ରାଜ୍ୟ ପାଇଁ ଗୌରବ ଆଣିଲେ ଓଡ଼ିଆ ପୁଅ ଗିରିଶ ଚନ୍ଦ୍ର, ସମ୍ଭାଳିଲେ ଜମ୍ମୁ-କଶ୍ମୀରର ଉପରାଜ୍ୟପାଳ ଦାୟିତ୍ବ

ଶ୍ରୀନଗର: ନବଗଠିତ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀରର ପ୍ରଥମ ଉପରାଜ୍ୟପାଳ ଭାବେ ଅଞ୍ଚଳର ଶାସନଭାର ଗ୍ରହଣ କରିଛନ୍ତି ଓଡ଼ିଆ ପୁଅ ଗିରିଶ ଚନ୍ଦ୍ର ମୁର୍ମୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ ସରକାର ଅମଳରେ ଗିରିଶଙ୍କୁ ମିଶାଇ ୩ ଜଣ ଓଡ଼ିଆ ଏଭଳି ସାମ୍ବିଧାନିକ ପଦବୀରେ ଅବସ୍ଥାପିତ ହୋଇଛନ୍ତି। ‌ଏ୍‌ଥି ପୂର୍ବରୁ ଝାଡ଼ଖଣ୍ଡର ରାଜ୍ୟପାଳ ଭାବେ ଦ୍ରୌପଦୀ ମୁର୍ମୁ ଓ ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ଭାବେ ବିଶ୍ବଭୂଷଣ ହରିଚନ୍ଦନ ନିଯୁକ୍ତ ହୋଇଥିଲେ। ଅନ୍ୟପକ୍ଷରେ ସେ ସାମ୍ବିଧାନିକ ପଦବୀ ହାସଲ କରିଥିବା ମୟୁରଭଞ୍ଜ ଜିଲ୍ଲାର ଦ୍ବିତୀୟ ବ୍ୟକ୍ତି । ଝାଡ଼ଖଣ୍ଡର ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କ ପରେ ବରିଷ୍ଠ ଆଇଏଏସ୍‌ ଗିରିଶ ଚନ୍ଦ୍ର ମୁର୍ମୁ ମୟୂରଭଞ୍ଜ ଜିଲ୍ଲାକୁ ଗୌରବାନ୍ବିତ କରିଛନ୍ତି। ନବଗଠିତ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀରର ପ୍ରଥମ ଉପରାଜ୍ୟପାଳ ଭାବେ ଆଜି ଶପଥ ଗ୍ରହଣ କରିଛନ୍ତି  ଗିରିଶ।

ମୟୂରଭଞ୍ଜ ଜିଲ୍ଲା ବାରିପଦା ବ୍ଲକ୍‌ ଖଡ଼ିଶୋଳ ଗ୍ରାମ ପଞ୍ଚାୟତ କୁଞ୍ଚିଶୋଳ ଗାଁର ସ୍ବର୍ଗତ ଭାଗବତ ମୁର୍ମୁ ଏବଂ ପାର୍ବତୀ ମୁର୍ମୁଙ୍କର ୬ ପୁଅ ଏବଂ ୨ ଝିଅଙ୍କ ମଧ୍ୟରୁ ସବା ବଡ଼ପୁଅ ହେଉଛନ୍ତି ଗିରିଶ। ୨୧ ନଭେମ୍ବର, ୧୯୫୯ରେ ଜନ୍ମଗ୍ରହଣ କରିଥିବା ଗିରିଶ ନିଜ ଗାଁରୁ ପ୍ରାଥମିକ ଶିକ୍ଷା ଆରମ୍ଭ କରିଥିଲେ। ପରେ ବାରିପଦା ଏବଂ ରାଉରକେଲାରେ ଅଧ୍ୟୟନ ପରେ ସେ ଉତ୍କଳ ବିଶ୍ବବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର କରି ଜେଏନ୍‌ୟୁରେ ଉଚ୍ଚଶିକ୍ଷା ଲାଭ କରିଥିଲେ। ୧୯୮୫ରେ ‌ଗିରିଶ ସିଭିଲ୍‌ ସର୍ଭିସ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଗୁଜୁରାଟ କ୍ୟାଡର୍‌ ଆଇଏଏସ୍‌ ଅଧିକାରୀ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ଏଥି ପୂର୍ବରୁ  ଗିରିଶ ଭାରତ ସରକାରଙ୍କର ଅର୍ଥ ମନ୍ତ୍ରାଳୟରେ ସଚିବ ଭାବେ କାର୍ଯ୍ୟରତ ଥିଲେ।

ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାରୁ ଭାରତର ପ୍ରଥମ ଆଦିବାସୀ ମହିଳା ରାଜ୍ୟପାଳ ଭାବେ ଦ୍ରୌପଦୀ ମୁର୍ମୁଙ୍କୁ କେନ୍ଦ୍ର ସରକାର ନିଯୁକ୍ତି ଦେଇଥିଲେ। ଆଉ ଦ୍ବିତୀୟ ମୟୂରଭଞ୍ଜିଆ ଭାବେ ଜିଲ୍ଲାର ଗୌରବ ଗିରିଶଙ୍କୁ ଜମ୍ମୁକଶ୍ମୀର ଭଳି ସମ୍ବେଦନଶୀଳ କେନ୍ଦ୍ରଶାସିତ ଅଞ୍ଚଳର ପ୍ରଥମ ଉପରାଜ୍ୟପାଳ ଭାବେ ନିଯୁକ୍ତି ମିଳିଛି।

ସମ୍ବନ୍ଧିତ ଖବର