କଂଗ୍ରେସକୁ ପ୍ରାର୍ଥନାର ନୁହେଁ ଔଷଧର ଆବଶ୍ୟକତା ଅଛି, ନମିଳିଲେ ଶୀଘ୍ର ଭାଙ୍ଗିଯିବ: ଆଜାଦ

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ନେତା ଗୁଲାମ ନବୀ ଆଜାଦ ଆଜି ଖୋଲାଖୋଲି ଭାବେ ଦଳ ଛାଡିବା ବିଷୟରେ ଆଲୋଚନା କରିଛନ୍ତି ଏବଂ ଦଳରେ ଉନ୍ନତି ଆଣିବା ପାଇଁ ମଧ୍ୟ ପରାମର୍ଶ ଦେଇଛନ୍ତି। ଆଜାଦ କହିଛନ୍ତି ଯେ ‘ଅସୁସ୍ଥ’ କଂଗ୍ରେସ ପାଇଁ ପ୍ରାର୍ଥନାର ନୁହେଁ ଔଷଧର ଆବଶ୍ୟକତା ଅଛି। କିନ୍ତୁ କଂଗ୍ରେସର ଚିକିତ୍ସା ଏବେ ‘କମ୍ପାଉଣ୍ଡର୍ସ’ଙ୍କ ଦ୍ୱାରା କରାଯାଉଛି। ସେଥିପାଇଁ କଂଗ୍ରେସର ଅବସ୍ଥା ଏବେ ଏଭଳି। ଏବେଠୁ ନସୁଧୁରିଲେ କଂଗ୍ରେସ ବେଶୀ ଦିନ ତିଷ୍ଠି ରହିବ ନାହିଁ।

କଂଗ୍ରେସର ଅବସ୍ଥା ବିଷୟରେ କହିବା ସହ ସେ ରାହୁଲ ଗାନ୍ଧୀଙ୍କ ସ୍ବଭାବଗତ ଦକ୍ଷତା ନାହିଁ ବୋଲି କହିଥିଲେ। ସେ କହିଥିଲେ ଯେ, ସତ କହିବାକୁ ଗଲେ ୧୯୯୮ରୁ ୨୦୦୪ ପର୍ଯ୍ୟନ୍ତ ସୋନିଆ ଗାନ୍ଧୀ କଂଗ୍ରେସର ଅଧ୍ୟକ୍ଷା ଥିବା ବେଳେ ବରିଷ୍ଠ ନେତାମାନଙ୍କର ପରାମର୍ଶ ନେଉଥିଲେ। ସେମାନଙ୍କ ସୁପାରିସ ଗ୍ରହଣ କରିବା ସହ ସେ ସେମାନଙ୍କ ଉପରେ ନିର୍ଭର କରୁଥିଲେ। ସେ ମତେ ମଧ୍ୟ ୮ଟି ରାଜ୍ୟର ଦାୟିତ୍ବ ଦେଇଥିଲେ। ସେଥିରୁ ମୁଁ ୭ଟିରେ ବିଜୟୀ ହୋଇଥିଲି। ମୋ କାମରେ ସେ ହସ୍ତକ୍ଷେପ କରି ନ ଥିଲେ। କିନ୍ତୁ, ରାହୁଲ୍‌ ଗାନ୍ଧୀ ଆସିବା ପରେ ୨୦୦୪ଠାରୁ ସୋନିଆ ତାଙ୍କ ଉପରେ ଅଧିକ ନିର୍ଭରଶୀଳ ହେଲେ। କିନ୍ତୁ, ରାଜନୀତି ପାଇଁ ରାହୁଲ୍‌ଙ୍କର ସ୍ବଭାବଗତ ଦକ୍ଷତା ନ ଥିଲା। ତେଣୁ, ସମସ୍ତେ ରାହୁଲ୍‌ଙ୍କୁ ସହଯୋଗ କରନ୍ତୁ ବୋଲି ସୋନିଆ ଚାହୁଁଥିଲେ।

ଏହାଛଡ଼ା, ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ରାହୁଲ୍‌ ଗାନ୍ଧୀ ଯେଭଳି ସମାଲୋଚନା କରୁଛନ୍ତି, ସେଥିପାଇଁ ମଧ୍ୟ ଆଜାଦ୍‌ ରାହୁଲଙ୍କୁ ନିନ୍ଦା କରିଥିଲେ।

ସମ୍ବନ୍ଧିତ ଖବର