ବେଙ୍ଗାଲୁରୁ : କର୍ଣ୍ଣାଟକର ଜଣେ ୨୬ ବର୍ଷିୟା ଯୁବତୀ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇଙ୍କୁ ଇମେଲ୍ରେ ଚିଠି ଲେଖି ଯେପର୍ଯ୍ୟନ୍ତ ତାଙ୍କ ଗାଁକୁ ରାସ୍ତା ନ ହୋଇଛି ଏବଂ ବସ୍ ଚଳାଚଳା ନ କରିଛି ସେ ପର୍ଯ୍ୟନ୍ତ ସେ ବିବାହ କରିବେ ନାହିଁ ବୋଲି କହିଛନ୍ତି। ଏହି ଇମେଲ୍ ମିଳିବା ପରେ ସରକାର ତତ୍ପରତା ଦେଖାଇଛନ୍ତି। ଜିଲ୍ଲା ପ୍ରଶାସନ ଗୁରୁବାର ଯୁବତୀଙ୍କ ଗାଁକୁ ଗସ୍ତ କରି ଗ୍ରାମର ରାସ୍ତା ନିର୍ମାଣ ଏବଂ ବସ୍ ଚଳାଚଳ ଦିଗରେ ଯୁଦ୍ଧସ୍ତରରେ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
ଦାବଣଗେରେ ଜିଲ୍ଲାର ଏଚ୍ ରାମପୁରା ଗ୍ରାମର ବାସିନ୍ଦା ବିନ୍ଦୁ ଆର୍ ଡି। ଗତ ୯ ତାରିଖରେ ବିନ୍ଦୁ ମୁଖ୍ୟମନ୍ତ୍ରୀଙ୍କୁ ଇମେଲ୍ ପଠାଇଥିଲେ। ସେଥିରେ ସେ ଲେଖିଥିଲେ ଯେ ସେ ତାଙ୍କ ଗ୍ରାମର ଏକମାତ୍ର ସ୍ନାତକୋତ୍ତର। ଯେ ପର୍ଯ୍ୟନ୍ତ ତାଙ୍କ ଗାଁକୁ ଅତ୍ୟାବଶ୍ୟକ ସୁବିଧା ସୁଯୋଗ ଯୋଗାଇ ଦିଆ ନଯାଇଛି ସେ ପର୍ଯ୍ୟନ୍ତ ସେ ବିବାହ କରିବେ ନାହିଁ। କାରଣ ସେ ବିବାହ କରି ଗାଁ ଛାଡ଼ି ଚାଲିଯିବା ପରେ ଗ୍ରାମବାସୀଙ୍କ ଅଧିକାର ପାଇଁ ଲଢ଼େଇ କରିବାକୁ ଆଉ କେହି ନାହାନ୍ତି। ତେଣୁ ସେ ବିବାହ ନକରି ଗ୍ରାମବାସୀଙ୍କ ଅଧିକାର ପାଇଁ ଲଢ଼େଇ ଜାରି ରଖିବେ। ସେ ଆହୁରି ଲେଖିଛନ୍ତି, ସେ ପାଠ ପଢ଼ିବାବେଳେ ତାଙ୍କୁ ହଷ୍ଟେଲ୍ରେ ରହିବାକୁ ପଡ଼ିଥିଲା। କାରଣ ଯିବା ଆସିବା କରିବା ପାଇଁ ତାଙ୍କ ଗାଁକୁ ରାସ୍ତା ନାହିଁ କିମ୍ବା ବସ୍ ଚଳାଚଳ ମଧ୍ୟ କରୁ ନାହିଁ।
ଦାବଣଗେରେ ସହରଠାରୁ ୩୭ କିଲୋମିଟର ଦୂରରେ ଅବସ୍ଥିତ। ତାଙ୍କ ଗାଁର ଲୋକସଂଖ୍ୟା ୩୦୦। ପାଠ ପଢ଼ିବା ପାଇଁ ଏଠାରୁ ପିଲାମାନଙ୍କୁ ୭ କିଲୋମିଟର ଦୂର ମାୟାକୋଣ୍ଡାକୁ ଯିବାକୁ ପଡ଼େ। ବିନ୍ଦୁ କହିଛନ୍ତି, ଗାଁର ବୟସ୍କ ଲୋକମାନଙ୍କଠାରୁ ସେ ଶୁଣିଛନ୍ତି ଦେଶ ସ୍ବାଧୀନ ହେବା ପରଠାରୁ ସେମାନେ ଗାଁକୁ ରାସ୍ତା ଏବଂ ବସ୍ ଚଳାଚଳ କରିବାକୁ ଦାବି କରି ଆସୁଛନ୍ତି। ହେଲେ ସେମାନଙ୍କ କଥାକୁ କେହି ଶୁଣିନାହାନ୍ତି। ଏକଥା ବିନ୍ଦୁଙ୍କ ମନରେ ଗଭୀର ରେଖାପାତ କରିଥିଲା। ତେଣୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ସେ ଏଭଳି ପଦକ୍ଷେପ ନେଇଛନ୍ତି ବୋଲି କହିଛନ୍ତି। ଚିଠି ପାଇବା ପରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଦାବଣଗେରେ ଡେପୁଟି କମିସନର୍ ବିନ୍ଦୁଙ୍କ ଗାଁକୁ ଗୁରୁବାର ଗସ୍ତ କରିଥିଲେ। ଗସ୍ତବେଳେ ସେ ୨ କିଲୋମିଟର ଚାଲି ଚାଲି ଯାଇଥିଲେ। ସ୍ଥାନୀୟ ଅଧିକାରୀଙ୍କୁ ତୁରନ୍ତ ରାସ୍ତା ତିଆରି କରବିାକୁ ନିର୍ଦ୍ଦେଶ ଦେଇଥିଲେ। ଆଜିଠାରୁ ବିନ୍ଦୁଙ୍କ ଗାଁର ରାସ୍ତାକାମ ଆରମ୍ଭ ହୋଇଛି।