ରୋମ୍‌: ରବିବାର ଦିନ ଅନୁଷ୍ଠିତ ନିର୍ବାଚନରେ ଜିଣିବା ପାଇଁ ରକ୍ଷଣଶୀଳ ମେଣ୍ଟର ନେତୃତ୍ବ ନେଇଥିବା ଜିଓର୍ଜିଆ ମେଲୋନି ଇଟାଲିର ପ୍ରଥମ ପ୍ରଧାନମନ୍ତ୍ରୀ ହେବା ଭଳି ଜଣାପଡୁଛି। ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ସେ ହେବେ ଉଗ୍ର ଦକ୍ଷିଣ-ପନ୍ଥୀ ସରକାରର ପ୍ରଥମ ମୁଖ୍ୟ।

Advertisment

ପ୍ରାରମ୍ଭିକ ଫଳାଫଳରୁ ଜଣାପଡ଼ିଛି ଯେ, ସଂସଦର ଉଭୟ ଗୃହରେ ଉଗ୍ର ଦକ୍ଷିଣ-ପନ୍ଥୀ ଦଳର ସଂଖ୍ୟାଗରିଷ୍ଠତା ରହିଛି। ଏଭଳି ହେଲେ ଦୀର୍ଘ ବର୍ଷର ବାଧାବିଘ୍ନ ପରେ ଇଟାଲିରେ ରାଜନୈତିକ ସ୍ଥିରତା ଆସିବା ପରି ବିରଳ ସୁଯୋଗ ମିଳିବାର ସମ୍ଭାବନା ଦେଖାଦେବ।

କିନ୍ତୁ, ମେଲୋନି ଓ ତାଙ୍କ ମେଣ୍ଟ ମାତ୍ରାଧିକ ଇନ୍ଧନ ଦର ବୃଦ୍ଧି, ୟୁକ୍ରେନ୍‌ ଯୁଦ୍ଧ ଏବଂ ଦେଶରେ ପୁଣି ମନ୍ଥର ହୋଇଥିବା ଅର୍ଥନୀତି ସମେତ ବହୁ କଠିନ ସମସ୍ୟାର ସମ୍ମୁଖୀନ ହେବେ।

ଆଜି ବଡ଼ି ସକାଳୁ ତାଙ୍କ ‘ନ୍ୟାସ୍‌ଲିଷ୍ଟ୍‌ ବ୍ରଦର୍ସ ଅଫ୍‌ ଇଟାଲି ପାର୍ଟି’ର ହର୍ଷୋତ୍‌ଫୁଲ୍ଲିତ ସମର୍ଥକମାନଙ୍କୁ ୪୫ ବର୍ଷୀୟ ମେଲୋନି କହିଛନ୍ତି, ମନେରଖନ୍ତୁ ଯେ, ଆମେ ଏଯାବତ୍‌ ଶେଷ ପର୍ଯ୍ୟାୟରେ ଉପନୀତ ହୋଇନାହାନ୍ତି। ଆସନ୍ତାକାଲି ହିଁ ଆମେ ଆମର ଯୋଗ୍ୟତାର ପ୍ରମାଣ ଦେଇପାରିବା।

publive-image Image Courtesy of BBC

ତାଙ୍କ ଦଳର ମୂଳ ଫାଶୀବାଦୋତ୍ତର ହୋଇଥିବା କଥାକୁ ଅସ୍ବୀକାର କରି ମେଲୋନି କହିଛନ୍ତି ଯେ, ଏହା ହେଉଛି ବ୍ରିଟେନ୍‌ର ‘କଞ୍ଜର୍‌ଭେଟିଭ୍‌’ ପରି ଗୋଟାଏ ସାଧାରଣ ସଙ୍ଗଠନ। ୟୁକ୍ରେନ୍‌ ପ୍ରସଙ୍ଗରେ ସେ ପାଶ୍ଚାତ୍ୟ ନୀତିକୁ ସମର୍ଥନ କରିବେ ବୋଲି ପ୍ରତିଜ୍ଞା କରିବା ସହ ଇଟାଲିର ଭଙ୍ଗୁର ଅର୍ଥନୀତିକୁ ବିପଦଗ୍ରସ୍ତ କରିବେ ନାହିଁ ବୋଲି କହିଛନ୍ତି।

ବିଜୟ ଉଦ୍‌ବୋଧନରେ ମେଲୋନି କହି‌ଛନ୍ତି, ଆମକୁ ଯଦି ଏ ଦେଶ ଶାସନ କରିବାକୁ ସୁଯୋଗ ମିଳେ ଜନସାଧାରଣଙ୍କୁ ଏକତ୍ର କରିବା ଲକ୍ଷ୍ୟ ନେଇ ଏବଂ ଆମକୁ ପୃଥକ୍‌ କରୁଥିବା ପ୍ରସଙ୍ଗକୁ ବାଦ୍‌ ଦେଇ ଆମକୁ ଏକତ୍ର କରୁଥିବା ପ୍ରସଙ୍ଗ ଉପରେ ଧ୍ୟାନ ଦେଇ ସମସ୍ତ ଇଟାଲୀୟଙ୍କ ପାଇଁ ଦେଶ ଚଳାଇବୁ। ଏବେ ଉତ୍ତରଦାୟୀ ହେବାର ସମୟ ଚାଲିଛି।

ପ୍ରଧାନମନ୍ତ୍ରୀ ମାରିଓ ଦ୍ରାଘିଙ୍କଠାରୁ ମେଲୋନି ଦାୟିତ୍ବ ଗ୍ରହଣ କରିବେ।