ନୂଆଦିଲ୍ଲୀ: ଶୁକ୍ରବାର ୟୁନେସ୍କୋର ‘ମେମୋରି ଅଫ୍ ଦି ୱାର୍ଲ୍ଡ ରେଜିଷ୍ଟର’ରେ ଭଗବତ୍ ଗୀତା ଓ ଭରତମୁନିଙ୍କ ନାଟ୍ୟଶାସ୍ତ୍ରକୁ ସାମିଲ କରାଯାଇଛି। ଏହି ପଦକ୍ଷେପ ସହିତ ୧୯୯୨ ମସିହାରେ ସ୍ଥାପିତ ହୋଇଥିବା ଏହି ଅନ୍ତର୍ଜାତୀୟ ରେଜିଷ୍ଟରରେ ଭାରତର ଏବେ ୧୪ଟି ଏଣ୍ଟ୍ରି ରହିଛି। ଏହି ସୂଚନା ପ୍ରକାଶ ପାଇବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଏହା ବିଶ୍ୱର ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏକ ଗର୍ବର ମୁହୂର୍ତ୍ତ। ୟୁନେସ୍କୋର ‘ମେମୋରି ଅଫ୍ ଦି ୱାର୍ଲ୍ଡ ରେଜିଷ୍ଟର’ରେ ଗୀତା ଓ ନାଟ୍ୟଶାସ୍ତ୍ରକୁ ଅନ୍ତର୍ଭୁକ୍ତ କରିବା ଆମର କାଳଜୟୀ ଜ୍ଞାନ ଓ ସମୃଦ୍ଧ ସଂସ୍କୃତିର ବିଶ୍ୱସ୍ତରୀୟ ସ୍ୱୀକୃତି। ଭଗବତ୍ ଗୀତା ଓ ନାଟ୍ୟଶାସ୍ତ୍ର ଶତାବ୍ଦୀ ଧରି ସଭ୍ୟତା ଓ ଚେତନାକୁ ପୋଷଣ ଦେଇଆସିଛି। ଏହାର ଅନ୍ତର୍ଦୃଷ୍ଟି ସାରା ବିଶ୍ୱକୁ ପ୍ରେରଣା ଦେଉଛି।
ୟୁନେସ୍କୋର ରେଜିଷ୍ଟରରେ ୨୦୦୭ରେ ପୁଣେର ଭଣ୍ଡାରକର ଓରିଏଣ୍ଟାଲ ରିସର୍ଚ୍ଚ ଇନ୍ଷ୍ଟିଚ୍ୟୁଟ୍ (ବିଓଆର୍ଆଇ)ର ଅଭିଲେଖାଗାରରୁ ଋଗ୍ବେଦର ୩୦ଟି ପାଣ୍ଡୁଲିପି, ୨୦୦୫ରେ ପଣ୍ଡିଚେରୀର ଶୈବ ପାଣ୍ଡୁଲିପି, ୨୦୧୭ରେ ଗିଲଗିଟ୍ ପାଣ୍ଡୁଲିପି ଓ ୨୦୨୩ରେ ମୈତ୍ରେୟ ବ୍ୟାକରଣ ତାଲିକାଭୁକ୍ତ ହୋଇଥିଲା। ୟୁନେସ୍କୋରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ବିଶାଲ ଭି ଶର୍ମା ଓ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଏହି ଘୋଷଣା କରିଛନ୍ତି। ଏହି କାଳଜୟୀ କୃତିଗୁଡ଼ିକ ସାହିତ୍ୟିକ ସମ୍ପଦଠାରୁ ଅଧିକ, ଯାହା ଭାରତର ବିଶ୍ୱଦୃଷ୍ଟିକୁ ଆକାର ଦେଇଛି ବୋଲି ଶେଖାୱତ୍ କହିଛନ୍ତି। ୧୮ଟି ଅଧ୍ୟାୟରେ ୭୦୦ ଶ୍ଳୋକବିଶିଷ୍ଟ ଭଗବତ୍ ଗୀତା ମହାଭାରତର ଭୀଷ୍ମପର୍ବ (ଅଧ୍ୟାୟ ୨୩-୪୦)ର ଅନ୍ତର୍ଭୁକ୍ତ। ଏହା ନିଷ୍କାମ କର୍ମ ଓ ଧର୍ମ (କର୍ତ୍ତବ୍ୟ)ର ପାଳନ ବିଷୟରେ ଶିକ୍ଷା ଦେଇ ପିଢ଼ି ପରେ ପିଢ଼ିକୁ ପ୍ରଭାବିତ କରିଆସିଛି। ଭଣ୍ଡାରକର ଓରିଏଣ୍ଟାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ରେ ସଂରକ୍ଷିତ ଏବଂ ଖ୍ରୀଷ୍ଟପୂର୍ବ ଦ୍ବିତୀୟ ଶତାବ୍ଦୀରେ ରଚିତ ନାଟ୍ୟଶାସ୍ତ୍ର, ଅଭିନୟ କଳାର ଏକ ମୌଖିକ ପରମ୍ପରା ନାଟ୍ୟବେଦ ସହିତ ଜଡିତ। ଗାନ୍ଧର୍ବବେଦ ନାମରେ ପରିଚିତ ୩୬,୦୦୦ ଶ୍ଳୋକକୁ ନେଇ ଗଠିତ ନାଟ୍ୟଶାସ୍ତ୍ରରେ ନାଟକ, ଅଭିନୟ, ରସ, ଭାବ ଓ ସଙ୍ଗୀତର ନୀତି ରଚନା କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/04/19/SV8NNcQ2RhZ6EWkx4fFT.jpg)