ନୋଇଡ଼ା: ସୀମା ହାଇଦରଙ୍କୁ ଏବେ ପର୍ଯ୍ୟନ୍ତ ପାକିସ୍ତାନରୁ ଭାରତ ଆସିବାକୁ ଅନେକ ଦିନ ହୋଇଗଲାଣି। ସେ ପ୍ରେମିକ ସଚିନ ମିଣାଙ୍କ ପାଇଁ ନିଜ ଦେଶକୁ ଛାଡ଼ି ଭାରତକୁ ପଳାଇ ଆସିଥିବା ବେଳେ ‌ଆମ ଦେଶର ପ୍ରତ୍ୟେକ ଖୁସିରେ ଏବେ ସେ ଆନନ୍ଦିତ ହେଉଛନ୍ତି। ଆମ ଦେଶରେ ହେଉଥିବା ପର୍ବପର୍ବାଣିକୁ ପାଳନ କରିବାରୁ ନେଇ ଅଗଷ୍ଟ ୧୫ରେ ପତାକା ଉଡ଼ାଇବା ଆଦି ସବୁ ଦିଗରେ ସୀମା ସକ୍ରିୟ। ଏପରିକି ଚନ୍ଦ୍ରପୃଷ୍ଠରେ ‘ଚନ୍ଦ୍ରଯାନ-୩’ ଅବତରଣ କରିବା ଦିନ ନିର୍ଜଳା ଉପବାସ ରଖିଥିଲେ ସୀମା। ସେ ପୂରାପୂରି ଭାବେ ନିଜକୁ ଭାରତୀୟ ବୋଲି କହୁଥିବା ବେଳେ ନିକଟରେ ପାକିସ୍ତାନରୁ ତାଙ୍କ ସ୍ବାମୀଙ୍କ ବୟାନ ଆସିଛି।

Advertisment

ତାଙ୍କ ସ୍ବାମୀ ଗୁଲାମ ହାଇଦର୍‌ ପୂର୍ବରୁ ସୀମାଙ୍କୁ ନେଇ ଅନେକ କଥା କହିଛନ୍ତି। ସୀମା ପାକିସ୍ତାନ ଫେରିଗଲେ ସେ ତାଙ୍କୁ ଗ୍ରହଣ କରିବେ ବୋଲି କହିଥିବା ବେଳେ କିଛି ଦିନ ପରେ ତାଙ୍କ ମତ ବଦଳି ଯାଇଥିଲା। ସେ କେବଳ ନିଜ ପିଲାଙ୍କୁ ଫେରାଇ ନେବାକୁ ଚାହାନ୍ତି, ସୀମା ତାଙ୍କର ଦରକାର ନାହିଁ ବୋଲି କହିଥିଲେ ଗୁଲାମ୍‌। ଏବେ ଗୁଲାମ ତାଙ୍କର ଏକ ସାକ୍ଷାତ୍‌କାରେ କହିଛନ୍ତି କି ‘‘ମୋ ପିଲାମାନେ ଯେତେବେଳେ ସଚିନଙ୍କୁ ବାପା ବୋଲି ଡାକୁଛନ୍ତି ମୋତେ ଖୁବ୍ ବାଧୁଛି। ମାତ୍ର ମୁଁ ଜାଣେ ଯେ ସେମାନଙ୍କୁ ଏପରି ଡାକିବାକୁ କୁହାଯାଉଛି। ସେମାନେ ନିଜ ଇଛାରେ ଡାକୁନାହାନ୍ତି।’’

ଗୁଲାମ ସୀମାଙ୍କୁ ଖୁବ୍‌ ଗାଳି ମଧ୍ୟ ଦେଇଛନ୍ତି। ନିଜର ୪ ଜଣ ପିଲା ଥାଉ ଥାଉ ଯିଏ ପରପୁରୁଷ ସହ ସଂପର୍କ ରଖେ ସେ କେବେ ଭଲ ମାଆ ହୋଇ ପାରେନାହିଁ ବୋଲି ଗୁଲାମ କହିଛନ୍ତି। ସେ ଭାରତ ଆସି ନିଜ ପଲାଙ୍କୁ ନିଶ୍ଚୟ ଫେରାଇ ନେବେ ବୋଲି ନିକଟରେ କହିଛନ୍ତି।