ରାଜକୋଟ: କମର୍ସିଆଲ୍ ପାଇଲଟ୍ ହେବା ପାଇଁ ତାଲିମ୍ ଗ୍ରହଣ କରିବା ନିମନ୍ତେ ପ୍ରେମିକଙ୍କୁ ଆବଶ୍ୟକ ଅର୍ଥ ଯୋଗାଇବାକୁ ଜଣେ ପ୍ରେମିକା ନିଜ ଘରୁ ଚୋରି କରିଛନ୍ତି।
ପାଇଲଟ୍ ହେବାକୁ ଚାହୁଁଥିବା ପ୍ରେମିକ ହେଉଛନ୍ତି ୨୦ ବର୍ଷିୟ ହେତ୍ ଶାହା ଏବଂ ପ୍ରେମିକା ହେଉଛନ୍ତି ୨୦ ବର୍ଷୀୟ ପ୍ରିୟଙ୍କା ପର୍ସନ।
ବେଙ୍ଗାଲୁରୁସ୍ଥିତ ପାଇଲଟ୍ ଟ୍ରେନିଙ୍ଗ୍ ଏକାଡେମିରେ ହେତ୍ଙ୍କ ପାଇଲଟ୍ ତାଲିମ୍ ନିମନ୍ତେ ଫିଜ୍ ଦେବାକୁ ପ୍ରିୟଙ୍କା ନିଜ ଘରୁ ପ୍ରାୟ ୧ କୋଟି ଟଙ୍କାର ନଗଦ ଟଙ୍କା ଓ ଅଳଙ୍କାର ଚୋରି କରିଥିଲେ। ଚୋରି ହୋଇଛି ବୋଲି ପାରିପାର୍ଶ୍ୱିକ ଅବସ୍ଥା ସୃଷ୍ଟି କରିବାକୁ ସେ ଘର ଭିତରେ ଭଙ୍ଗାରୁଜା ମଧ୍ୟ କରିଥିଲେ। ଚୋରି ଉପାୟ ଓ ଚୋରି କରିଥିବା ଅଭିଯୋଗରେ ଶନିବାର ଦିନ ଉଭୟ ପ୍ରିୟଙ୍କା ଏବଂ ହେତ୍ଙ୍କୁ ଗିରଫ କରାଯାଇଛି। ଦୁହିଁଙ୍କ ଠାରୁ ଚୋରି ହୋଇଥିବା ନଗଦ ଟଙ୍କା ଓ ଅଳଙ୍କାର ମଧ୍ୟ ଉଦ୍ଧାର କରାଯାଇଛି।
ପୁଲିସ କହିବା ଅନୁସାରେ, ନିଜ ଦୁଇ ବର୍ଷର ପ୍ରେମିକ ପାଇଁ ନଭେମ୍ବର ୨୯ ତାରିଖ ଦିନ ଝିଅ ପ୍ରିୟଙ୍କା ଟଙ୍କା ଓ ଅଳଙ୍କାର ଚୋରି କରିଥିବା କଥା ସେମାନେ କହିବା ପରେ ପରିବାର ଲୋକେ କାନ୍ଦି ପକାଇଥିଲେ। ପ୍ରିୟଙ୍କାଙ୍କ ପିତା ଶିଳ୍ପପତି କିଶୋର ପର୍ସନ ଭକ୍ତିନଗର ଥାନାରେ ଚୋରି ଅଭିଯୋଗ ଦାଏର କରିବାର ପ୍ରାୟ ୧୭ ଦିନ ପରେ ଶୁକ୍ରବାର ବିଳମ୍ବିତ ସନ୍ଧ୍ୟାରେ ଚୋରି ରହସ୍ୟ ଜଣାପଡ଼ିଥିଲା।
ଭକ୍ତିନଗର ଅନ୍ତର୍ଗତ ଗୀତାଞ୍ଜଳି ପାର୍କ ଅଞ୍ଚଳରେ ରହନ୍ତି ପ୍ରିୟଙ୍କା ଏବଂ ଏୟାର୍ପୋର୍ଟ ରୋଡ୍ର ଗୀତ ଗୁର୍ଜାରି ସୋସାଇଟିରେ ରହନ୍ତି ହେତ୍। ଉଭୟ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍ ହେବାକୁ ଲକ୍ଷ୍ୟ ରଖିଥିଲେ ଏବଂ ଏକ ଟିଉସନ୍ କ୍ଲାସ୍ରେ ପରସ୍ପରଙ୍କ ପ୍ରଥମେ ଭେଟ ହୋଇଥିଲା।
ପୁଲିସ କହିବା ଅନୁସାରେ, ଘର ଆଲମିରା ଭିତରୁ ପ୍ରିୟଙ୍କା ୯୦ ଲକ୍ଷ ଟଙ୍କା ମୂଲ୍ୟର ୩ କିଲୋ ସୁନା, ୨ କିଲୋ ରୁପା ଗହଣା ଏବଂ ନଗଦ ୬୪ ହଜାର ଟଙ୍କା ଚୋରାଇ ନେଇଥିଲା। ସେତେବେଳେ ମାଆ ଓ ବିବାହିତା ଭଉଣୀ ଘରେ ନ ଥିଲେ।
ଆଲମାରି ଭଙ୍ଗା ନ ଯାଇ ଡ୍ୟୁପ୍ଲିକେଟ୍ ଚାବି ଦ୍ୱାରା ଖୋଲା ଯାଇଛି ବୋଲି ପୁଲିସ ତଦନ୍ତରୁ ଜାଣିବା ପରେ ସନ୍ଦେହ ଆସିଥିଲା କି, ପରିବାର କିଂବା ପରିବାର ସହ ଘନିଷ୍ଠତା ଥିବା କାହା ପାଖରେ ଡ୍ୟୁପ୍ଲିକଟେ୍ ଚାବି ରହିଛି।
ପୁଲିସ ପ୍ରିୟଙ୍କାଙ୍କ ବୟାନ୍କୁ କ୍ରସ୍ ଚେକ୍ କରି ମଧ୍ୟ ସେ ଚୋରି କରିଥିବା ଜାଣି ପାରି ନ ଥିଲେ। ପରେ ହେତ୍ ସହ ତାଙ୍କର ସମ୍ପର୍କ ଥିବା ଜାଣିବା ପରେ ଦେଖିଲେ ଯେ ପ୍ରିୟଙ୍କାଙ୍କ ଘରୁ ଚୋରି ହେବାର ଗୋଟିଏ ଦିନ ପରେ ହେତ୍ ବେଙ୍ଗାଲୁରୁ ଯାଇଥିବା କଥା ଜାଣିଥିଲେ।
କ୍ରାଇମ୍ ବ୍ରାଞ୍ଚ୍ ଟିମ୍ ବେଙ୍ଗାଲୁରୁରେ ପହଞ୍ଚି ହେତ୍ଙ୍କୁ ପଚରା ଉଚୁରା କରି ସବୁକଥା ଜାଣିପାରିଥିଲା। ସେ କହିଥିଲା କି, ଜଣେ ପାଇଲଟ୍ ହେବାକୁ ସେ ୨୦ ଲକ୍ଷ ଟଙ୍କା ଆବଶ୍ୟକ କରୁଥିଲା। ତାକୁ ସାହାଯ୍ୟ କରିବାକୁ ପ୍ରିୟଙ୍କା ନିଜ ଘରୁ ଚୋରି କରିଥିଲା। ହେତ୍ଙ୍କ ବାପା ମୋର୍ବି ଏକ ସେରାମିକ୍ କାରଖାନାରେ କାମ କରନ୍ତି।
ଝିଅ ଚୋରି କରିଛି ଜାଣିବା ପରେ ପ୍ରିୟଙ୍କାଙ୍କା ପରିବାର ଏଫ୍ଆଇଆର୍ ଫେରାଇ ନେବାକୁ ଚାହୁଁଛନ୍ତି।