ନୂଆଦିଲ୍ଲୀ: ଅକ୍ଟୋବର ୪ ତାରିଖ ସକାଳେ ଉତ୍ତର ସିକ୍କିମର ଦକ୍ଷିଣ ଲୋନାକ ଗ୍ଲାସିୟାଲ (ହିମବାହ-ନିର୍ଭର) ହ୍ରଦ ଉଛୁଳିବା ଦ୍ବାରା ତଳମୁଣ୍ଡରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ପ୍ରମୁଖ ରାଜପଥ ଏବଂ ବସତିଗୁଡିକ ଧୋଇ ଯାଇଥିଲା। ଗ୍ଲାସିଆଲ୍ ହ୍ରଦଗୁଡିକ ହିମଶୈଳ ତରଳିବା ହେତୁ ସୃଷ୍ଟି ହୋଇଥାଏ ଏବଂ ଏହା ଜୀବାଶ୍ମ ଓ ଲ୍ୟାଣ୍ଡମାସ୍ ଗଠନ ସହିତ ମୂଲ୍ୟବାନ ଭୌଗୋଳିକ ସୂଚନା ଧାରଣ କରେ।
ହିମଶୈଳଗୁଡିକ ତରଳି ବୋହିବା ସମୟରେ ପାର୍ବତ୍ୟ ପୃଷ୍ଠକୁ କିଛିକିଛି ଖୋଳି କୁଞ୍ଚିତ କରିଦିଏ। ମୋରେନ ନାମକ ଗ୍ଲେସିୟର ଦ୍ୱାରା ବିସ୍ଥାପିତ ଆବର୍ଜନାଗୁଡ଼ିକ ପ୍ରାୟତଃ ଜମା ହୋଇ ପ୍ରାକୃତିକ ବନ୍ଧ ସୃଷ୍ଟି କରିଥାଏ ଯାହା ଗ୍ଲେସିୟରର ନିମ୍ନଦେଶରୁ ତରଳ ଜଳ ପ୍ରବାହିତ ହେବାକୁ ରୋକିଥାଏ। ଏହା ସିକ୍କିମରେ ଦକ୍ଷିଣ ଲୋନାକ ହ୍ରଦ ପରି ମୋରେନ-ବନ୍ଧିତ ଗ୍ଲାସିୟାଲ ହ୍ରଦକୁ ଜନ୍ମ ଦେଇଥାଏ, ଯାହା ଉଛୁଳିଲେ ସିକ୍କିମରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥାଏ। ସମସ୍ତ ପ୍ରକାରର ଗ୍ଲାସିଆଲ୍ ହ୍ରଦର ସ୍ଥିରତା ଏହି ଅଞ୍ଚଳର ପାଣିପାଗ ଅବସ୍ଥା ଉପରେ ନିର୍ଭର କରେ। କିନ୍ତୁ ମୋରେନ୍-ବନ୍ଧିତ ଗ୍ଲାସିୟାଲ୍ ହ୍ରଦଗୁଡିକରେ, ହାଲୁକା ଆବର୍ଜନାଗୁଡ଼ିକ ସହଜରେ ସ୍ଥାନ ପରିବର୍ତ୍ତନ କରି ଲିକେଜ୍ ସୃଷ୍ଟି କରିଥାଏ ଏବଂ କେତେକ କ୍ଷେତ୍ରରେ ଉଛୁଳି ଡାଉନ୍ଷ୍ଟ୍ରିମ୍ରେ ବ୍ୟାପକ ବନ୍ୟା ପରିସ୍ଥିତି ସୃଷ୍ଟି କରିଥାଏ।
ଏହି ହ୍ରଦଗୁଡିକର ଶଯ୍ୟା ଖଣିଜ ପଦାର୍ଥ ଏବଂ ଜୈବିକ ପଙ୍କରେ ଭରପୂର। ଏଗୁଡିକ ଯୁଗ ଯୁଗ ଧରି ସଂରକ୍ଷିତ ହୋଇ ରହିଥାଏ ଏବଂ ହ୍ରଦ ଉଛୁଳିବା ହେତୁ କିଛି ଖଣିଜ ଓ ଜୈବିକ ପଦାର୍ଥ ଜଳପ୍ରବାହ ସହ ବାହାରକୁ ବୋହିଯାଇପାରେ। ମୋରେନ୍-ବନ୍ଧିତ ଏବଂ ବରଫ-ବନ୍ଧିତ ହ୍ରଦଗୁଡ଼ିକରେ ଭାର୍ଭ (ଅବକ୍ଷିପ୍ତ ଶିଳା) ଭଳି ପ୍ରାଚୀନ ପଦାର୍ଥ ରହିପାରେ। ଭୌତିକ ଭୂଗୋଳର ବରିଷ୍ଠ ଅଧ୍ୟାପକ ବେଥାନ୍ ଡେଭିସ୍ କହିଛନ୍ତି ଯେ, ଏହି ଭାର୍ଭଗୁଡ଼ିକ ଆମକୁ ଅତୀତର ଜଳବାୟୁ ଏବଂ ହିମବାହ ବିଷୟରେ ସୂଚନା ଦେଇପାରେ କାରଣ ଭାର୍ଭର ଘନତା ଏହି ଭେରିଏବଲ୍ସ ସହିତ ଜଡିତ। ଏଥିରୁ ପ୍ରାଚୀନ ପରିବେଶ କିମ୍ବା ଜଳବାୟୁ କିପରି ଥିଲା ତାହା ବୁଝାପଡ଼ିପାରେ ବୋଲି ବେଥାନ କହିଛନ୍ତି। ତେବେ ସିକ୍କିମରେ ଜଳବିଦ୍ୟୁତ୍ ଉତ୍ପାଦନ ପାଇଁ ଯେଉଁ ବନ୍ଧ ନିର୍ମାଣ କରାଯାଇଛି, ତାହା ଏବେ ବିପଦ ସୃଷ୍ଟି କରୁଥିବା ଜଣାପଡ଼ିଛି। ଏହି ବନ୍ଧ ନିର୍ମାଣ ଦ୍ବାରା ପରିବେଶ ପ୍ରତି ଅନ୍ୟାୟ ହୋଇଛି ବୋଲି ଏବେ କୁହାଯାଉଛି। ଅର୍ଥନୈତିକ ଅଭିବୃଦ୍ଧି ଓ ବିକାଶ ନାଁରେ ଏହି ହିମାଳୟ-ସଂଲଗ୍ନ ରାଜ୍ୟରେ ବୃହତ୍ ଜଳବିଦ୍ୟୁତ୍ ପ୍ରକଳ୍ପମାନ ନିର୍ମାଣ କରାଯାଉଛି। ତିସ୍ତା, ଗଙ୍ଗା, ବ୍ରହ୍ମପୁତ୍ର, ମେକଙ୍ଗ ପରି ନଦୀରେ ବନ୍ଧ ନିର୍ମାଣ ଦ୍ବାରା ନଦୀଗୁଡ଼ିକରେ ସ୍ବାଭାବିକ ଜଳପ୍ରବାହ ପ୍ରଭାବିତ ହୋଇଛି। ଏହା ନଦୀ ଅବବାହିକାରେ ବାସ କରୁଥିବା ଲୋକମାନଙ୍କର ପ୍ରଭୂତ କ୍ଷତିସାଧନ କରୁଛି ବୋଲି ପରିବେଶବିତ୍ମାନେ ପ୍ରକାଶ କରିଛନ୍ତି।