ଜାମସେଦପୁର: ଜାମସେଦପୁର ସହରର ଏକ ସ୍କୁଲରେ ଜଣେ ଛାତ୍ରୀ ଖେଳ ଛୁଟିରେ ଚିପ୍ସ ଖାଉଥିଲେ। ଏହି ଚିପ୍ସ ଖାଉଥିବା ସମୟରେ ସେ ଅଚେତ ହୋଇପଡ଼ିଥିଲେ। ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଦୁଃଖର ବିଷୟକି ହସ୍ପିଟାଲରେ ଡାକ୍ତର ଛାତ୍ରୀଙ୍କୁ ମୃତ ଘୋଷଣା କରିଥିଲେ।

Advertisment

ଏହି ଘଟଣା ଆଦିବାସୀ ପ୍ଲସ-୨ ହାଇସ୍କୁଲ ସୀତାରାମଡେରାରେ ଘଟିଛି। ୯ମ ଶ୍ରେଣୀରେ ପାଠ ପଢ଼ୁଥିବା କୃତ୍ତିକା କୁମାଲରୀ(୧୪) ଶନିବାର ସ୍କୁଲ ଆସିଥିଲେ। ଖେଳ ଛୁଟିରେ ‌ସେ ଚିପ୍ସ କିଣି ଖାଇଥିଲେ। ଏହି ଚିପ୍ସ ଖାଉଥିବା ସମୟରେ ସେ ହଠାତ ଅଚେତ ହୋଇ ତଳେ ପଡ଼ି ଯାଇଥିଲେ। କୃତ୍ତିକାଙ୍କୁ ତାଙ୍କ ସହ ଥିବା ସାଙ୍ଗମାନେ ଯେତେ ଡାକିଥିଲେ ବି ସେ ଉଠି ନଥିଲେ। ଫଳରେ ସେମାନେ ଶିକ୍ଷକଙ୍କୁ ଏ ବିଷୟରେ ଜଣାଇଥିଲେ।

ଏହାପରେ ଶିକ୍ଷକ ଉଦିତ ନାରାୟଣ ଓ ଅନ୍ୟ ଦୁଇଜଣ ଶିକ୍ଷକ ମିଶି କୃତ୍ତିକାଙ୍କୁ ହସ୍ପିଟାଲ ନେଇ ଯାଇଥିଲେ। ସେଠାରେ ଡାକ୍ତର କୃତ୍ତିକାଙ୍କୁ ଇନଜେକସନ ଦେଇ ଇସିଜି କରିବାକୁ କହିଥିଲେ। ଇସିଜି କରୁଥିବା ବେଳେ କୃତ୍ତିକାଙ୍କ ମୃତ୍ୟୁ ହୋଇଯାଇଥିଲା।

ଏହି ଘଟଣାକୁ ନେଇ ସ୍କୁଲ ପ୍ରଧାନଶିକ୍ଷକ କହିଛନ୍ତି, କୃତ୍ତିକାଙ୍କ ପୂର୍ବରୁ ହୃଦୟରୋଗ ଥିଲା। ଅତ୍ୟଧିକ ଗରମ ହେତୁ ସେ ଅଚେତ ହୋଇପଡ଼ିଥିବା ଅନୁମାନ କରାଯାଉଛି। ଅଚେତ ହେବାର ୧୦ମିନିଟ ଭିତରେ ଶିକ୍ଷକମାନେ ଚିକିତ୍ସା ପାଇଁ କୃତ୍ତିକାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ ହେଁ ଡାକ୍ତର ତାଙ୍କ ଜୀବନ ବଞ୍ଚାଇ ପାରି ନଥିଲେ।