କରୋନା ଚିକିତ୍ସା ପାଇଁ ବ୍ୟବହାର ହେଉଥିବା ଫାବିପିରାଭିରର ମୂଲ୍ୟ ହ୍ରାସ କଲା ଗ୍ଲେନମାର୍କ

ନୂଆଦିଲ୍ଲୀ : କରୋନା ସଂକ୍ରମଣ ଚିକିତ୍ସା କ୍ଷେତ୍ରରେ ଉପଯୋଗୀ ସାବ୍ୟସ୍ତ ହେଉଥିବା ଔଷଧ ଫାବିପିରାଭିରର ମୂଲ୍ୟ ହ୍ରାସ କରିଛି ଗ୍ଲେନମାର୍କ ଫାର୍ମାସୁଟିକାଲ୍ସ । ପ୍ରତି ଟାବଲେଟ ମୂଲ୍ୟ ପୂର୍ବରୁ ୧୦୩ ଟଙ୍କା ଥିବାବେଳେ ଏବେ ତାହା ୭୫ ଟଙ୍କାକୁ ଖସିଆସିଛି । ଏହି ହ୍ରାସ ପରେ ଏହି ଔଷଧର ୧୪ ଦିନିଆ କୋର୍ସର ମୂଲ୍ୟ ୧୪୦୦୦ ଟଙ୍କାରୁ ୧୦,୨୦୦ ଟଙ୍କାକୁ ଖସିଆସିଛି । ଫାବିଫ୍ଲୁ ବ୍ରାଣ୍ଡ ନାମରେ ବିକ୍ରି ହେଉଥିବା ଏହି ଔଷଧକୁ ଜୁନ ୨୧ ତାରିଖରେ ଭାରତୀୟ ବଜାରରେ ଲଞ୍ଚ୍‌ କରାଯାଇଥିଲା ।

ଗତ ଜୁନ ମାସରେ ଭାରତୀୟ ଔଷଧ ମହାନିୟନ୍ତ୍ରକ (ଡିସିଜିଆଇ) ଜରୁରୀକାଳୀନ ବ୍ୟବହାର ପାଇଁ ଏହି ଔଷଧକୁ ଅନୁମତି ଦେଇଥିଲେ । ତେବେ କେବଳ ଡାକ୍ତର ରୋଗୀଙ୍କୁ ଏହି ଔଷଧ ଦେଇପାରିବେ ଓ ରୋଗୀଙ୍କୁ ଏହି ଔଷଧ ଦିଆଯିବା ପୂର୍ବରୁ ତାଙ୍କର ଲିଖିତ ଅନୁମତି ନେବାକୁ ହେବ । କୋଭିଡ-୧୯ ପଜିଟିଭ ରୋଗୀଙ୍କ ଚିକିତ୍ସା ଲାଗି ଏହି ଔଷଧର ଉପଯୋଗିତା ସଂପର୍କରେ ସୀମିତ ତଥ୍ୟ ଥିବାରୁ ଡିସିଜିଆଇ ଏହି ଗାଇଡଲାଇନ ଜାରି କରିଛନ୍ତି ।
ଗ୍ଲେନମାର୍କ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ ରୋଗୀମାନଙ୍କ ଉପରେ ଏହି ଔଷଧର ପ୍ରଭାବ ସଂପର୍କରେ କମ୍ପାନି ପୋଷ୍ଟ ମାର୍କେଟିଂ ସର୍ଭେଲାନ୍ସ (ପିଏମଏସ) ଅଧ୍ୟୟନ କରୁଛି । ଏହି ଔଷଧ ସେବନ କରୁଥିବା ପ୍ରାୟ ୧୦୦୦ ରୋଗୀଙ୍କ ଉପରେ କମ୍ପାନିର ବିଶେଷଜ୍ଞ ଦଳ ଅନୁଧ୍ୟାନ କରୁଛନ୍ତି ।

ସମ୍ବନ୍ଧିତ ଖବର