ମହିଳା ହଷ୍ଟେଲ୍‌ରେ ଭୂତ ଆତଙ୍କ!

ଭୋପାଲ: ରାତି ପାହିବା ପାହିବା ହେଉଥିବ। ସମସ୍ତେ ନିଘୋଡ଼ ନିଦରେ ଶୋଇଥିବେ। ଚାରିଆଡ଼ ଶୂନଶାନ। ହଠାତ ଶୁଭିବ ଏକ ଅଦ୍ଭୂତ ଶବ୍ଦ। କେଉଁ ଭୂତ କି ଡାହାଣୀର କଣ୍ଠସ୍ୱର! ଆପଣ ଚମକି ପଡ଼ିବେ ନଶ୍ଚିତ। ଭୂତର ଅସ୍ତିତ୍ୱ ବାସ୍ତବରେ ଥାଉ କିମ୍ବା ନ ଥାଉ, ଏପରି ଅନୁଭବ କିନ୍ତୁ ଜଣେ ବ୍ୟକ୍ତିକୁ ମାନସିକ ଭାବେ ଦୁର୍ବଳ କରି ପକାଇବା ପାଇଁ ଯଥେଷ୍ଟ। ମଧ୍ୟପ୍ରଦେଶର ଏକ ମହିଳା ହଷ୍ଟେଲ୍‌ରେ ଘଟିଯାଇଛି ଏପରି କିଛି ଘଟଣା, ଯେଉଁଥିପାଇଁ ପୂରା ହଷ୍ଟେଲ୍‌ ଯାକର ଝିଅ ଭୟଭୀତ।

କଥାଟି ଏମିତି, ମଙ୍ଗଳବାର ଭୋର୍‌ ପ୍ରାୟ ୪ଟା ସମୟ। ହଷ୍ଟେଲ୍‌ରେ ରହୁଥିବା ଦଶମ ଶ୍ରେଣୀର ରୋଶନି ନାମକ ଜଣେ ଝିଅ ଶୋଇଥିବା ବେଳେ ଝରକା ବାହାରୁ ଏକ ଅଦ୍ଭୂତ ଶବ୍ଦ ଶୁଣିବାକୁ ପାଇଥିଲେ। ରୋଶନି ହଠାତ୍‌ ଚମକି ପଡ଼ି ଉଠିପଡ଼ିବାରୁ ତାଙ୍କ ରୁମ୍‌ରେ ରହୁଥିବା ବାକି ୩ ଜଣ ମଧ୍ୟ ସମାନ ଶବ୍ଦ ଶୁଣିଛନ୍ତି ବୋଲି ଜଣାଇଲେ। ସକାଳୁ ପିଲାମାନେ ଏସବୁ ବିଷୟରେ ଘର ଲୋକଙ୍କୁ ଜଣାଇବାରୁ ପରିବାର ଲୋକେ ଆସି ନିଜ ନିଜ ପିଲାଙ୍କୁ ଘରକୁ ନେଇ ଯାଇଥିଲେ। ବୁଧବାର ଦିନ ସାଗର ଜିଲ୍ଲାର ଭଙ୍ଗଗଡ଼ ଗ୍ରାମରେ ସରକାରୀ ସ୍କୁଲ୍‌ ଛାତ୍ରୀ ରହୁଥିବା ଏହି ହଷ୍ଟେଲ୍‌ଟି ପୂରାପୂରି ଫାଙ୍କା ହୋଇ ଯାଇଥିଲା। ଉଲ୍ଲେଖଯୋଗ୍ୟ, ଉକ୍ତ ହଷ୍ଟେଲ୍‌ରେ ନବମରୁ ନେଇ ଦ୍ୱାଦଶ ପର୍ଯ୍ୟନ୍ତ ସମୁଦାୟ ୧୦୨ ଛାତ୍ରୀ ରହୁଥିଲେ।

ମାତ୍ର ଆଶ୍ଚର୍ଯ୍ୟର କଥା ହେଉଛି, ଏପରି ଏକ ଘଟଣା ଘଟିବା ପରେ ହଷ୍ଟେଲ୍‌ ମାଲିକ ଏହାର ତଦନ୍ତ କରିବା ବା ଭୟଭୀତ ଛାତ୍ରୀମାନଙ୍କର କାଉନସେଲିଂ କରାଇବା ପରିବର୍ତ୍ତେ ତାନ୍ତ୍ରିକ ଡକାଇ ମନ୍ତ୍ରପାଠ କରାଇଥିଲେ। ବାସ୍ତବରେ ସେ ଶବ୍ଦ କିଏ ଓ କାହିଁକି କରୁଥିବା ଖୋଳତାଡ଼ ନକରି ହଷ୍ଟେଲ୍‌ ଆଗରେ ଲଙ୍କା, ଲେମ୍ବୁ ଟାଙ୍ଗି ଥିଲେ।

ସମ୍ବନ୍ଧିତ ଖବର