ମୋବାଇଲ୍ ଭାଙ୍ଗିବାରୁ ଜୀବନ ହାରିଲେ ଦଶମ ଶ୍ରେଣୀ ଛାତ୍ରୀ

ନୂଆଦିଲ୍ଲୀ: ମୋବାଇଲ ଭାଙ୍ଗିଯିବାରୁ ଭୟରେ ଗାଜିଆବାଦର ସିହାନି ଗେଟ୍ ଥାନା ଅଞ୍ଚଳରେ ଜଣେ ଦଶମ ଶ୍ରେଣୀର ଛାତ୍ରୀ ଫାଶୀ ଦେଇ ଘରେ ଆତ୍ମହତ୍ୟା କରିଛନ୍ତି ବୋଲି ଖବର ମିଳିଛି। ବିଲ୍ଡିଂରେ ରହୁଥିବା ଭଡାଟିଆମାନେ ଏ ବିଷୟରେ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କ ଶରୀରକୁ ପୋଷ୍ଟମର୍ଟମ ପାଇଁ ପଠେଇ ଦେଇଥିଲା। ଛାତ୍ରୀ ଆତ୍ମହତ୍ୟା କରିବା ପୂର୍ବରୁ ଏକ ସୁଇସାଇଡ୍ ନୋଟ୍ ମଧ୍ୟ ଲେଖିଛନ୍ତି। ପୁଲିସ ଏହି ମାମଲାର ତଦନ୍ତ କରୁଛି।

ପୁଲିସ ଅନୁସାରେ, ୧୯ ବର୍ଷୀୟ ପୂଜା ନିଜର ବାପା-ମାଆ ଓ ବଡ ଭଉଣୀଙ୍କ ସହିତ ରହୁଥିଲେ। ପୂଜା ଦଶମ ଶ୍ରେଣୀର ଛାତ୍ରୀ ଥିଲେ। ତାଙ୍କ ବାପା ଇ-ରିକ୍ସା ଚଲାନ୍ତି। ଆତ୍ମହତ୍ୟା ନୋଟରେ ଲେଖା ହୋଇଛି, ମୋ ହାତରେ ମୋବାଇଲ ଭାଙ୍ଗିଗଲା ମୋତେ କ୍ଷମା କରିଦେବେ। ସମ୍ପର୍କୀୟମାନଙ୍କୁ ବି ବିଷୟରେ ପଚରାଉଚୁରା କରାଯାଉଛି।

ମିଡିଆ ରିପୋର୍ଟ ଅନୁସାରେ, ପୂଜାଙ୍କ ପୈତୃକ ଘର ବିହାର। ତାଙ୍କ ମାଆ ଓ ଭଉଣୀ ବିହାର ଯାଇଥିଲେ। ଘଟଣାଦିନ ପୂଜାଙ୍କ ବାପା ଇ-ରିକ୍ସା ଚଲେଇବାକୁ ଯାଇଥିଲେ। ଘରେ ଏକା ଥିବା ସମୟରେ ସେ ଦୁଇପହର ସମୟରେ ପଙ୍ଖାରେ ଓଢଣୀ ଦେଇ ଫାଶୀ ଦେଇଥିଲେ। ବିଲ୍ଡିଂରେ ରହୁଥିବା ପଡୋଶୀଙ୍କୁ ଏ ବିଷୟରେ ଯେତେବେଳେ ଖବର ମିଳିଥିଲା ସେମାନେ ପୁଲିସକୁ ଖବର ଦେଇଥିଲେ।

ମୋବାଇଲ ଭାଙ୍ଗିବାରୁ ତାଙ୍କ ଘର ଲୋକ ରାଗିବେ ବୋଲି ପୁଜା ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ପୁଲିସ ସନ୍ଦେହ କରୁଛି। ପୁଲିସ ପୁଜାଙ୍କ ଆତ୍ମହତ୍ୟାର ଅନ୍ୟ ସମ୍ଭାବ୍ୟ କାରଣଗୁଡିକ ବିଷୟରେ ମଧ୍ୟ ତଦନ୍ତ କରୁଛି।

ସମ୍ବନ୍ଧିତ ଖବର