ଚେନ୍ନାଇ: ତାମିଲନାଡୁ ବିଜେପି ସଭାପତି ନୈନାର ନାଗେନ୍ଥିରନ୍ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନଙ୍କ ରାଜ୍ୟ ପାଇଁ ସ୍ୱୟଂଶାସନ କ୍ଷମତା ଓ ରାଜ୍ୟର ଅଧିକାର ପୁନରୁଦ୍ଧାର ପାଇଁ ସୁପାରିସ କରିବାକୁ ଏକ ଉଚ୍ଚସ୍ତରୀୟ କମିଟି ନିଯୁକ୍ତ କରିବା ପ୍ରସ୍ତାବକୁ ସମାଲୋଚନା କରିଛନ୍ତି। ରାଜ୍ୟ ବିଜେପି ସଭାପତି ଅଭିଯୋଗ କରିଛନ୍ତି ଯେ ରାଜ୍ୟସ୍ତରରେ ଅଧିକ କ୍ଷମତା ପାଇଁ ଡିଏମ୍କେର ଦାବି ଦଳ ଭିତରେ କ୍ଷମତା କେନ୍ଦ୍ରୀଭୂତ କରିବାର ପ୍ରୟାସ। ରାଜ୍ୟ ସ୍ୱୟଂଶାସନ ସମ୍ପର୍କିତ ନିୟମ ୧୧୦ ଅନୁଯାୟୀ ମୁଖ୍ୟମନ୍ତ୍ରୀ ଆଣିଥିବା ସଂକଳ୍ପକୁ ଆମେ ବିଚ୍ଛିନ୍ନତାବାଦୀ କାର୍ଯ୍ୟ ଭାବେ ଦେଖୁଛୁ। ଡିଏମ୍କେ ମୂଳତଃ ନିଜ ପାଇଁ ସମସ୍ତ କ୍ଷମତା ଚାହୁଛି ବୋଲି ନାଗେନ୍ଥିରନ୍ କହିଛନ୍ତି।
ଡାକ୍ତରୀ ପ୍ରବେଶିକା ପରୀକ୍ଷା ନିଟ୍ ବିଷୟରେ ଉଲ୍ଲେଖ କରି ନାଗେନ୍ଥିରନ୍ ଦାବି କରିଛନ୍ତି ନିଟ୍ ପରୀକ୍ଷା ବ୍ୟବସ୍ଥା ଲାଗୁ ହେବା ପରଠାରୁ ଛାତ୍ରଛାତ୍ରୀମାନେ ମେରିଟ୍ ଆଧାରରେ ମେଡିକାଲରେ ନାମ ଲେଖାଉଛନ୍ତି। ପୂର୍ବରୁ ଗୋଟିଏ ସିଟ୍ ପାଇଁ ୨ କୋଟି ଟଙ୍କା ପର୍ଯ୍ୟନ୍ତ ଲାଞ୍ଚ ଦେବାକୁ ପଡ଼ୁଥିଲା। ଇନ୍ଦିରା ଗାନ୍ଧୀ ପ୍ରଧାନମନ୍ତ୍ରୀ ଥିବା ସମୟରେ ଶିକ୍ଷାକୁ ରାଜ୍ୟ ତାଲିକାରୁ କେନ୍ଦ୍ର-ରାଜ୍ୟ ତାଲିକାକୁ ସ୍ଥାନାନ୍ତର କରିଥିଲେ। କରୁଣାନିଧି ମୁଖ୍ୟମନ୍ତ୍ରୀ ଥିବା ବେଳେ ରାଜ୍ୟପାଳଙ୍କୁ ଅଧିକ କ୍ଷମତା ଦିଆଯିବା ଉଚିତ ବୋଲି ଏକ ସଂକଳ୍ପ ପାରିତ କରିଥିଲେ। ଏବେ ସେମାନେ କହୁଛନ୍ତି ରାଜ୍ୟପାଳଙ୍କ ପାଖରେ କୌଣସି କ୍ଷମତା ରହିବା ଉଚିତ ନୁହେଁ। ଅନ୍ୟପକ୍ଷରେ ବିଜେପି ବିଧାୟିକା ତଥା ଜାତୀୟ ମହିଳା ମୋର୍ଚା ସଭାନେତ୍ରୀ ବନତି ଶ୍ରୀନିବାସନ କହିଛନ୍ତି ଯେ ଡିଏମ୍କେ ଯେତେବେଳେ ବି ସଙ୍କଟରେ ପଡ଼େ ସେତେବେଳେ ସ୍ୱାୟତ୍ତତା ପାଇଁ ଆହ୍ୱାନ ଦେଇଥାଏ।