ଅଲୱାର: 'କୁହାଯାଏ ଯାହାକୁ ରଖିବେ ଅନନ୍ତ, କେ କରିପାରେ ବଳବନ୍ତ' ଅର୍ଥାତ ଭଗବାନଙ୍କର ଯାହା ଉପରେ କୃପା ଥାଏ, ତାଙ୍କର କୌଣସି କ୍ଷତି ହୋଇପାରିନଥାଏ | ରାଜସ୍ଥାନର ଅଲୱାର ସହରରେ ଏଭଳି ଏକ ଘଟଣା ଘଟିଛି | ଯେତେବେଳେ ନିଜ ଶାଳୀଙ୍କୁ ଭିଣୋଇ କୂଅକୁ ଠେଲିଦେଇଥିଲେ ବି ୩୫ ଘଣ୍ଟାର ସଂଘର୍ଷ ପରେ ବି ମୃତ୍ୟୁକୁ ସେ ପରାସ୍ତ କରିଛନ୍ତି | ମିଳିଥିବା ସୂଚନା ମୁତାବକ ଅଲୱାର ସହରର କୋଟୱାଲି ପୁଲିସ ଷ୍ଟେସନ ଅଞ୍ଚଳରେ ରହୁଥିବା ଜଣେ ଛାତ୍ରୀ ଦୁଇ ଦିନ ପୂର୍ବରୁ ନିଖୋଜ ହୋଇଯାଇଥିଲେ। ଆଉ ଯୁବତୀଙ୍କୁ ଆଜି ଅଲୱାର ସହରର ଆକାଶବାଣୀ କେନ୍ଦ୍ର ନିକଟ ଏକ ପରିତ୍ୟକ୍ତ କୂଅରୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇଛି। ବଡ କଥା ହେଉଛି ଯେ ଏହି ପରିତ୍ୟକ୍ତ କୂଅରେ ବହୁ ସଂଖ୍ୟକ ସାପ ଏବଂ ବିଛା ଥିଲେ ବି ଯୁବତୀ ଜଣକ ପ୍ରାୟ ୩୫ ଘଣ୍ଟା ଧରି ଜୀବିତ ଥିଲେ |

Advertisment

ଏହି ମାମଲାରେ ପୁଲିସ ଅଭିଯୁକ୍ତ ସମ୍ପର୍କୀୟଙ୍କୁ ଗିରଫ କରିଛି। ପୁଲିସ ଅଧୀକ୍ଷକ ତେଜସ୍ୱିନୀ ଗୌତମ କହିଛନ୍ତି ଯେ ମାର୍ଚ୍ଚ ୨ରୁ ନିଖୋଜ ଯୁବତୀଙ୍କୁ ପୁଲିସ ଲଗାତାର ଖୋଜୁଥିଲା | ଆଉ କୋଟୱାଲି ପୁଲିସର ଏକ ସ୍ୱତନ୍ତ୍ର ଟିମ୍ ଯୁବତୀଙ୍କୁ ସୁରକ୍ଷିତ ଭାବେ କୂଅରୁ ଉଦ୍ଧାର କରିଥିଲା | ଯୁବତୀ ଜଣକ ଆହତ ହୋଇଥିବାରୁ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ତେବେ ପୁଲିସ ଦ୍ୱାରା ସିସିଟିଭି କ୍ୟାମେରା ଯାଞ୍ଚ କରିବା ପରେ ଜଣାପଡିଥିଲା ଯେ ଯୁବତୀ ଜଣକ ଶେଷ ଥର ପାଇଁ ତାଙ୍କ ଭିଣୋଇଙ୍କ ସହ ଯାଉଥିଲେ |

ଯେତେବେଳେ ଭିଣୋଇଙ୍କୁ ଧରାଯାଇ ପଚରାଉଚରା କରାଯାଇଥିଲା ସେତେବେଳେ ସେ କହିଥିଲେ ଯେ ସେ ତାଙ୍କୁ କୂଅକୁ ଠେଲି ଦେଇଥିଲେ । ପୁଲିସର କହିବା ମୁତାବକ ଏହି କୂଅଟି ପ୍ରାୟ ୧୫୦ ଫୁଟ ଗଭୀର ଥିଲା | କୂଅରେ ସାପ, ବିଛା ଥିବାବେଳେ ଯେତେବେଳେ ଉଦ୍ଧାରକାରୀ ଦଳ କୂଅକୁ ଯାଇଥିଲେ, ସେମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ | ଯୁବତୀ ଜଣକ କୂଅର ଗୋଟିଏ କୋଣରେ ବସିଥିବାବେଳେ ତାଙ୍କ ମୁଣ୍ଡରୁ ରକ୍ତ ବୋହୁଥିଲା । ପ୍ରାୟ ୩୫ ଘଣ୍ଟା ଧରି, ଯୁବତୀ ଜଣକ କୂଅରେ ଭୋକିଲା ଅବସ୍ଥାରେ ଥିଲେ ବି କୌଣସି ପ୍ରାଣୀ ତାଙ୍କର କ୍ଷତି କରିନଥିଲେ |