ନୂଆଦିଲ୍ଲୀ: ପାକିସ୍ତାନରୁ ଫେରାର ହୋଇ ଆସିଥିବା ସୀମା ହାଇଦର ସଚିନ ମିଣାକୁ ବିବାହ କରି ଭାରତରେ ବସବାସ କରିଛନ୍ତି। ଏହି ଦୁହିଁଙ୍କ ସାକ୍ଷାତ ପବଜି ଖେଳ ମାଧ୍ୟମରେ ହୋଇଥିଲା।
ସୀମା ହାଇଦର ନେପାଳ ରାସ୍ତା ଦେଇ ଭାରତ ଆସିଥିଲେ। ଆସିବା ସମୟରେ ସେ ନିଜର ୪ଜଣ ପିଲାଙ୍କୁ ସାଥୀରେ ନେଇ ଆସିଥିଲେ।
ସୀମାଙ୍କ ପ୍ରଥମ ସ୍ବାମୀ ଗୁଲାମ ହାଇଦର ସାଉଦି ଆରବରେ ବସବାସ କରନ୍ତି। କିଛିଦିନ ହେବ ସେ କ୍ରମାଗତ ଭାବେ ସୋସିଆଲ ମିଡିଆରେ ଭିଡିଓ ସେୟାର କରି ନିଜ ପିଲାଙ୍କୁ ମାଗୁଛନ୍ତି। ସୀମା କିନ୍ତୁ ଏନେଇ କୌଣସି ପ୍ରତିକ୍ରିୟା ଦେଇ ନଥିଲେ।
ସମ୍ପ୍ରତି ସୀମା ଏହି ଭିଡିଓକୁ ନେଇ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ପିଲାଙ୍କ ଭବିଷ୍ୟତ ଭାରତରେ ଯେତିକି ଉଜ୍ଜ୍ବଳ ରହିଛି ପାକିସ୍ତାନରେ ନାହିଁ। ମୋ ପିଲାଙ୍କୁ ସଚିନ ହିଁ ଭଲ ଭବିଷ୍ୟତ ଦେଇ ପାରିବେ। ପିଲା ବି ଭାରତରେ ସଚିନ ଓ ମୋ ସହ ବହୁତ ଖୁସିରେ ଅଛନ୍ତି।
ମୁଁ ମୋର ପିଲାଙ୍କୁ ଗୋଟିଏ ମୁହୂର୍ତ୍ତ ନଦେଖି ରହି ପାରିବି ନାହିଁ। ଯେତେ ଯାହା ହୋଇଯାଉ ମୋର ପିଲା ମୁଁ ଗୁଲାମକୁ ଦେବି ନାହିଁ। ଜାଣିଛି ପିଲାମାନେ ପାକିସ୍ତାନ ଗଲେ ତାଙ୍କର ଭବିଷ୍ୟତ ନଷ୍ଟ ହୋଇଯିବ।
କିଛିଦିନ ତଳେ ଖବର ଆସିଥିଲା କି ଗୁଲାମ ହାଇଦର ସାଉଦି ଆରବରୁ ପାକିସ୍ତାନ ଫେରି ଆସିଛନ୍ତି। ଆଉ ନିଜ ପିଲାଙ୍କୁ ସୀମାଙ୍କ ପାଖରୁ ନେବା ପାଇଁ ସରକାରଙ୍କ ନିକଟରେ ଦାବି କରିଛନ୍ତି।