ପାଟନା: ଦିଲ୍ଲୀ ଓ ପାଟନା ମଧ୍ୟରେ ନିୟମିତ ଯାତାୟାତ କରୁଥିବା ଏକ ବିମାନରେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ଓ ‘ଆର୍‌ଜେଡି’ ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ଆଲୋଚନା ପ୍ରସଙ୍ଗକୁ ନେଇ ବିହାର ରାଜନୀତିରେ ବିବାଦ ଆରମ୍ଭ ହୋଇଛି।

Advertisment

ବିମାନରୁ ଅବତରଣ କରିବା ପରେ ଗିରିରାଜ ସିଂହ ଗୁରୁତ୍ବାରୋପ କରି କହିଛନ୍ତି, ଉଡ଼ନ୍ତା ବିମାନରେ ବୈଠକ ବେଳେ ଲାଲୁ ପ୍ରସାଦ ଯାଦବ କହିଲେ କି, ବିହାରର ଭବିଷ୍ୟତ ତାଙ୍କ ପୁଅ ତେଜସ୍ବୀ ଯାଦବ ଉପରେ ନିର୍ଭର କରୁଛି ବୋଲି ତାଙ୍କର ମନେ ହେଉଛି। ତେଜସ୍ବୀ ପୁଣି ଉପମୁଖ୍ୟମନ୍ତ୍ରୀ ହେବା କଥାକୁ ସେ ତୁରନ୍ତ ଅଗ୍ରାହ୍ୟ କରିଛନ୍ତି।

Giriraj Singh, Tejashwi Yadav in Twitter spat over job promise Image Courtesy of Business Standard

କିନ୍ତୁ, ଏ ସଂକ୍ରାନ୍ତରେ ପ୍ରତିକ୍ରିୟା ବ୍ୟକ୍ତ କରି ତେଜସ୍ବୀ ଯାଦବ କହିଛନ୍ତି, ଗିରିରାଜଙ୍କ କଥା ମୂଲ୍ୟହୀନ। ଗିରିରାଜ ଓ ବାପା ମୋ ରାଜନୈତିକ ଭବିଷ୍ୟତ କଥା ଛାଡ଼ି ଅନ୍ୟ ବିଷୟରେ ଆଲୋଚନା କରିଥିଲେ।

ବିମାନରେ ବାପା ଲାଲୁ ପ୍ରସାଦଙ୍କ ସହିତ ଆସୁଥିବା ତେଜସ୍ବୀ କହିଛନ୍ତି, ଗିରିରାଜ ମୋ ବାପାଙ୍କ ସ୍ବାସ୍ଥ୍ୟାବସ୍ଥା କଥା ପଚାରିବା ସହିତ ରାତ୍ର ଭୋଜନରେ ଖାସିମାଂସ ଖାଇବା ଲାଗି ଆମନ୍ତ୍ରଣ କରନ୍ତୁ ବୋଲି କହିଥିଲେ। ତା’ଛଡ଼ା, ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନରେ ‘ବିଜେପି’ର ନିର୍ବାଚନ ପରବର୍ତ୍ତୀ ରଣନୀତି ଯୋଗୁଁ ତାଙ୍କ ନିଜସ୍ବ ରାଜନୈତିକ ଭବିଷ୍ୟତ ଘେନି ସେ (ଗିରିରାଜ) ଚିନ୍ତିତ ବୋଲି କହି‌ଥିଲେ।

ଗିରିରାଜ ଏଭଳି କହିବା ଫଳରେ ‘ଇଣ୍ଡିଆ’ ମେଣ୍ଟରେ ବିଶୃଙ୍ଖଳା ଘଟିଛି ବୋଲି କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଳ ମୋଦୀ କହିଛନ୍ତି ଯେ, ନୀତୀଶଙ୍କ ପାଖକୁ ରାହୁଲ୍‌ ଫୋନ୍‌ କରିଥିବା କଥାରୁ ଜଣାପଡୁଛି ଯେ, ‘ଇଣ୍ଡିଆ’ ମେଣ୍ଟରେ ସବୁ କିଛି ଠିକ୍‌ଠାକ୍‌ ଚାଲିନାହିଁ। ପରିସ୍ଥିତି ସୁଧାରିବାକୁ ଉଦ୍ୟମ ଚାଲିଛି।