କୋଲକାତା: ରବିବାର ଦିନ ପଶ୍ଚିମବଙ୍ଗର ହୁଗୁଳି ଜିଲ୍ଲାରେ ଜଣେ ଟିକି ଝିଅ ପିସ୍ତଲରୁ ଗୁଳି ଚଳାଇବାରୁ ତା’ର ମାଆ ସାଙ୍ଘାତିକ ଆହତ ହୋଇଛନ୍ତି। ଗୁଳି ଭରା ସତସତିକା ପିସ୍ତଲଟିକୁ ତା’ର ମାଆ ବାହାରେ ପଡ଼ିଥିବା ଦେଖିଥିଲେ। ତାକୁ ଗୋଟାଏ ଖେଳନା ବନ୍ଧୁକ ଭାବି ଝିଅକୁ ଖେଳିବାକୁ ଦେଇଥିଲେ ବୋଲି ପୁଲିସ କହିଛି।
ପୁଲିସ କହିବାନୁସାରେ, ରବିବାର ସକାଳେ ଆରାମବାଗ ଅନ୍ତର୍ଗତ ଖାନକୂଳସ୍ଥିତ ନିଜ ଘର ବାହାର ପଟ ବଗିଚାରୁ କାକଳି ଜାନା ଗୋଟାଏ ପିସ୍ତଲ ପାଇଥିଲେ। ତାକୁ ଖେଳନା ଭାବି ଝିଅକୁ ଖେଳିବାକୁ ଦେଇଥିଲେ।
ଝିଅ ସେଥିରେ ଖେଳୁ ଖେଳୁ ତାହା ଦୈବାତ୍ ଫୁଟି ଯାଇ କାକଳିଙ୍କ ବେକରେ ବାଜିଲା।
ଆହତ ମହିଳାଙ୍କୁ ତୁରନ୍ତ ଆରମବାଗ ଡାକ୍ତରଖାନାକୁ ନିଆ ଯାଇଥିଲା। ତାଙ୍କର ଅବସ୍ଥା ସଙ୍କଟଜନକ ବୋଲି କୁହାଯାଉଛି।
ଝିଅଟି କହୁଛି ଯେ ହଠାତ୍ ପିସ୍ତଲଟି ଫୁଟିଲା ଏବଂ ଗୁଳି ଯାଇ ଘରେ ବସିଥିବା ମାଆଙ୍କ ଦେହରେ ବାଜିଲା।
ଝିଅଟି ଭାରି ମାନସିକ ଆଘାତ ପାଇଛି ବୋଲି ପୁଲିସ କହୁଛି।
ପିସ୍ତଲ କେମିତି ବଗିଚାକୁ ଆସିଲା, ପୁଲିସ ତା’ର ତଦନ୍ତ କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/06/gun-story_0_0.jpeg)