ନୂଆଦିଲ୍ଲୀ: ବିଶ୍ବରେ ଯାତାୟତ କରିବା ପାଇଁ ବିଭିନ୍ନ ମାଧ୍ୟମ ରହିଛି। ଲୋକେ ଗୋଟେ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ପାଇଁ ବାଇକ୍, କାର୍ ବସ୍, ଟ୍ରେନ୍ ବା ବିମାନ ଉପରେ ନିର୍ଭର କରିଥାନ୍ତି। ବିଭିନ୍ନ ମାଧ୍ୟମରେ ଯିବା ଆସିବା ପାଇଁ ଭିନ୍ନ ଭିନ୍ନ ବାଟ ତିଆରି କରାଯାଇଛି। ଯେମିତି କି ବାଇକ୍, କାର୍ ବସ୍ ପାଇଁ ସଡ଼କ ନିର୍ମାଣ କରାଯାଇଥିବା ବେଳେ ଟ୍ରେନ୍ ପାଇଁ ରେଳ ଧାରଣା ଓ ବିମାନ ପାଇଁ ରନ୍ୱେ ନିର୍ମାଣ କରିଛନ୍ତି ସବୁ ଦେଶର ସରକାର। ହେଲେ ବିଶ୍ବରେ ଏପରି ଏକ ବିମାନବନ୍ଦର ଅଛି ଯେଉଁଠାରେ ବିମାନ ଏବଂ ଟ୍ରେନ୍ ସମାନ ରନୱେ ଦେଇ ଯାତାୟାତ କରନ୍ତି। ଆଜ୍ଞା ହଁ, ଖବରଟି ଆଶ୍ଚର୍ଯ୍ୟ କରୁଥିଲେ ବି ସତ। ଏହା ଏକମାତ୍ର ବିମାନବନ୍ଦର, ଯେଉଁଠାରେ ରେଳ ଲାଇନ ରନୱେର ମଧ୍ୟଭାଗ ଦେଇ ଯାଇଛି। ଏହାର ଅର୍ଥ, ଏଠାରେ ଟ୍ରେନ୍ ମଧ୍ୟ ସେହି ରନୱେ ଦେଇ ଯାଏ ଯେଉଁଠାରୁ ବିମାନ ଉଡ଼ାଣ କରେ। ତେବେ ଆସନ୍ତୁ ଜାଣିବା ଏହି ବିମାନବନ୍ଦର କେଉଁଠାରେ ଅଛି ଏବଂ ଏହାର ନାମ କ'ଣ?
ଜାତୀୟ ଗଣମାଧ୍ୟମ ମୁତାବକ, ନ୍ୟୁଜିଲାଣ୍ଡର ଗିସବର୍ଣ୍ଣ ବିମାନବନ୍ଦରରେ ବିମାନ ଏବଂ ଟ୍ରେନ୍ ଏକାସାଙ୍ଗରେ ଚଳାଚଳ କରୁଥିବାର ଦେଖିବାକୁ ମିଳେ। ଏଠାରେ, ଟ୍ରେନ୍ ଏବଂ ବିମାନଗୁଡ଼ିକ ସମାନ ରନୱେ ବ୍ୟବହାର କରନ୍ତି। ଏହାର ଅର୍ଥ ହେଉଛି ଗିସବର୍ଣ୍ଣ ବିମାନବନ୍ଦରର ରନୱେର ଠିକ୍ ମଝି ଦେଇ ଏକ ରେଳ ଲାଇନ ଯାଇଛି। ଉଭୟ ଟ୍ରେନ୍ ଓ ବିମାନ ସମାନ ବାଟ ବ୍ୟବହାର କରୁଥିଲେ ମଧ୍ୟ କେବେ ଏଠାରେ ଏହି କାରଣରୁ ଦୁର୍ଘଟଣା ହୋଇନାହିଁ। ସମାନ ସମୟରେ କେବେ ବି ଟ୍ରେନ୍ ଓ ବିମାନ ମୁହାଁମୁହିଁ ହୋଇ ଦୁର୍ଘଟଣାଗ୍ରସ୍ତ ହୋଇନାହାନ୍ତି।
ଜଣାଯାଇଛି ଯେ, ଟ୍ରେନଟି ରନୱେ ଅତିକ୍ରମ କରିବା ପୂର୍ବରୁ ଅଟକେ ଏବଂ ବିମାନବନ୍ଦରର ଏୟାର ଟ୍ରାଫିକ୍ କଣ୍ଟ୍ରୋଲ ଟାୱାରରୁ ଅନୁମତି ପାଇଁ ଅପେକ୍ଷା କରେ। ଯଦି କୌଣସି ବିମାନ ଉଡ଼ାଣ କିମ୍ବା ଅବତରଣ କରିବାର ଥିବ, ତେବେ ସେପର୍ଯ୍ୟନ୍ତ ଟ୍ରେନ୍ ଅଟକି ରହିଥାଏ। ଯାତ୍ରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ରନୱେ ଯାତାୟତ ପାଇଁ ପ୍ରସ୍ତୁତ ନହେବା ପର୍ଯ୍ୟନ୍ତ ବିମାନବନ୍ଦର କର୍ମଚାରୀ ଏବଂ ଟ୍ରେନ୍ ଅପରେଟରମାନେ ନିରନ୍ତର ଯୋଗାଯୋଗରେ ରୁହନ୍ତି । ପ୍ରାୟ ୪୦୦ଏକର ପରିମିତ ଗିସବର୍ଣ୍ଣ ବିମାନବନ୍ଦରରେ ଟ୍ରେନ୍ ଓ ବିମାନରେ ଯିବା ପାଇଁ ଯାତ୍ରୀଙ୍କ ଭିଡ଼ ଜମିଥାଏ। ପ୍ରତିବର୍ଷ ୧,୫୦,୦୦୦ରୁ ଅଧିକ ଲୋକ ଏହି ବିମାନବନ୍ଦରରୁ ଯାତ୍ରା କରିଥାନ୍ତି।