ନୂଆଦିଲ୍ଲୀ: ୨୦୦୯ ମସିହାରେ ପ୍ରଶାନ୍ତ ମହାସାଗରରେ ରହସ୍ୟଜନକ ଭାବେ ଅନ୍ତର୍ଦ୍ଧାନ ହୋଇଯାଇଥିବା ଏକ ମାଲବାହୀ ଜାହାଜ ଗତ ସପ୍ତାହରେ ଭାରତ ମହାସାଗରରେ ଠାବ ହୋଇଛିି। ସେବେଠାରୁ ଏହି ଜାହାଜକୁ ଲୋକେ ‘ଭୂତ ଜାହାଜ’ ବୋଲି କହିବା ଆରମ୍ଭ କରିଛନ୍ତି।

Advertisment

୨୦୦୯ ମସିହାରେ ତାଇଓ୍ଵାନ୍‌ ଉପକୂଳରେ ନିଖୋଜ ହୋଇଥିିବା ଏହି କଣ୍ଟେନର ଜାହାଜ ଇଣ୍ଡୋନେସିଆର ଥିଲା ବୋଲି ଅନୁମାନ କରାଯାଉଛି। କାରଣ ଏଥିରେ ଇଣ୍ଟୋନେସୀୟ ଜାତୀୟ ପତାକା ଉଡୁଥିଲା। ଜାହାଜର କୌଣସି ପତ୍ତା ନ ମିଳିବାରୁ ଏହା ଗଭୀର ସମୁଦ୍ରରେ ବାଟବଣା ହୋଇଗଲା କିମ୍ବା କେଉଁଠି ବୁଡ଼ି ଗଲା ବୋଲି ଅନୁମାନ କରାଯାଇଥିଲା।

ସାମ୍‌ ରାତୁଲାଙ୍ଗିି ପିବି ୧୬୦୦ ନାମକ ଏହି ଜାହାଜକୁ ଗତ ଅଗଷ୍ଟ ୩୧ ତାରିଖରେ ହଠାତ୍‌ ଭାରତ ମହାସାଗରର ମିଆଁମାର ଉପକୂଳରେ ଦେଖିବାକୁ ମିଳିଥିଲା। କେତେକ ମିଆଁମାର ମାଛଧରାଳୀ ଉପକୂଳଠାରୁ ୧୧ କିମି ଦୂରରେ ଜାହାଜଟି ସମୁଦ୍ରରେ ଭାସୁଥିବାର ଦେଖିବାକୁ ପାଇଥିିଲେ। ସେମାନେ ଜାହାଜଟିରେ ପ୍ରବେଶ କରିଥିଲେ ମଧ୍ୟ କାହାକୁ ଦେଖିବାକୁ ପାଇ ନ ଥିଲେ।

publive-image

ପରେ ମାଛ ଧରାଳୀମାନେ ମିଆଁମାର ପୁଲିସ୍‌ ଓ ନୌସେନାକୁ ଖବର ଦେଇଥିଲେ। ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି କି ଜାହାଜଟି ଚାଲିବା ସ୍ଥିତିରେ ରହିଛି। ଅଳ୍ପ କିଛି ଦିନ ପୂର୍ବରୁ ଏହାକୁ ଛାଡ଼ି ଦିଆଯାଇଛି। ତେବେ ଜାହାଜଟି କେବେ ଓ କେଉଁଠାରୁ ଆସିଲା ତାହା ଏଯାବତ୍‌ ଜଣାପଡ଼ିନାହିଁ।

ଅନ୍ୟପକ୍ଷରେ ଏକ ସୂତ୍ରରୁ ଜଣାଯାଇଛି କି ଜାହାଜଟି ଭଙ୍ଗା ଯିବା ଲାଗି ବାଲାଂଦେଶର ଚିଟ୍ଟାଗଙ୍ଗସ୍ଥିତ ଏକ ଡକୟାର୍ଡକୁ ଯାଇଥିିଲା। ସେଠାରୁ ଭାସି ଭାସି ସମୁଦ୍ର ଭିତରକୁ ଚାଲିଆସିଥିଲା।

ତେବେ ୯ ବର୍ଷ ଧରି ନିଖୋଜ ଥିବା ଏଇ ଜାହାଜ ବିଷୟରେ କୌଣସି ସଠିକ ତଥ୍ୟ ମିଳିପାରୁ ନାହିଁ। ପୁଣି ଏଥିରେ ଥିବା କର୍ମଚାରୀମାନେ କୁଆଡେ ଉଭେଇ ଗଲେ, ସେ ନେଇ ବି ସୂଚନା ନାହିଁ। ଏହି କାରଣରୁ ଏହାକୁ ଲୋକେ ‘ଭୂତ ଜାହାଜ’ ବୋଲି କହୁଛନ୍ତି।