ପ୍ରଖ୍ୟାତ ଲେଖକ-ଅଭିନେତା ଗିରିଶ କର୍ଣ୍ଣଡ଼ଙ୍କ ପରଲୋକ

ବେଙ୍ଗାଲୁରୁ: ଜ୍ଞାନପୀଠ ପୁରସ୍କାର ବିଜେତା ,ପଦ୍ମଶ୍ରୀ ଓ ପଦ୍ମଭୂଷଣରେ ବିଭୂଷିତ ପ୍ରଖ୍ୟାତ ଅଭିନେତା ତଥା ନାଟ୍ୟକର, ଲେଖକ ଗିରିଶ କର୍ଣ୍ଣଡ଼ଙ୍କ ଆଜି ସକାଳେ ବେଙ୍ଗାଲୁରୁଠାରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା। ତାଙ୍କର ବିଧବା ପତ୍ନୀ ସରସ୍ୱତୀ,ପୁତ୍ର ରଘୁ କର୍ଣ୍ଣଡ ଓ ଝିଅ ରାଧା ଅଛନ୍ତି।

ସେ ୧୯୬୧ ମସିହାରେ ସ୍ୱରଚିତ ୟଗତି ନାଟକ ପାଇଁ ଚର୍ଚ୍ଚିତ ହୋଇଥିଲେ। ତାଙ୍କ ରଚିତ ଅନ୍ୟାନ୍ୟ ପ୍ରସିଦ୍ଧ ନାଟକ ମଧ୍ୟରେ ରହିଛି ତୁମ ଲକ୍‌,ହାୟାଭାଡାନା ,ନାଗାମଣ୍ଡାଲା,ଆଦି।
କନ୍ନଡ ନାଟ୍ୟକାର ଗିରିଶ କର୍ଣ୍ଣଡ଼ଙ୍କୁ ଭାରତ ସରକାର ୧୯୭୪ରେ ପଦ୍ମଶ୍ରୀ ଓ ୧୯୯୨ରେ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରିଥିଲେ। ୧୯୯୯ରେ ସାହିତ୍ୟ ଜଗତର ସର୍ବୋଚ୍ଚ ସମ୍ମାନ ‘ଜ୍ଞାନପୀଠ’ପୁରସ୍କାର ଲାଭ କରିଥିଲେ।

୧୯୭୦ ମସିହାରେ ଗିରିଶ ଅଭିନୟ କ୍ଷେତ୍ରକୁ ଆସିଥିଲେ। ୧୯୭୦ ରେ ତାଙ୍କୁ ପ୍ରଥମେ କନ୍ନଡ ଚଳଚ୍ଚିତ୍ର ‘ସଂସ୍କାର’ରେ ଅଭିନୟ କରିବାର ସୁଯୋଗ ମିଳିଥିଲା। ଏହାପରେ ସେ ବହୁ କନ୍ନଡ ଓ ହିନ୍ଦୀ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଥିଲେ।

photo-the news minute

ବହୁଚର୍ଚ୍ଚିତ ହିନ୍ଦୀ ସିନେମା ‘ଉତ୍ସବ’(୧୯୮୪)ରେ ଉଚ୍ଚକୋଟିର ଅଭିନୟ ଲାଗି ସେ ସ୍ମରଣୀୟ ହୋଇ ରହିବେ। ତାଙ୍କ ଅଭିନୀତ ଶେଷ ହିନ୍ଦୀ ସିନେମା ହେଲା ‘ଟାଇଗର୍ ଜିନ୍ଦା ହେ’। ସେ କେତେକ ଟେଲି ଧାରାବାହିକରେ ବି ଅଭିନୟ କରିଥିଲେ।

ସମ୍ବନ୍ଧିତ ଖବର