ଘରୋଇ ସ୍କୁଲ୍‌ ଟ‌ଏଲେଟ୍‌ରେ ଛାତ୍ରଙ୍କ ରହସ୍ୟଜନକ ମୃତ୍ୟୁ, ହତ୍ୟା ସନ୍ଦେହ

ପାଟନା: ବିହାରରେ ଏକ ଅଭାବନୀୟ ଘଟଣା ଘଟିଛି। ଦକ୍ଷିଣ ପଶ୍ଚିମ ବିହାରର କଇମୁର ଜିଲ୍ଲା ସ୍ଥିତ କୁଦ୍ରାର ଏକ ଘରୋଇ ବିଦ୍ୟାଳୟରେ ପଞ୍ଚମ ଶ୍ରେଣୀରେ ଅଧ୍ୟୟନ କରୁଥିବା ଜଣେ ୧୧ ବର୍ଷୀୟ ଛାତ୍ରଙ୍କ ରହସ୍ୟଜନକ ମୃତଦେହ ସ୍କୁଲ୍‌ ଟଏଲେଟ୍‌ରୁ ଉଦ୍ଧାର ହୋଇଛି। ଛାତ୍ରଙ୍କ ବେକରେ ତାର ଗୁଡ଼ା ହୋଇଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଘରୋଇ ସ୍କୁଲ୍‌ରେ ଶିକ୍ଷକମାନଙ୍କ ପାଇଁ ଉଦ୍ଦିଷ୍ଟ ଥିବା ଟଏଲେଟ୍‌ରେ ଛାତ୍ରଙ୍କ ମୃତ ଦେହ ଉଦ୍ଧାର ହୋଇଥିବାରୁ ଏହି ଘଟଣାକୁ ନେଇ ସନ୍ଦେହ ବଢ଼ିଛି। ଉକ୍ତ ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଗତ ଗୋଟିଏ ସପ୍ତାହ ମଧ୍ୟରେ ଏହି ସମାନ ଅଞ୍ଚଳରେ ଥିବା ସ୍କୁଲ୍‌ ମାନଙ୍କରେ ପ୍ରାୟ ୩ ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ୁଛି ଯେ ସେ ନିଜେ ଆତ୍ମହତ୍ୟା କରିଥାଇପାରନ୍ତି ନଚେତ୍‌ ତାଙ୍କୁ ଅନ୍ୟ କେହି ହତ୍ୟା କରିଥାଇ ପାରନ୍ତି। ଏସ୍‌ପି ଦିଲନୱାଜ ଅହମଦ କହିଛନ୍ତି, ଏହା ଏକ ଘୃଣ୍ୟ ଅପରାଧ। ଖୁବ୍‌ କମ୍‌ ଦିନ ମଧ୍ୟରେ ଏହି ମାମଲାର ଫଇସଲା ହେବ ବୋଲି ସେ କହିଛନ୍ତି। ଇତି ମଧ୍ୟରେ ମୃତ ଛାତ୍ରଙ୍କ ଶବ ବ୍ୟବଚ୍ଛେଦ ସରିଛି ଏବଂ ଫରେନ୍ସିକ୍‌ ଟିମ୍‌ ଏବେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଛନ୍ତି।

ସୂଚନାନୁଯାୟୀ ମୃତ ଛାତ୍ରଙ୍କ ମା’ ମଧ୍ୟ ଏହି ସ୍କୁଲ୍‌ରେ ଶିକ୍ଷୟିତ୍ରୀ ଅଛନ୍ତି। କିନ୍ତୁ କୌଣସି ଏକ ପୂଜା ପାଇଁ ସେ ଗତକାଲି ସ୍କୁଲ୍‌ରେ ଅନୁପସ୍ଥିତ ଥିଲେ। ଛାତ୍ରଙ୍କ ବଡ଼ ଭଉଣୀ ସେହି ସ୍କୁଲ୍‌ରେ ଅଷ୍ଟମ ଶ୍ରେଣୀରେ ଅଧ୍ୟୟନ କରନ୍ତି। ତେବେ ସ୍କୁଲ୍‌ ସରିବାପରେ ସେ ତାଙ୍କ ଭାଇଙ୍କୁ ଖୋଜାଖୋଜି କରି ନପାଇବା ପରେ ଶିକ୍ଷକଙ୍କୁ ଏ ବିଷୟରେ ଅବଗତ କରିଥିଲେ। ପରେ ସମ‌ସ୍ତେ ମିଶି ତାଙ୍କୁ ଖୋଜିଥିଲେ ଏବଂ ଶେଷରେ ଟଏଲେଟ୍‌ରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଏହି ଖବର ପଦାକୁ ଆସିବାପରେ ସ୍ଥାନୀୟ ଲୋକମାନେ ସ୍କୁଲ୍‌ରେ ପହଞ୍ଚି ଭଙ୍ଗାରୁଜା କରିଥ‌ିଲେ ଏବଂ ସ୍କୁଲ୍‌ ମ୍ୟାନେଜମେଣ୍ଟ୍‌ ଓ ଶିକ୍ଷକଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିବା ପାଇଁ ଦାବି କରିଥିଲେ।

ସମ୍ବନ୍ଧିତ ଖବର