ପାଟନା : ବିହାରର ଜାମୁଇ ସହରରେ ଏକ ଅଭାବନୀୟ ଘଟଣା ଘଟିଛି। ଗୋଟିଏ କୋଚିଂ ସେଣ୍ଟରରେ ପଢ଼ୁଥିବା ୫ ଛାତ୍ର ସେମାନଙ୍କ ସହ ପଢ଼ୁଥିବା ଜଣେ ଛାତ୍ରୀକୁ ଗଣଦୁଷ୍କର୍ମ କରିଛନ୍ତି। ଛାତ୍ରୀଙ୍କ ଡାକ୍ତରୀ ମାଇନା କରାଯାଇଥିବା ବେଳେ ଅଭିଯୁକ୍ତମାନଙ୍କ ମଧ୍ୟରୁ ପୁଲିସ ଏପର୍ଯ୍ୟନ୍ତ ତିନିଜଣଙ୍କୁ ଗିରଫ କରିଛି।
ସୂଚନାଯୋଗ୍ୟ ଉକ୍ତ ଛାତ୍ରମାନେ ବାଳିକାକୁ ପୂର୍ବରୁ ଦୁର୍ବ୍ୟବହାର କରିଥିଲେ। ବାଳିକାଟି ଏ ସମ୍ପର୍କରେ ନିଜ ଘରେ ଜଣାଇବା ସହ କୋଚିଂ ସେଣ୍ଟର ମୁଖ୍ୟଙ୍କ ଆଗରେ ଅଭିଯୋଗ କରିଥିଲା। ଆମ ନାଁରେ କାହିଁକି ଅଭିଯୋଗ କଲା ବୋଲି କହି ଉକ୍ତ ଛାତ୍ରମାନେ ପ୍ରତିଶୋଧ ନେବା ପାଇଁ ରାତିରେ କୋଚିଂ ସେଣ୍ଟରରୁ ପଢ଼ା ସାରି ଫେରିବା ବେଳେ ଛାତ୍ରୀକୁ ନିକଟସ୍ଥ ଜଙ୍ଗଲକୁ ଟେକିନେଇ ଗଣଦୁଷ୍କର୍ମ କରିଥିଲେ। ପୁଲିସ ଘଟଣାର ତଦନ୍ତ କରିବା ସହ ଅନ୍ୟ ଦୁଇଜଣଙ୍କୁ ଗିରଫ କରିବା ପାଇଁ ଚେଷ୍ଟା କରୁଛି।