ସ୍କୁଲ୍‌ ନାଟକରେ ଅଭିନେତ୍ରୀ ଝିଅ ଆଜାନ୍‌ କରିବା ଯୋଗୁଁ ପ୍ରତିବାଦ

କୋଝିକୋଡ: ସ୍କୁଲ୍‌ରେ ମଞ୍ଚସ୍ଥ ଏକ ନାଟକରେ ଅଭିନେତ୍ରୀ ଝିଅ ‘ଆଜାନ୍‌’ କରିବାରୁ କେରଳର କୋଝିକୋଡ଼ ଜିଲ୍ଲାରେ ମୁସଲମାନ ସଙ୍ଗଠନ ସବୁ ପ୍ରତିବାଦ କରିଛନ୍ତି। ଇସ୍‌ଲାମ୍‌ ଧର୍ମର ଏହି ପ୍ରାର୍ଥନା ପରମ୍ପରିକ ଭାବେ ଜଣେ ପୁରୁଷ ମୁକରି ବା ମୁଏଜିନ୍‌ କରିଥାଆନ୍ତି।

ପ୍ରତିବାଦକାରୀମାନେ କହିଛନ୍ତି ଯେ ନାଟକ ‘କିତାବ୍‌’ ମୁସଲମାନ ଜୀବନଧାରାକୁ ଅପମାନିତ କରିଛି।

ମେମୁଣ୍ଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପିଲାମାନେ ଏହି ନାଟକ ମଞ୍ଚସ୍ଥ କରିଥିବା ନାଟକଟି ଲେଖକ ଆର୍‌ ୟୁନ୍ନିଙ୍କ ଦ୍ୱାରା ଲିଖିତ ଗଳ୍ପ ଉପରେ ଆଧାରିତ। ବୁଧବାର ଦିନ ବଡ଼କରା ଜିଲ୍ଲା ସ୍କୁଲ୍‌ କଳା ଉତ୍ସବରେ ମଞ୍ଚସ୍ଥ ହୋଇଥିଲା। ନାଟକରେ ଜଣେ ମୁକ୍ରିଙ୍କ ଝିଅ କହୁଛି ସେ ତା’ ବାପା ଯେମିତି ଆଜାନ୍‌ କରୁଛନ୍ତି, ସେ ସେପରି କରିବାକୁ ଚାହେଁ। ବାପା ପ୍ରଥମେ ତା’ କଥା ଅଗ୍ରାହ୍ୟ କରୁଛନ୍ତି, କିନ୍ତୁ ପରେ ଆଜାନ୍‌ କରିବାକୁ ଅନୁମତି ଦେଉଛନ୍ତି।

ସୋସିଆଲ୍‌ ଡେମୋକ୍ରାଟିକ୍‌ ପାର୍ଟି ଅଫ୍‌ ଇଣ୍ଡିଆର ସଦସ୍ୟମାନେ ଉତ୍ସବସ୍ଥଳକୁ ପ୍ରତିବାଦ ଶୋଭାଯାତ୍ରା ଧରି ଯାଇଥିଲେ।

ଏସ୍‌ଡିପିଆଇ ନେତା ସଲିମ୍‌ ପି ଆଝିୟୁର୍‌ କହନ୍ତି: ନାଟକଟିକୁ ସାମାଜିକ ସମାଲୋଚନା ଭାବେ ବିଚାର କରାଯାଇ ପାରିବ ନାହିଁ। ଏହା ମୁସଲମାନ ଜୀବନଧାରାକୁ ଅପମାନିତ କରୁଛି। ଆମେ ଶିକ୍ଷା ବିଭାଗର ଡେପୁଟି ଡାଇରେକ୍ଟର୍‌ଙ୍କୁ ଅଭିଯୋଗ ପତ୍ର ଦେଇଛୁ।

ସେ ଆହୁରି କହିଛନ୍ତି: ମେମୁଣ୍ଡା ସ୍କୁଲ୍‌ ସିପିଏମ୍‌ ଦ୍ୱାରା ପରିଚାଳିତ ଏବଂ ଦଳର ଆଜେଣ୍ଡା ଏହି ନାଟକରେ ସ୍ପଷ୍ଟ। ଏହା ମୁସଲମାନ ସମ୍ପ୍ରଦାୟଙ୍କ ସମ୍ବନ୍ଧରେ ତ୍ରୁଟିପୂର୍ଣ୍ଣ ବାର୍ତ୍ତା ଦେବ।

ସ୍କୁଲ୍‌ର ଜଣେ ଶିକ୍ଷକ ପି କେ ଶ୍ରୀଧରନ୍‌ କହନ୍ତି: ଲିଙ୍ଗ ସଂକ୍ରାନ୍ତରେ ଏହି ନାଟକ ଗୁଡ଼ାଏ ବୈଧ୍ୟ ପ୍ରଶ୍ନ ଉଠାଇଛି।

ମୁଁ ବୁଝି ପାରୁନି ଆମ ନାଟକ ବିରୋଧରେ ପ୍ରତିବାଦ କାହିଁକି। ନାଟକ ସର୍ବଦା ସ୍ପର୍ଶକାତର ଧାର୍ମିକ ମାମଲା ପ୍ରତିପାଦନ କରିଥାଏ।

ସମ୍ବନ୍ଧିତ ଖବର