ଭଗବତ ଗୀତା ସବୁଠାରୁ ଉପରେ, ଏହାକୁ ଅନ୍ୟ ଧର୍ମଗ୍ରନ୍ଥ ସହ ମିଶାଅ ନାହିଁ : କର୍ଣ୍ଣାଟକ ମନ୍ତ୍ରୀ

ବେଙ୍ଗାଲୁରୁ : କର୍ଣ୍ଣାଟକରେ ଚାଲିଥିବା ବାଇବେଲ ବିବାଦ ଓ ସ୍କୁଲ ପାଠ୍ୟକ୍ରମରେ ଭଗବତ ଗୀତାକୁ ଅନ୍ତର୍ଭୁକ୍ତ କରିବା ପ୍ରସଙ୍ଗରେ ମତ ରଖିଛନ୍ତି ରାଜ୍ୟର ଶିକ୍ଷା ମନ୍ତ୍ରୀ ବିସି ନଗେଶ । ସେ କହିଛନ୍ତି ଯେ ଭଗବତ ଗୀତାର ସ୍ଥାନ ସବୁଠାରୁ ଉପରେ । ଏହା ଏକ ଧର୍ମଗ୍ରନ୍ଥ ନୁହେଁ, କାରଣ ଏହା କୌଣସି ନିର୍ଦ୍ଦିଷ୍ଟ ଧର୍ମ ପଦ୍ଧତି ପାଳନ କରିବା ଶିଖାଏ ନାହିଁ, କିପରି ପ୍ରାର୍ଥନା କରାଯିବ ଏହା ଶିଖାଏ ନାହିଁ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ପିଲାମାନଙ୍କ ନୈତିକ ମନୋବଳ ବୃଦ୍ଧି କରୁଥିବା ଯେ କୌଣସି ଶିକ୍ଷା ଦେବାକୁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି ।

ବେଙ୍ଗାଲୁରୁର କ୍ଲେରାନ୍ସ ସ୍କୁଲ ପକ୍ଷରୁ ନିଜ ପାଠ୍ୟକ୍ରମରେ ବାଇବେଲକୁ ଅନ୍ତର୍ଭୁକ୍ତ କରିବାକୁ ନେଇ ରାଜ୍ୟରେ ବିବାଦ ସୃଷ୍ଟି ହୋଇଛି । ଏହାକୁ ନେଇ ରାଜ୍ୟ ସରକାର ସ୍କୁଲ କର୍ତ୍ତୃପକ୍ଷଙ୍କୁ ନୋଟିସ ଜାରି କରିଛନ୍ତି । ଗତ ୨୬ ତାରିଖରେ ରାଜ୍ୟର ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ବିଭାଗ ପକ୍ଷରୁ ସଂପୃକ୍ତ ସ୍କୁଲକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ସ୍କୁଲର ଜବାବ ମିଳିବା ପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

ବିବାଦଟି ଗତ ୨୫ ତାରିଖରେ ଆରମ୍ଭ ହୋଇଥିଲା, ଯେତେବେଳେ ସ୍କୁଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଅଭିଭାବକମାନଙ୍କୁ ଏକ ପ୍ରତିଶ୍ରୁତି ପତ୍ରରେ ସ୍ବାକ୍ଷର କରିବାକୁ କୁହାଗଲା ଯେ ସେମାନଙ୍କ ପିଲାମାନେ ବାଇବେଲ ଧରି ସ୍କୁଲକୁ ଆସିଲେ ସେମାନେ ବିରୋଧ କରିବେ ନାହିଁ ।

ସମ୍ବନ୍ଧିତ ଖବର