୧୨ଟି ଆମ୍ବକୁ ୧.୨ ଲକ୍ଷରେ ବିକି ସ୍ମାର୍ଟଫୋନ୍ କିଣିଲା ବାଳିକା

ଗରିବ ଆମ୍ବବିକାଳି ବାଳିକାର ପାଠପଢ଼ାର ଇଚ୍ଛା ପୂରଣ କଲେ ବଦାନ୍ୟ ବ୍ୟବସାୟୀ
୧୨ଟି ଆମ୍ବକୁ ୧.୨ ଲକ୍ଷରେ କିଣିବା ସହ ସ୍ମାର୍ଟଫୋନ୍ ଦେଲେ

ଜାମସେଦପୁର : ଝାଡ଼ଖଣ୍ଡର ଜାମସେଦପୁରଠାରେ ରହୁଥିବା ତୁଳସୀ କୁମାରୀ ନାମ୍ନୀ ଜଣେ ୧୧ ବର୍ଷୀୟା ଆମ୍ବବିକାଳି ବାଳିକା ଗୋଟା ୧୦,୦୦୦ ଟଙ୍କା ହିସାବରେ ୧୨ଟି ଆମ୍ବକୁ ୧ ଲକ୍ଷ ୨୦ ହଜାର ଟଙ୍କାରେ ବିକି ନିଜର ଅନ୍‌ଲାଇନ୍ କ୍ଲାସ୍ ପାଇଁ ସ୍ମାର୍ଟଫୋନ୍ କିଣିବାର ସ୍ବପ୍ନ ସାକାର କରିଥିବା ଜଣାପଡ଼ିଛି। ତେବେ ଏହା ପଛରେ ରହିଛି ମୁମ୍ବାଇର ଅମେୟ ହେଟେ ନାମକ ଜଣେ ବଦାନ୍ୟ ବ୍ୟବସାୟୀଙ୍କ ସହୃଦୟତା।

ପ୍ରାପ୍ତ ସୂଚନା ଅନୁସାରେ, ତୁଳସୀର ଜୀବନ ସଂଘର୍ଷ ବିଷୟରେ ଜାଣିବା ପରେ ମୁମ୍ବାଇର ଅମେୟ ହେଟେ ନାମକ ବ୍ୟବସାୟୀ ତା’ର ଅଧିକ ପାଠ ପଢ଼ିବାର ଇଚ୍ଛାକୁ ସାକାର କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ତେଣୁ ସେ ରାସ୍ତାକଡ଼ରେ ଆମ୍ବ ବିକୁଥିବା ଏହି ଗରିବ ବାଳିକାଠାରୁ ୧୨ଟା ଆମ୍ବକୁ ୧ ଲକ୍ଷ ୨୦ ହଜାର ଟଙ୍କା ଦେଇ କିଣିନେଇଥିଲେ। ଏ ବିଷୟରେ ତୁଳସୀ କୁମାରୀ ଗଣମାଧ୍ୟମକୁ କହିଛନ୍ତି ଯେ, ଲକ୍‌ଡାଉନ୍‌ ସମୟରେ ତାଙ୍କ ପରିବାରର ଆର୍ଥିକ ଦୁରବସ୍ଥା ବଢ଼ିଯାଇଥିଲା। ଅନ୍‌ଲାଇନ୍ କ୍ଲାସ୍ କରିବା ପାଇଁ ତାଙ୍କ ପିତାମାତା ତାଙ୍କୁ ସ୍ମାର୍ଟଫୋନ୍‌ଟିଏ କିଣିଦେବା ଅବସ୍ଥାରେ ନ ଥିଲେ। ସେ ଏକ ସ୍ମାର୍ଟଫୋନ୍‌ କିଣିବାକୁ ଚାହୁଁଥିଲେ। କିନ୍ତୁ ଆମ୍ବବିକ୍ରିରୁ ଯେତିକି ଆୟ ହୁଏ ସେଥିରେ ତାଙ୍କ ପରିବାରର ଦୈନିକ ଗୁଜରାଣ ମେଣ୍ଟାଇବା ପାଇଁ ଅକୁଳାନ ହେଉଥିଲା। ତା’ପରେ ଜଣେ ‘ସାର୍’ ତାଙ୍କଠାରୁ ଆମ୍ବ ଗୋଟା ୧୦,୦୦୦ ଟଙ୍କାରେ ୧୨ଟା ଆମ୍ବ କିଣିଲେ ଏବଂ ସେ ମଧ୍ୟ ତାଙ୍କ ପାଇଁ ଗୋଟିଏ ସ୍ମାର୍ଟଫୋନ୍ କିଣିଦେଲେ। ସେ ତାଙ୍କଠାରେ କୃତଜ୍ଞ ରହିବା ସହ ପାଠପଢ଼ାରେ ମନଦେବେ ବୋଲି କହିଥିଲେ।

ତୁଳସୀର ମାଆ ପଦ୍ମିନୀ ଦେବୀ କହିଛନ୍ତି ଯେ, ତାଙ୍କ ଝିଅ ସ୍ମାର୍ଟଫୋନ୍ କିଣିବା ପାଇଁ ଦୃଢ଼ସଂକଳ୍ପ ଥିଲା। ଆମେ ତାକୁ ଫୋନ୍ କିଣିଦେଇ ନ ପାରିବାରୁ ସେ ନିଜେ ଲକ୍‌ଡାଉନ୍ ସମୟରେ ରାସ୍ତାକଡ଼ରେ ଆମ୍ବ ବିକି ପଇସା ରଖି ସେଥିରେ ଫୋନ୍ କିଣିବାକୁ ନିଷ୍ପତ୍ତି ନେଇଥିଲା। ଏହାପରେ ମୁମ୍ବାଇର ଉକ୍ତ ସହୃଦୟ ବ୍ୟବସାୟୀ ତା’ଠାରୁ ୧୨ଟା ଆମ୍ବ ବିନିମୟରେ ଏତେ ଟଙ୍କା ସହ ସ୍ମାର୍ଟଫୋନ୍ ଦେଇ ତା’ର ସ୍ବପ୍ନ ସାକାର କରିବାରେ ସାହାଯ୍ୟ କରିଛନ୍ତି। ମୋ ଝିଅ ବର୍ତ୍ତମାନ ପାଠ ପଢ଼ି ବଡ଼ମଣିଷ ହୋଇପାରିବ ଏବଂ ତାକୁ ଆଉ ରାସ୍ତାକଡ଼ରେ ଆମ୍ବ ବିକିବାକୁ ପଡ଼ିବ ନାହିଁ ବୋଲି ପଦ୍ମିନୀ ଦେବୀ କହିଥିଲେ।

ସମ୍ବନ୍ଧିତ ଖବର