ପାନ୍‌ କାର୍ଡରେ ବାପାଙ୍କ ନାମର ବିକଳ୍ପ ରଖାଯାଉ: ଅର୍ଥ ମନ୍ତ୍ରାଳୟକୁ ମେନକା ଗାନ୍ଧୀଙ୍କ ପତ୍ର

ନୂଆଦିଲ୍ଲୀ: ସ୍ୱାମୀଙ୍କ ଠାରୁ ଅଲଗା ହୋଇ ଯାଇଥିବା କିଂବା ଛାଡ଼ପତ୍ର ପାଇଥିବା ମହିଳାମାନଙ୍କର ବା ଏକାକିନୀ ମାଆମାନଙ୍କର ପିଲାଏ ପାନ୍‌ କାର୍ଡ ଆବେଦନ ପତ୍ରରେ ଯଦି ନିଜ ପିତାଙ୍କ ନାମ ଉଲ୍ଲେଖ କରିବାକୁ ଚାହୁଁ ନ ଥିବେ ସେମାନଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା ରହୁ ବୋଲି ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ଇଚ୍ଛା ପ୍ରକାଶ କରିଥିବା କଥା ଜଣେ ଅଧିକାରୀ କହିଛନ୍ତି।

ସମ୍ପ୍ରତି ପାନ୍‌ କାର୍ଡରେ ବାପାଙ୍କ ନାମ ଉଲ୍ଲେଖ କରିବା ବାଧ୍ୟତାମୂଳକ। ଏହା ପରିଚୟ ପ୍ରମାଣପତ୍ର ଭାବେ ମଧ୍ୟ କାମରେ ଲାଗେ।
ଏ ସପ୍ତାହର ପ୍ରଥମରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ମେନକା ଗାନ୍ଧୀ ଏ ସଂକ୍ରାନ୍ତରେ ଅର୍ଥମନ୍ତ୍ରୀ ପୀୟୂଷ ଗୋୟଲ୍‌ଙ୍କୁ ପତ୍ର ଲେଖିଛନ୍ତି। ଏକାକିନୀ ମାଆମାନଙ୍କ ପିଲାଙ୍କ ସୁବିଧା ପାଇଁ ସରକାର ପାନ୍‌ ଆବେଦନ ପତ୍ରର ପୁନଃ-ପରୀକ୍ଷା କରନ୍ତୁ ବୋଲି ସେ କହିଛନ୍ତି।

ଗାନ୍ଧୀ ଯୁକ୍ତି ବାଢ଼ିଛନ୍ତି ଯେ, କେତେକ କାରଣରୁ ଅନେକ ଏକାକିନୀ ମହିଳା ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ ଦଲିଲପତ୍ରରେ ନିଜର ପୂର୍ବତନ ସ୍ୱାମୀଙ୍କ ନାମ ଉଲ୍ଲେଖ କରିବାକୁ ଚାହୁଁ ନାହାନ୍ତି।

ସେ ଆହୁରି ମଧ୍ୟ ଲେଖିଛନ୍ତି କି, ଏକାକିନୀ ମାଆମାନେ ପୋଷ୍ୟ ସନ୍ତାନ ମଧ୍ୟ ଗ୍ରହଣ କରୁଛନ୍ତି ଏବଂ ତାଙ୍କ ମନ୍ତ୍ରାଳୟ ଏଭଳି ମାମଲାକୁ ଗୁରୁତ୍ୱ ଦେଉଛି। ଏ କ୍ଷେତ୍ରରେ ପାନ୍‌ ନମ୍ବର ପାଇଁ ଆବେଦନ କରୁଥିବା ପିଲାଟିର ବାପା ନ ଥାଆନ୍ତି।

ଅର୍ଥମନ୍ତ୍ରାଳୟ ଗାନ୍ଧୀଙ୍କ ଅନୁରୋଧ ପ୍ରତି ସମ୍ମତି ଜଣାଇଛନ୍ତି। ଏକାକିନୀ ମାଆମାନଙ୍କ ପାଇଁ ସାମ୍ପ୍ରତିକ ଆଇନ୍‌ ପରିବର୍ତ୍ତନ କରାଯିବାରେ ଏହା ହେବ ଦ୍ୱିତୀୟ ଘଟଣା।

ସମ୍ବନ୍ଧିତ ଖବର