ତେଜୁଛି ଗିଲଗିଟ-ବାଲତିସ୍ତାନ ବିବାଦ:ଭାରତର ବିରୋଧକୁ ଖାରଜ କଲା ପାକିସ୍ତାନ

କଶ୍ମୀର ପ୍ରସଙ୍ଗରେ ହସ୍ତକ୍ଷେପ କରିବନି ଚୀନ

ବେଜିଂ: ପାକିସ୍ତାନ ସଂସଦ ଗତ ୨୧ ତାରିଖରେ ବିବାଦୀୟ ଅଞ୍ଚଳ ଗିଲଗିଟ-ବାଲତିସ୍ତାନକୁ ସ୍ୱତନ୍ତ୍ର ପ୍ରଦେଶ ଭାବେ ମାନ୍ୟତା ଦେବା ନେଇ ମଞ୍ଜୁରି ଦେବା ପରେ ଏହାକୁ ନେଇ ବିବାଦ ଘନେଇବାରେ ଲାଗିଛି। ଯଦିଓ ଏହି ପ୍ରସଙ୍ଗରେ ଚୀନ ସିଧାସଳଖ ଭାବେ କୌଣସି ମନ୍ତବ୍ୟ ଦେଇ ନାହିଁ ତଥାପି ଏହି ବିବାଦ ଯୋଗୁଁ ପାକ୍‌-ଚୀନ୍‌ ଆର୍ଥିକ କରିଡର ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ଆଶାବ୍ୟକ୍ତ କରିଛି। ଏହି ଆର୍ଥିକ କରିଡର ନିର୍ମାଣ କାର୍ଯ୍ୟ ସତ୍ତ୍ୱେ ଭାରତ-ପାକିସ୍ତାନ ବିବାଦରେ ଆଦୌ ହସ୍ତକ୍ଷେପ କରିବ ନାହିଁ ବୋଲି ଆଜି ଚୀନ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ସ୍ପଷ୍ଟ କରିଛନ୍ତି। ପାକିସ୍ତାନର ଏହି ଅଞ୍ଚଳକୁ ନିଜର ପଞ୍ଚମ ପ୍ରଦେଶ ଭାବେ ମଞ୍ଜୁରି ଦେବା ପରେ ଭାରତ ମଧ୍ୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଏନେଇ ପାକିସ୍ତାନ ଡେପୁଟି ହାଇ କମିସନରଙ୍କୁ ଭାରତ ସମନ ଜାରି କରି ଉତ୍ତର ମାଗିଥିବା ବେଳେ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ଏହି ପ୍ରସଙ୍ଗରେ ପାକିସ୍ତାନକୁ କଡ଼ା ସମାଲୋଚନା କରିଛନ୍ତି। ୧୯୪୭ ମସିହାର ବିଭାଜନକୁ ଦେଖିଲେ ଏହି ଅଞ୍ଚଳ ଉପରେ ଭାରତର ଅଧିକାର ଥିବା କୁହାଯାଇଛି।

ତେବେ ଭାରତ ସରକାରଙ୍କ ଏହି ଦାବିକୁ ଆଜି ପାକିସ୍ତାନ ଖାରଜ କରିଛି। ପାକିସ୍ତାନ କହିଛି ଯେ, କଶ୍ମୀର ପ୍ରସଙ୍ଗରେ ଭାରତର ସମସ୍ତ ଦାବି ଭିତ୍ତିହୀନ ହୋଇଥିବା ବେଳେ ଏହାର କୌଣସି ପ୍ରାସଙ୍ଗିକତା ନାହିଁ।
ଆଜି ଚୀନ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ହୁଆ ଚୁନିୟାଙ୍ଗ ଏକ ବିବୃତି ଜାରି କରି କହିଛନ୍ତି ଯେ, କଶ୍ମୀର ଭାରତ ଓ ପାକିସ୍ତାନର ଐତିହାସିକ ବିବାଦ ହୋଇଥିବାରୁ ଚୀନ ଏଥିରେ ହସ୍ତକ୍ଷେପ କରିବାକୁ ଚାହୁନାହିଁ। ତେବେ ଉଭୟ ପକ୍ଷ ଏନେଇ ଆଲୋଚନା ଓ ବିଚାରବିମର୍ଶ ଦ୍ୱାରା ବିବାଦର ସମାଧାନ କରିପାରିବେ ବୋଲି ମଧ୍ୟ ଚୁନିୟାଙ୍ଗ କହିଛନ୍ତି। ପାକିସ୍ତାନର ଏହି ମଞ୍ଜୁରି ପ୍ରସଙ୍ଗରେ ଚୀନର ଆଭିମୁଖ୍ୟ କ’ଣ ରହିଛି ବୋଲି ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି ଯେ, ୫ ହଜାର କୋଟି ଆମେରିକୀୟ ଡଲାରରେ ନିର୍ମାଣ କରାଯାଉଥିବା ସିପିଇସି ପ୍ରକଳ୍ପ ପାଇଁ ଚୀନ କଶ୍ମୀର ଆଭିମୁଖ୍ୟରେ ପରିବର୍ତ୍ତନ ଆଣିବନି। ଅର୍ଥନୈତିକ ଉନ୍ନତି ସାଙ୍ଗକୁ ଲୋକଙ୍କ ଜୀବନଧାରଣର ମାନରେ ପରିବର୍ତ୍ତନ ପାଇଁ ଚୀନ ଏହି ପ୍ରକଳ୍ପ ଆରମ୍ଭ କରିଥିବା ବେଳେ ଏଥିରେ ସବୁ ଦେଶର ସହଯୋଗ ଆବଶ୍ୟକ। ଏଣୁ ଚୀନ୍‌ କୌଣସି ଦେଶର ସୀମା ବିବାଦରେ ମୁଣ୍ଡ ପୂରାଇବାକୁ ଚାହୁନଥିବା ଚୀନ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ସ୍ପଷ୍ଟ କରିଛନ୍ତି।

ସମ୍ବନ୍ଧିତ ଖବର