ମହାରାଷ୍ଟ୍ରରେ ବାପାଙ୍କ ହତ୍ୟାକାରୀକୁ ଧରିଲା ଝିଅ

୩ ମାସ ପୂର୍ବେ ମା’ ହିଁ ବାପାଙ୍କୁ ହତ୍ୟା କରିଥିଲା

ମୁମ୍ବାଇ  : ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲ୍ଲାରୁ ଆଉ ଏକ ହତ୍ୟା ଘଟଣାର ପର୍ଦ୍ଦାଫାସ ହୋଇଛି। ଜଣେ ମହିଳା ତାଙ୍କ ସ୍ବାମୀଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଗିରଫ ‌ହୋଇଛନ୍ତି। ଦକ୍ଷିଣ ନାଗପୁରଠାରୁ ୧୫୦ କିମି ଦୂର ଚନ୍ଦ୍ରପୁର ଜିଲ୍ଲାର ଜଣେ ମହିଳା ରଂଜନା ରାମଟେକେ ଗତ ଅଗଷ୍ଟ ୬ ତାରିଖରେ ତାଙ୍କ ସ୍ବାମୀଙ୍କୁ ହତ୍ୟା କରିଥିଲେ। ସ୍ବାମୀ ଶୋଇଥିବା ବେଳେ ରଂଜନା ତାଙ୍କ ମୁହଁରେ ତକିଆ ପକାଇ ତାଙ୍କୁ ଶ୍ବାସରୁଦ୍ଧ କରି ମାରିଦେଇଥିଲେ। ପରଦିନ ସକାଳେ ସେ ପାଖ ପଡ଼ୋଶୀଙ୍କୁ ଡାକି ତାଙ୍କ ସ୍ବାମୀ ହୃଦ୍‌ଘାତରେ ମରିଯାଇଥିବା କହିଥିଲେ। ସମସ୍ତେ ମଧ୍ୟ ତାଙ୍କ କଥାକୁ ବିଶ୍ବାସ କରିଥିଲେ।

କିନ୍ତୁ ଏହି ହତ୍ୟା ଘଟଣାର ୩ ମାସ ପରେ ମହିଳା ଜଣଙ୍କ ଧରା ପଡ଼ିଛନ୍ତି। ହତ୍ୟା କରିବାପରେ ମହିଳା ଜଣଙ୍କ ତାଙ୍କ ପ୍ରେମିକ ମୁକେଶ ତ୍ରିବେଦୀଙ୍କୁ ଫୋନ୍‌ କରିଥିଲେ ଏବଂ ସ୍ବାମୀଙ୍କୁ ହତ୍ୟା କରିଥିବା‌ ଫୋନ୍‌ରେ କହିଥିଲେ। ଏହାର ଏକ ଅଡିଓ ରେକର୍ଡିଂ ତାଙ୍କ ଫୋନ୍‌ରେ ରହିଯାଇଥିଲା। ରଂଜନାଙ୍କ ଝିଅ ଶ୍ବେତା ତାଙ୍କ ଘରକୁ ଆସିବା ପରେ ମା’ଙ୍କ ଫୋନ୍‌ରୁ ଏହି ଅଡିଓ ରେକର୍ଡିଂ ପାଇଥିଲେ। ଶ୍ବେତା ପୁଲିସରେ ଏହି ଅଡିଓ ରେକର୍ଡିଂ ଦେଇଥିଲେ। ଉକ୍ତ ଅଡିଓ ରେକର୍ଡିଂ ଆଧାରରେ ପୁଲିସ ରଂଜନା ଏବଂ ମୁକେଶଙ୍କୁ ଜେରା କରିଥିଲା। ଉଭୟ ଏହି ଅପରାଧ ଘଟାଇଥିବା ସ୍ବୀକାର କରିଛନ୍ତି ଏବଂ ଗିରଫ ହୋଇଛନ୍ତି।

ସମ୍ବନ୍ଧିତ ଖବର