ନୂଆଦିଲ୍ଲୀ: ଗତ ଡିସେମ୍ବର ମାସରେ ସଂସଦ ସୁରକ୍ଷା ଉଲ୍ଲଂଘନ ଘଟଣାରେ ଗିରଫ ହୋଇଥିବା ଅଭିଯୁକ୍ତମାନେ ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ୍ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ଅପରାଧ ସ୍ୱୀକାର କରିବା ଏବଂ ବିରୋଧୀ ରାଜନୈତିକ ଦଳର ନାମ ନେବା ପାଇଁ ସେମାନଙ୍କୁ ନିର୍ଯାତନା ଦିଆଯିବା ସହ ସେମାନଙ୍କ ଉପରେ ବଳପ୍ରୟୋଗ କରାଯାଇଥିଲା ବୋଲି ସେମାନେ ଅଭିଯୋଗ କରିଛନ୍ତି।
ସଂସଦ ସୁରକ୍ଷା ଉଲ୍ଲଂଘନ ଘଟଣାରେ ଡିସେମ୍ବର ମାସରେ ସାଗର ଶର୍ମା, ମନୋରଞ୍ଜନ ଡି, ଅମୋଲ ସିନ୍ଦେ, ନୀଲମ ଆଜାଦ, ଲଳିତ ଝା ଏବଂ ମହେଶ କୁମାୱତଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ସାଗର ଶର୍ମା ଓ ମନୋରଂଜନ ଡି ଲୋକସଭାର ପବ୍ଲିକ ଗ୍ୟାଲେରିରୁ ସାଂସଦମାନେ ବସିଥିବା ଅଞ୍ଚଳକୁ ଡେଇଁ ପଡ଼ିଥିଲେ। ଏଥିନେଇ ଲୋକସଭାରେ ବିଶୃଙ୍ଖଳା ସୃଷ୍ଟି ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ନୀଲମ ଆଜାଦ ଓ ଅମୋଲ ସିନ୍ଦେ ସଂସଦ ପରିସର ବାହାରେ ରଙ୍ଗିନ ଗ୍ୟାସ ଫ୍ରନ୍ କ୍ୟାନିଷ୍ଟର ସ୍ପ୍ରେ କରିବା ସହ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ।
ବୁଧବାର ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ଶୁଣାଣି ବେଳେ ନୀଲମ ଆଜମଙ୍କ ବ୍ୟତୀତ ଅନ୍ୟ ସମସ୍ତ ଅଭିଯୁକ୍ତ ପୁଲିସ ଦ୍ୱାରା ନିର୍ଯାତନା ଅଭିଯୋଗ ଆଣି ଏକ ଆବେଦନ ଦାଖଲ କରିଥିଲେ। ଏହାପରେ କୋର୍ଟ ଦିଲ୍ଲୀ ପୁଲିସର ସ୍ପେଶାଲ ସେଲଠାରୁ ଜବାବ ମାଗିଛନ୍ତି ଏବଂ ଶୁଣାଣି ଆସନ୍ତା ଫେବ୍ରୁଆରି ୧୭ ତାରିଖକୁ ଧାର୍ଯ୍ୟ କରିଛନ୍ତି।
ଚଳିତ ମାସ ପ୍ରାରମ୍ଭରେ ବିଚାର ବିଭାଗୀୟ ହାଜତକୁ ପଠାଇବା ପର୍ଯ୍ୟନ୍ତ ସମସ୍ତ ଅଭିଯୁକ୍ତ ଦିଲ୍ଲୀ ପୁଲିସ ସ୍ପେଶାଲ ସେଲ୍ର ହେପାଜତରେ ଥିଲେ। ପ୍ରତ୍ୟେକ ଅଭିଯୁକ୍ତଙ୍କୁ ପ୍ରାୟ ୭୦ ଟି ସାଦା କାଗଜରେ ଦସ୍ତଖତ କରିବାକୁ ବାଧ୍ୟ କରାଯାଇଥିବା ଅଭିଯୋଗ ହୋଇଛି। ବିଶେଷକରି ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (ୟୁଏପିଏ) ଅଧୀନରେ ଅପରାଧ ସ୍ୱୀକାର କରିବା ଏବଂ ବିରୋଧୀ ରାଜନୈତିକ ଦଳମାନଙ୍କ ସହ ସମ୍ପର୍କ ଦାବି କରିବା ପାଇଁ ସେମାନଙ୍କୁ ନିର୍ଯାତନା ଏବଂ ବିଦ୍ୟୁତ କରେଣ୍ଟ ଦିଆଯାଇଥିଲା ବୋଲି ଅଭିଯୁକ୍ତମାନେ ଅଭିଯୋଗ କରିଛନ୍ତି।