ଟୁଥପେଷ୍ଟ ଭାବି ବ୍ୟବହାର କଲେ ମୂଷା ମରା ଔଷଧ: ଘରେ ନ କହି ଯନ୍ତ୍ରଣା ସହିଲେ, ଆରପାରିକୁ ଚାଲିଗଲେ

ମୁମ୍ବାଇ: ସାଧାରଣତଃ ଆମେ ସମସ୍ତେ ସକାଳେ ଉଠିବା ପରେ ଦାନ୍ତକୁ ସଫା କରିବା ପାଇଁ ଟୁଥପେଷ୍ଟ ବ୍ୟବହାର କରୁ | କିନ୍ତୁ ବ୍ରଶ କରିବା ଏବେ ଜଣେ ଯୁବତୀଙ୍କ ପ୍ରାଣ ନେଇଯାଇଛି | ମୁମ୍ବାଇର ଧରାବୀ ଅଞ୍ଚଳରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଟୁଥପେଷ୍ଟ କାରଣରୁ ଜଣେ ୧୮ ବର୍ଷର ଯୁବତୀ ଜୀବନ ହରାଇଛନ୍ତି । ବାସ୍ତବରେ, ଯୁବତୀ ଜଣକ ମୂଷା ମରା ଔଷଧକୁ ଟୁଥପେଷ୍ଟ ଭାବି ଘଷିଦେଇଥିଲେ | ଆଉ ପରିବାର ଲୋକଙ୍କ ଗାଳି ଭୟରେ ସେ କାହାରିକୁ କିଛି କହିନଥିଲେ | ଶେଷରେ ତାଙ୍କର ମୃତ୍ୟୁ ହୋଇଯାଇଛି | ମଙ୍ଗଳବାର ଦିନ ପୁଲିସ କହିଛି ଯେ ଏହି ଘଟଣା ସେପ୍ଟେମ୍ବର ୩ ତାରିଖ ସକାଳେ ତାଙ୍କ ଘରେ ଘଟିଥିଲା ​​ଏବଂ ମୃତକଙ୍କ ନାମ ହେଉଛି ଆଫସାନା ଖାନ।

ପୁଲିସର ସୂଚନାନୁସାରେ, ସେ ଦାନ୍ତ ଘଷିବା ପାଇଁ ଭୁଲରେ, ଟୁଥପେଷ୍ଟ ନିକଟରେ ରଖାଯାଇଥିବା ମୂଷା ମରା ଔଷଧ ବ୍ରଶରେ ଲଗାଇଦେଇଥିଲେ | ଏହା ପରେ ସେ ଦାନ୍ତ ଘଷିଥିଲେ | ତେବେ କିଛି ସମୟ ପରେ ସେ ସ୍ୱାଦ ଏବଂ ଗନ୍ଧର ପାର୍ଥକ୍ୟ ଅନୁଭବ କଲେ | ତେଣୁ ସେ ପାଟିରୁ ବିଷ ବାହାର କରିବାକୁ ଚେଷ୍ଟା କଲେ ବି ଏହା ପେଟ ଭିତରକୁ ପଳାଇଯାଇଥିଲା | ଏହା ପରେ ସେ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ | କିନ୍ତୁ ପରିବାର ସଦସ୍ୟ କାଳେ ଗାଳିଗୁଲଜ କରିବେ ଭାବି କାହାରିକୁ କିଛି କହିନଥିଲେ |

ପେଟ ଯନ୍ତ୍ରଣା ଯୋଗୁଁ ସେ କିଛି ମେଡ଼ିସିନ କିଣି ଖାଇଥିଲେ ବି ଏହା କାମ ଦେଇନଥିଲା | ଏହା ପରେ ତାଙ୍କ ସ୍ୱାସ୍ଥ୍ୟ ବିଗୁଡ଼ିଥିବାର ଦେଖି ପରିବାର ଲୋକ ମେଡିକାଲରେ ଭର୍ତ୍ତି କରିଥିଲେ | ତେବେ ଗତକାଲି ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ | ମେଡିକାଲ ରିପୋର୍ଟରୁ ଜଣାପଡିଛି ଯେ ବିଷକ୍ରିୟା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି |

ସମ୍ବନ୍ଧିତ ଖବର