ନୂଆଦିଲ୍ଲୀ: ରିଲ ଓ ସର୍ଟ ଭିଡିଓ ପ୍ରସ୍ତୁତ କରିବା ପାଇଁ ଯୁବପିଢ଼ି ନିଜ ଜୀବନକୁ ବିପଦରେ ପକାଇ ଦେଉଥିବାର ଅନେକ ଘଟଣା ସାମ୍ନାକୁ ଆସିଛି। ଏହି ରିଲ, ସର୍ଟ ଭିଡିଓ ଓ ‌ସେଲଫି ପାଇଁ ଏଯାବତ ଅନେକଙ୍କ ଜୀବନ ଚାଲି ଯାଇଥିବା ଘଟଣା ବି ସାମ୍ନ‌ାକୁ ଆସିଛି। ଏହାକୁ ନେଇ ପୁଲିସ ବାରମ୍ବାର ଚେତାବନୀ ବି ଦେଇଛି।

Advertisment

ଏହି କ୍ରମରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ ଜଣେ ଯୁବତୀ ଟ୍ରେନରେ ବସି ଯାତ୍ରା କରୁଛନ୍ତି। ଏହି ସମୟରେ ଟ୍ରେନ ଝରକା ବାଟରୁ ମୁଣ୍ଡ ବାହାରକୁ ବାହାର କରି ରିଲ ତିଆରି କରୁଛନ୍ତି। ଏତିକି ବେଳେ ଅନ୍ୟପାର୍ଶ୍ବରୁ ଏକ ଟ୍ରେନ ଚାଲି ଆସୁଥିବା ଦେଖିବାକୁ ମିଳୁଛି। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଏହି ଭିଡିଓରେ ‌ଦେଖିବାକୁ ମିଳୁଛି, ଜଣେ ଯୁବତୀ ରିଲ ପାଇଁ ନିଜ ଜୀବନକୁ ବାଜି ଲଗାଇ ଦେଇଥିଲେ। ସୌଭାଗ୍ୟବଶତଃ ଅଳ୍ପକେ ତାଙ୍କ ଜୀବନ ରକ୍ଷା ପାଇ ଯାଇଛି। ଏହି ଭିଡିଓକୁ ଟୁଇଟର ଆକାଉଣ୍ଟରେ @OTerrifying ଦ୍ବାରା ସେୟାର କରାଯାଇଛି। ଏହି ଭିଡିଓକୁ ଦେଖିବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ଏହି ଭିଡିଓ ପୋଷ୍ଟ ହେବାପରେ ଏହାକୁ ଏଯାବତ ଏକଲକ୍ଷରୁ ଅଧିକ ଲୋକ ଦେଖି ସାରିଥିବା ବେଳେ ବିଭିନ୍ନ ଲୋକ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି।

‌ସୋସିଆଲ ମିଡିଆ ବ୍ୟବହାରକାରୀମାନେ ପ୍ରତିକ୍ରିୟା ଦେଇ ଲେଖିଛନ୍ତି କି, ବାରମ୍ବାର ଯୁବପିଢ଼ିଙ୍କୁ ଏଦିଗରେ ସଚେତନ କରାଯାଉଥିଲେ ହେଁ ସେମାନେ ସମାନ ଭୁଲ କରୁଛନ୍ତି। ଏଭଳି କାମ କରିବା ପୂର୍ବରୁ ସେମାନେ ଥରେ ଚିନ୍ତା କରିବା ଉଚିତ କି ସାମାନ୍ୟ ରିଲ ପାଇଁ ନିଜ ଜୀବନକୁ ବିପଦରେ ପକାଇବାକୁ ପଛାଉ ନାହାନ୍ତି। ଯଦି ସେମାନଙ୍କର କିଛି ହୋଇଯାଏ, ବାପା ଓ ମା’ଙ୍କ ଉପ‌ରେ କ’ଣ ବିତିବ।