‌ ଦ୍ବାରା ଉକ୍ତ ପୋର୍ଟାଲକୁ ଟିକେଟ୍‌ ବିକ୍ରି ପାଇଁ କାହିଁକି ଅନୁମତି ଦିଆଯାଉଥିଲା। ଏୟାରଲାଇନ ୱେବସାଇଟ୍‌ରେ ଆମ ପିଏନ୍‌ଆର ଲାଇଭ୍‌ କାହିଁକି ଦେଖାଉଛି। ଟିକେଟ ଟଙ୍କା ଫେରାଇବା କିମ୍ବା କ୍ଷତିପୂରଣ ଦେବା ନେଇ କୌଣସି ପ୍ରତିଶ୍ରୁତି ମିଳିନି।