ନୂଆଦିଲ୍ଲୀ : ଉତ୍ତରାଖଣ୍ଡରେ ପୁଣି ପ୍ରାକୃତିକ ବିପର୍ଯ୍ୟୟ। ଆଜି ସକାଳେ ଚାମୋଲି ଜିଲ୍ଲାର ତପୋବନ ଅଞ୍ଚଳରେ ନନ୍ଦା ଦେବୀ ଗ୍ଲାସିୟରର ଗୋଟିଏ ଅଂଶ ଭୁଶୁଡ଼ି ପଡ଼ିବାରୁ (ହିମସ୍ଖଳନ) ୧୭୦ରୁ ଅଧିକ ଲୋକ ଭାସି ଯାଇଥିବାର ଆଶଙ୍କା କରାଯାଉଛି। ବର୍ତମାନ ସୁଦ୍ଧା ୧୦ ଜଣଙ୍କର ଶବ ଉଦ୍ଧାର କରାଯାଇଥିବା ବେଳେ ୧୫୦ରୁ ଅଧିକ ନିଖୋଜ ଅଛନ୍ତି। ଋଷିଗଙ୍ଗା ନଦୀରେ ନିର୍ମାଣାଧୀନ ଏକ ବିଦ୍ୟୁତ୍‌ ପ୍ରକଳ୍ପ ଭାସିଯାଇଥିବାରୁ ଏଥିରେ କାର୍ଯ୍ୟରତ ୧୫୦ ଜଣ ଶ୍ରମିକ ମଧ୍ୟ ଭାସିଯାଇଛନ୍ତି। ଏହାସହିତ ଉକ୍ତ ନଦୀ କୂଳରେ ଥିବା ଅନେକ ଗାଁ ମଧ୍ୟ ନଦୀ ସ୍ରୋତରେ ଭାସିଯାଇଥିବାର ଆଶଙ୍କା କରାଯାଉଛି। ଆଇଟିବିପିର ଯବାନଙ୍କ ସମେତ ଭାରତୀୟ ବାୟୁସେନା, ସ୍ଥଳସେନା ଓ ଏନ୍‌ଡିଆର୍‌ଏଫ୍‌ ଦଳକୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି। ଏହି ଅଘଟଣ ପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଅପରପକ୍ଷେ, ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ ପାଣ୍ଠିରୁ ୨ ଲକ୍ଷ ଟଙ୍କା ଓ ଗୁରୁତର ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରାଯାଇଛି। ସେହିପରି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାଵତ ମଧ୍ୟ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି।

Advertisment

ଭାରତୀୟ ସେନା ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ଆଜି ସକାଳେ ଋଷିଗଙ୍ଗା ନଦୀର ଉପରମୁଣ୍ଡରେ ରହିଥିବା ଚାମୋଲି ଜିଲ୍ଲାର ଯୋଶୀମଠ ଠାରେ ଏକ ବିଶାଳ ହିମଶୈଳ (ନନ୍ଦାଦେବୀ ଗ୍ଲାସିୟର) ହଠାତ୍ ଫାଟିଯାଇଥିଲା। ହିମସ୍ଖଳନ ଯୋଗୁଁ ଦିନ ସାଢ଼େ ୧୦ଟା ବେଳକୁ ଋଷିଗଙ୍ଗାରେ ପ୍ରବଳ ବନ୍ୟା ଆସିଥିଲା। ଏଥି ଯୋଗୁଁ ଉକ୍ତ ନଦୀର ରାଇନି ଗାଁ ନିକଟରେ ନିର୍ମାଣାଧୀନ ଏକ ଜଳବିଦ୍ୟୁତ୍‌ କେନ୍ଦ୍ର ସମ୍ପୂର୍ଣ୍ଣ ଧ୍ବଂସ ହୋଇଯିବା ସହ ସେଠାରେ କାର୍ଯ୍ୟରତ ୧୫୦ରୁ ଅଧିକ ଶ୍ରମିକ ହିମସ୍ରୋତରେ ନିଖୋଜ ହୋଇଯାଇଥିଲେ। ଶତାଧିକ ଘର ସଂପୂର୍ଣ୍ଣ ଧ୍ବସ୍ତ ହୋଇଯାଇଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି। ସେହିପରି ତଳମୁଣ୍ଡରେ ଋଷିଗଙ୍ଗା ମିଶିଥିବା ଧଉଳିଗଙ୍ଗା ନଦୀରେ ମଧ୍ୟ ବନ୍ୟା ମାଡ଼ି ଆସିଥିଲା। ଫଳରେ ସ୍ଥାନୀୟ ଅଞ୍ଚଳର ୫ ଜଣ ଲୋକଙ୍କ ସମେତ ସେମାନଙ୍କର ୩୦୦ରୁ ଅଧିକ ଛେଳି ଓ ମେଣ୍ଢା ପଲ ଭାସିଯାଇଥିଲେ। ତେବେ ଚମୋଲିର ତପୋବନ ନିକଟ ଏକ ଟନେଲ୍‌ରେ ଫସି ରହିଥିବା ୧୬ ଜଣ ଲୋକଙ୍କୁ ଆଇଟିବିପି ଯବାନମାନେ ଉଦ୍ଧାର କରିଥିଲେ। ସେହିପରି ଅନ୍ୟ ନିଖୋଜମାନଙ୍କୁ ଉଦ୍ଧାର କରିବା ଲାଗି ଆଇଟିବିପିର ୨୫୦ ଯବାନଙ୍କ ସମେତ ଭାରତୀୟ ବାୟୁସେନାର ତିନିଟି ହେଲିକପ୍ଟର ନିୟୋଜିତ ଅଛନ୍ତି। ସେହିପରି ଏନ୍‌ଡିଆର୍‌ଏଫ୍‌ ଦଳ ସହ ରାଜ୍ୟ ପୁଲିସ ଓ ରାଜ୍ୟ ଦୁର୍ବିପାକ ପରିଚାଳନା ବଳର ସଦସ୍ୟମାନେ ମଧ୍ୟ ଉପକୂଳବାସୀମାନଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି।