ନୂଆଦିଲ୍ଲୀ : କଂଗ୍ରେସର ବରିଷ୍ଠ ନେତା ଗୁଲାମନବୀ ଆଜାଦ ଶୁକ୍ରବାର ଦିନ ଦଳର ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି। ସେ ଦଳର ପ୍ରାଥମିକ ସଦସ୍ୟତା ମଧ୍ୟ ଛାଡ଼ି ଦେଇଛନ୍ତି। କଂଗ୍ରେସ ସହ ଦୀର୍ଘ ୫୦ ବର୍ଷର ସଂପର୍କ ତୁଟାଇ ଦେଇଥିବା ଆଜାଦ ଆଜି ନୂଆ ଦଳ ଗଠନ କରିବେ ବୋଲି ଘୋଷଣା କରିଛନ୍ତି। ଆଜାଦଙ୍କ ଇସ୍ତଫା ସହିତ ଜମ୍ମୁ କାଶ୍ମୀରରୁ ମଧ୍ୟ କଂଗ୍ରେସ ନେତାଙ୍କ ଇସ୍ତଫାର ସୁଅ ଛୁଟିଛି।
ଆଜାଦ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ତାଙ୍କ ଇସ୍ତଫା ନେଇ ଏକ ୫ ପୃଷ୍ଠାର ପତ୍ର ମଧ୍ୟ ପଠାଇଛନ୍ତି। ଏହି ପତ୍ରରେ ଆଜାଦ ତାଙ୍କ ମନର ବେଦନା ପ୍ରକାଶ କରିବା ସହ ରାହୁଲ ଗାନ୍ଧିଙ୍କୁ ନେଇ ଅତି କଡ଼ା ମନ୍ତବ୍ୟ ରଖିଛନ୍ତି। କଂଗ୍ରେସର ସାଂପ୍ରତିକ ଦୟନୀୟ ସ୍ଥିତି ପାଇଁ ସେ ରାହୁଲ ଗାନ୍ଧିଙ୍କୁ ହିଁ ମୁଖ୍ୟ କାରଣ ଭାବେ ଦର୍ଶାଇଛନ୍ତି। ତେବେ ୟୁପିଏ-୧ ଏବଂ ୟୁପିଏ-୨ ଗଠନରେ ଗୁରୁତ୍ବପୂର୍ଣ୍ଣ ଭୂମିକା ପାଇଁ କଂଗ୍ରେସ ସଭାପତି ସୋନିଆଙ୍କୁ ଆଜାଦ ପ୍ରଶଂସା କରିଛନ୍ତି। ତାଙ୍କର ନେତୃତ୍ବ ସମୟରେ ଦଳର ବରିଷ୍ଠ ନେତାମାନଙ୍କ ନିଷ୍ପତ୍ତିକୁ ସମ୍ମାନ ଦିଆଯାଉଥିଲା ବୋଲି ଆଜାଦ କହିଛନ୍ତି।
ରାହୁଲଙ୍କ ବାବଦରେ ଗୁଲାମନବୀ କହିଛନ୍ତି ଯେ ରାହୁଲ ଗାନ୍ଧି ଦଳର ନେତୃତ୍ବ ବ୍ୟବସ୍ଥାରେ ପ୍ରବେଶ କରିବାମାତ୍ରେ ବିଚାରବିମର୍ଶ ପ୍ରକ୍ରିୟାକୁ ବରବାଦ କରିଦେଇଥିଲେ। ବିଶେଷକରି, ଜାନୁଆରେ ୨୦୧୩ରେ ରାହୁଲ ଦଳର ଉପସଭାପତି ହେବାପରେ ବରିଷ୍ଠ ନେତାମାନଙ୍କ ପରାମର୍ଶକୁ ସଂପୂର୍ଣ୍ଣ ଅଣଦେଖା କରାଯାଇଥିଲା। ବରିଷ୍ଠ ଓ ଅଭିଜ୍ଞ ନେତାମାନଙ୍କୁ ହେୟଜ୍ଞାନ କରାଗଲା ଏବଂ କେବଳ ଚାଟୁକାରମାନଙ୍କୁ ନେଇ ନୂଆ ଗୋଷ୍ଠୀ ଗଠନ ହେଲା। ସେହି ଚାଟୁକାର ଗୋଷ୍ଠୀ ଏବେ ଦଳକୁ ଚଳାଉଛନ୍ତି ବୋଲି ଆଜାଦ ତାଙ୍କ ପତ୍ରରେ ଲେଖିଛନ୍ତି।
/sambad/media/post_attachments/wp-content/uploads/2022/08/cartoon-debashis-750x430.jpg)
ନିଜ ସଂପର୍କରେ ଗୁଲାମ ନବୀ ଏହି ପତ୍ରରେ କହିଛନ୍ତି-‘ମୁଁ ଲଗାତାର ୪୦ ବର୍ଷ ଧରି କଂଗ୍ରେସ ୱାର୍କିଂ କମିଟିରେ ସଦସ୍ୟ ରହିଛି । ୩୫ ବର୍ଷ ପର୍ଯ୍ୟନ୍ତ ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶରେ ପ୍ରଭାରୀ ଭାବେ ନିଜ ଦାୟିତ୍ବ ନିର୍ବାହ କରିଛି। ମୁଁ ଯେଉଁସବୁ ରାଜ୍ୟରେ ପ୍ରଭାରୀ ରହିଛି ସେଥିରୁ ୯୦ ପ୍ରତିଶତ ରାଜ୍ୟରେ କଂଗ୍ରେସକୁ ବିଜୟ ମିଳିଥିଲା’, ବୋଲି ଆଜାଦ ଉଲ୍ଲେଖ କରିଛନ୍ତି। ରାହୁଲଙ୍କ ଉପରେ ଭୀଷଣ ପ୍ରହାର କରି ଆଜାଦ ଲେଖିଛନ୍ତି- ଏବେ ରିମୋଟ୍ କଂଟ୍ରୋଲ ବ୍ୟବସ୍ଥା କଂଗ୍ରେସରେ ଲାଗୁ ହୋଇଯାଇଛି । ଆପଣ କେବଳ ନାମକୁ ମାତ୍ର ଏହି ପଦରେ ବସିଛନ୍ତି। ସମସ୍ତ ଜରୁରୀ ନିଷ୍ପତ୍ତି ରାହୁଲ ଗାନ୍ଧି ହିଁ ନେଉଛନ୍ତି। ସବୁଠାରୁ ଦୁର୍ଭାଗ୍ୟର କଥା ହେଲା ରାହୁଲଙ୍କ ସୁରକ୍ଷା କର୍ମୀ ଏବଂ ପିଏ ମଧ୍ୟ ନିଷ୍ପତ୍ତି ନେଉଛନ୍ତି। ରାହୁଲ ଗାନ୍ଧି ୟୁପିଏ ସରକାରର ଏକ ଅଧ୍ୟାଦେଶକୁ ସାମ୍ବାଦିକ ସମ୍ମିଳନୀରେ ଖଣ୍ଡ ଖଣ୍ଡ କରି ଚିରିବାକୁ କଂଗ୍ରେସ ପତନର ଏକ ଜ୍ବଳନ୍ତ ଉଦାହରଣ ଭାବେ ଆଜାଦ ଦର୍ଶାଇଛନ୍ତି। ଭାରତର ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତି ଯେଉଁ ଅଧ୍ୟାଦେଶକୁ ମଂଜୁରି ଦେଇଥିଲେ ତାହାକୁ ଚିରି ରାହୁଲ ଏଭଳି ବାଚାଳତାପୂର୍ଣ୍ଣ କାର୍ଯ୍ୟ କରିଥିଲେ, ଯାହାକି ଉଭୟ ପଦର ଗରିମାକୁ ଆଘାତ ଦେଇଥିଲା । ଏଭଳି କାର୍ଯ୍ୟ ୨୦୧୪ରେ ଦଳ ପରାଜୟର ଏକ ପ୍ରମୁଖ କାରଣ ଥିଲା ବୋଲି ଆାଜାଦ ଉଲ୍ଲେଖ କରିଛନ୍ତି।
୨୦୧୪ରୁ ୨୦୨୨ ପର୍ଯ୍ୟନ୍ତ ଦଳର ସ୍ଥିତି ସଂପର୍କରେ ଉଲ୍ଲେଖ କରି ଆଜାଦ କହିଛନ୍ତି ଯେ କଂଗ୍ରେସ ଅତ୍ୟନ୍ତ ଲଜ୍ଜାଜନକ ଭାବେ ରାହୁଲଙ୍କ ନେତୃତ୍ବରେ ୨ଟି ଲୋକସଭା ନିର୍ବାଚନ ହାରିଛି । ଏବେ କଂଗ୍ରେସ କେବଳ ଦୁଇଟି ରାଜ୍ୟରେ ଶାସନ କରୁଛି ଏବଂ ଅନ୍ୟ ୨ଟି ରାଜ୍ୟର ମେଣ୍ଟ ସରକାରରେ ଏହାର ଭୂମିକା ଅତି ନଗଣ୍ୟ। ଲୋକସଭା ନିର୍ବାଚନରେ ଦଳର ପରାଜୟ ପରେ ତରବରିଆ ଭାବେ ରାହୁଲ ସଭାପତି ପଦ ଛାଡ଼ିଥିଲେ ଏବଂ ଏହାପୂର୍ବରୁ ଦଳର ବରିଷ୍ଠ ନେତାମାନଙ୍କୁ କଂଗ୍ରେସ କାର୍ଯ୍ୟକାରିଣୀ କମିଟି ବୈଠକରେ ଅପମାନିତ କରିଥିଲେ ଯେଉଁମାନେ କି ଦଳ ପାଇଁ ସେମାନଙ୍କ ଜୀବନତମାମ ନିଷ୍ଠାର ସହ କାମ କରିଆସିଛନ୍ତି।
ଶୁକ୍ରବାର ଦିନ କଂଗ୍ରେସରୁ ଆଜାଦଙ୍କ ଇସ୍ତଫା ପରେ ଜମ୍ମୁ କାଶ୍ମୀର ବହୁ ନେତା ଦଳରୁ ଇସ୍ତଫା ଦେଇଛନ୍ତି। କଂଗ୍ରେସ ନେତୃତ୍ବ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଦାବି କରୁଥିବା ଜି-୨୩ ଗୋଷ୍ଠୀରେ ମଧ୍ୟ ଆଜାଦ ସାମିଲ ଥିଲେ ଏବଂ ଦଳର ବିପର୍ଯ୍ୟୟକୁ ରୋକିବା ପାଇଁ ବିଭିନ୍ନ ସମୟରେ ସତର୍କ କରାଇ ଦେଉଥିଲେ । ଆଜି ତାଙ୍କର ଇସ୍ତଫା ଦଳରେ ଆଲୋଡ଼ନ ସୃଷ୍ଟି କରିଛି। ୭୩ ବର୍ଷୀୟ ଆଜାଦ ନିଜେ ନୂଆ ଦଳ ଗଢ଼ିବେ ବୋଲି ସ୍ପଷ୍ଟ କରିଦେଇଛନ୍ତି। ଆଜାଦ ତାଙ୍କ ପୁଅ ସଦ୍ଦାମଙ୍କ ସହିତ ମିଶି ରାଜନୀତିରେ ନୂଆ ଇନିଂସ ଆରମ୍ଭ କରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/adaz.jpg)