ନୂଆ ରାଜନୈତିକ ଇନିଂସ ଆରମ୍ଭ କଲେ ଗୁଲାମ ନବୀ: ‘ଦଳର ନାମ ଲୋକ ସ୍ଥିର କରିବେ’

ଶ୍ରୀନଗର: ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ଆଜି ତାଙ୍କର ନୂଆ ରାଜନୈତିକ ଯାତ୍ରା ଆରମ୍ଭ କରିଛନ୍ତି। ସପ୍ତାହକ ତଳେ ସେ ଚାରି ଦଶନ୍ଧିର ସମ୍ପର୍କ ତୁଟାଇ କଂଗ୍ରେସରୁ ଇସ୍ତଫା ଦେଇଥିଲେ ଏବଂ କଂଗ୍ରେସ ନେତୃତ୍ବକୁ କଟୁ ସମାଲୋଚନା କରିଥିଲେ। ଆଜି ଜମ୍ମୁର ସୈନିକ ପଡ଼ିଆରେ ସମର୍ଥକମାନଙ୍କୁ ଉଦ୍‌ବୋଧନ ଦେଇ ଆଜାଦ କହିଥିଲେ ଯେ, ସେ ଜମ୍ମୁ-କାଶ୍ମୀରର ଲୋକଙ୍କ ସହତ ଅଛନ୍ତି। ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ୭୩ ବର୍ଷୀୟ ଆଜାଦ ଗତ ସପ୍ତାହରେ କହିଥିଲେ ଯେ ସେ ଖୁବ୍‌ଶୀଘ୍ର ଏକ ନୂଆ ରାଜନୈତିକ ଦଳ ଆରମ୍ଭ କରିବେ। ଏହାର ପ୍ରଥମ ୟୁନିଟ ଜମ୍ମୁ-କାଶ୍ମୀରରୁ ଆରମ୍ଭ ହେବ ଯେଉଁଠି ଆଗକୁ ନିର୍ବାଚନ ହେବାର ଅଛି। ରବିବାର ଆଜାଦ ରୢାଲିସ୍ଥଳକୁ ଗଲାବେଳେ ସ୍ଥାନୀୟ ଅଂଚଳର ହଜାର ହଜାର ଜନତା ତାଙ୍କୁ ଜୋରଦାର ସ୍ବାଗତ କରିଥିଲେ। ଆଜାଦ ହାତ ହଲାଇ ସେ ସମର୍ଥକମାନଙ୍କୁ କୃତଜ୍ଞତା ଜଣାଇଥିଲେ। ରୢାଲିସ୍ଥଳରେ ସେ ସହଯୋଗୀ ଓ ସମର୍ଥକମାନଙ୍କୁ ଉଦ୍‌ବୋଧନ ଦେଇଥିଲେ। ସେ କହିଥିଲେ ଯେ ସେ ତାଙ୍କ ଦଳର ନାଁ ଏଯାଏ ସ୍ଥିର କରିନାହାନ୍ତି। ଜମ୍ମୁ-କାଶ୍ମୀରର ଜନସାଧାରଣ ଏହି ଦଳର ନାଁ ଓ ପତାକା କ’ଣ ହେବ ତାହା ସ୍ଥିର କରିବେ। ତେବେ ସେ ଦଳର ଏକ ହିନ୍ଦୁସ୍ତାନୀ ନାଁ ଦେବାକୁ ଚାହାନ୍ତି, ଯାହାକୁ ସବୁ ଲୋକ ବୁଝିପାରିବେ।
ଆଜାଦଙ୍କୁ ସାମ୍ବାଦିକମାନେ ପଚାରିଥିଲେ, ଦରକାର ହେଲେ ତାଙ୍କ ଦଳ କାହା ସହ ମେଣ୍ଟ କରିବ- ବିଜେପି ସହ, ନା ଏନ୍‌ସି ବା ପିଡିପି ସହ? ଏହାର ଉତ୍ତରରେ ଆଜାଦ କହିଥିଲେ, ବିଜେପି ସହ ମେଣ୍ଟ କରିବାର ପ୍ରଶ୍ନ ଉଠୁନାହିଁ।

ସମ୍ବନ୍ଧିତ ଖବର