ଦିଲ୍ଲୀ ମେଟ୍ରୋ ଷ୍ଟେସନ୍‌ ନିକଟରେ ପଶୁ ଭଳି ଚେନରେ ବନ୍ଧା ହୋଇଥିଲା ୮ ବର୍ଷର ନାବାଳିକା

ନୂଆଦିଲ୍ଲୀ: ବୁଧବାର ଦିଲ୍ଲୀର ଆନନ୍ଦ ବିହାର ମେଟ୍ରୋ ଷ୍ଟେସନଠାରେ ଶିକୁଳିରେ ବନ୍ଧା ଥିବା ଅବସ୍ଥାରେ ୮ ବର୍ଷର ନାବାଳିକାକୁ ଉଦ୍ଧାର କରିଛନ୍ତି ଦିଲ୍ଲୀ ମହିଳା କମିସନର ଅଧ୍ୟକ୍ଷା ଶାଶ୍ୱତୀ ମଲିଓ୍ଵାଲ । ନାବାଳିକାକୁ ତାର ପରିବାର ଲୋକ ଏକ ଗଛରେ ବାନ୍ଧିଛନ୍ତି ବୋଲି ଷ୍ଟେସନ ପାଖରେ ଭିକ ମାଗୁଥିବା ଅନ୍ୟ ଜଣେ ନାବାଳିକା କହିଥିଲା । ମହିଳା କମିସନର ଅଧ୍ୟକ୍ଷା ନାବାଳିକାର ପରିବାରକୁ ଚିହ୍ନଟ କରିଥିବା ବେଳେ, ସେମାନେ ଆନନ୍ଦ ବିହାର ମେଟ୍ରୋ ଷ୍ଟେସନର ରାସ୍ତା କଡ଼ରେ ରହୁଥିବାର ଜଣାପଡ଼ିଥିଲା । ନାବାଳିକାର ପରିବାରରେ ସମୁଦାୟ ୧୧ ଜଣ ସଦସ୍ୟ ଥିବା ବେଳେ ତା’ର ମା’ ଗର୍ଭବତୀ ଥିବା ଜଣାପଡ଼ିଥିଲା। ବନ୍ଧା ହୋଇଥିବା ନାବାଳିକାର ପିତା ନିଶାଗ୍ରସ୍ତ ଅବସ୍ଥାରେ ଦେଖିବାକୁ ମିଳିଥିଲା।

ଦିଲ୍ଲୀମହିଳା କମିସନର ଅଧ୍ୟକ୍ଷା ନାବାଳିକାଙ୍କ ପରିବାରକୁ ଭେଟିଯିବା ବେଳେ ଆଶ୍ଚର୍ଯ୍ୟ କଥା ଜାଣିବାକୁ ପାଇଥିଲେ । ନାବାଳିକାର ପରିବାର କହିଥିଲା,ସେ ନିଶା ଦ୍ରବ୍ୟ ସେବନ କରୁଥିବାରୁ ତାଙ୍କୁ ଆମେ ଶିକୁଳୀ ଦ୍ୱାରା ଗଛରେ ବାନ୍ଧି ଦେଇଥିଲୁ। ଉଦ୍ଧାର ପରେ ପ୍ରଥମେ ନାବାଳିକା କିଛି ନ କହି ଚୁପ ରହିଥିଲା। ବହୁ ସମୟ ପରେ ମଲିଓ୍ଵାଲଙ୍କ ସହ କଥାବାର୍ତ୍ତା ପରେ ନାବଳିକା ଦୈନିକ ଭିକ ମାଗିି ୩୦୦ ଟଙ୍କା ରୋଜଗାର କରେ ଏବଂ ନିଜ ପରିବାର ସହ ରାସ୍ତା କଡ଼ରେ ଶୁଏ ବୋଲି କହିଥିଲା।

ବୁଧବାର ଏହି ଘଟଣା ପରେ ରାଜଧାନୀରେ କେତେ ନାବାଳିକା ଭିକ୍ଷା ମାଗୁଛନ୍ତି ତାହାର ଯାଞ୍ଚ କରିବା ପାଇଁ କହିଛନ୍ତି ମଲିଓ୍ଵାଲ । ଦିଲ୍ଲୀ ଶିଶୁ କଲ୍ୟାଣ ସମିତିକୁ ନାବାଳିକାକୁ ଥଇଥାନ କରିବାକୁ କହିଛନ୍ତିଦିଲ୍ଲୀ ମହିଳା କମିସନର ଅଧ୍ୟକ୍ଷା । ରାସ୍ତା କଡ଼ରେ ରହୁଥିବା ବାଳିକାମାନଙ୍କ ପାଇଁ ରହିବାକୁ ଘର ଏବଂ ହଷ୍ଟେଲର ସୁବିଧା କରିବା ପାଇଁ ଜନସାଧାରଣଙ୍କୁ ସାହାଯ୍ୟ କରିବା ପାଇଁ ଅନୁରୋଧ କରିଛନ୍ତି ମଲିଓ୍ଵାଲ। ଦିଲ୍ଲୀରେ ବହୁ ସ୍ୱେଚ୍ଛାସେବୀ ସଂଗଠନ ଅଛନ୍ତି ସେମାନେ ଏ ଦିଗରେ କାର୍ଯ୍ୟ କରିବା ଦରକାର।

ସମ୍ବନ୍ଧିତ ଖବର