ବିଶ୍ୱରେ ବିପଦଜନକ ମାଇଲଖୁଣ୍ଟରେ ପହଞ୍ଚିଲା କରୋନା ମହାମାରୀ; ଆକ୍ରାନ୍ତଙ୍କ ସଂଖ୍ୟା ୫.୫ କୋଟି ଓ ମୃତକ ସଂଖ୍ୟା ୧୩ ଲକ୍ଷ ଅତିକ୍ରମ କଲା

୮,୮୭୪,୨୯୦ କରୋନା ସଂକ୍ରମଣ ମାମଲା ସହ ଭାରତ ଦ୍ୱିତୀୟ ସ୍ଥାନରେ

ୱାଶିଂଟନ୍‌/ ନୂଆଦିଲ୍ଲୀ: ସଂପ୍ରତି ସମଗ୍ର ବିଶ୍ୱକୁ ଓଲଟପାଲଟ କରି ରଖିଦେଇଛି ବିଶ୍ୱ ମହାମାରୀ କରୋନା ବା କୋଭିଡ୍‌-୧୯। ଆଜି (ମଙ୍ଗଳବାର) ସୁଦ୍ଧା ସମଗ୍ର ବିଶ୍ୱରେ କରୋନା ମହାମାରୀରେ ୫୫ ମିଲିୟନ (୫.୫ କୋଟି)ରୁ ଅଧିକ ଲୋକ ସଂକ୍ରମିତ ହୋଇଥିବା ବେଳେ ଏହି ମହାମାରୀରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି ୧.୩ ମିଲିୟନ (୧୩ଲକ୍ଷ)ରୁ ଅଧିକ ଲୋକ ବୋଲି ଜନ୍‌ ହପକିନ୍‌ସ ବିଶ୍ୱବିଦ୍ୟାଳୟ ସୂତ୍ରରୁ ପ୍ରକାଶିତ ଏକ ରିପୋର୍ଟରୁ ଜାଣିବା ପାଇଁ ମିଳିଛି। ୮,୮୭୪,୨୯୦ଟି କରୋନା ସଂକ୍ରମଣ ମାମଲା ସହ ଭାରତ ସମଗ୍ର ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ଥିବାବେଳେ ଦେଶର ମୃତ୍ୟୁ ସଂଖ୍ୟା ୧୩୦,୫୧୯କୁ ବୃଦ୍ଧି ପାଇଛି।

ପ୍ରକାଶିତ ରିପୋର୍ଟର ସର୍ବଶେଷ ଅଦ୍ୟତନରେ, ୟୁନିଭରସିଟିର ସେଣ୍ଟର ଫର୍‌ ସିଷ୍ଟମ୍‌ ସାଇନ୍‌ସ ଆଣ୍ଡ ଇଞ୍ଜିନିୟରିଂ (ସିଏସ୍‌ଏସ୍‌ଇ) ପ୍ରକାଶ କରିଛି ଯେ ବର୍ତ୍ତମାନ ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୫,୦୭୪,୯୯୪ ପହଞ୍ଚିଥିବା ବେଳେ କରୋନା ଜନିତ ମୃତ୍ୟୁସଂଖ୍ୟା ୧,୩୨୮,୦୬୮ ରହିଛି।

ସିଏସ୍‌ଏସ୍‌ଇ ରିପୋର୍ଟ ଅନୁଯାୟୀ ବିଶ୍ୱର ସର୍ବାଧିକ ସଂଖ୍ୟକ ମାମଲା ଏବଂ ମୃତ୍ୟୁ ସଂଖ୍ୟା ଯୁକ୍ତରାଷ୍ଟ୍ର ଆମେରିକାରେ ରହିଛି। ଏଠାରେ ସଂକ୍ରମିତଙ୍କ ସଂଖ୍ୟା ୧୧,୨୦୫,୪୮୫ ଥିବାବେଳେ ମୃତକଙ୍କ ସଂଖ୍ୟା ରହିଛି ୨୪୭,୨୨୦ ଏବଂ କରୋନା ମହାମାରୀ ଦ୍ୱାରା ଆମେରିକା ହେଉଛି ସମଗ୍ର ବିଶ୍ୱରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ଦେଶ।
ସେହିପରି, ୮,୮୭୪,୨୯୦ଟି କରୋନା ସଂକ୍ରମଣ ମାମଲା ସହ ଭାରତ ସମଗ୍ର ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ଥିବାବେଳେ ଦେଶର ମୃତ୍ୟୁ ସଂଖ୍ୟା ୧୩୦,୫୧୯ ରହିଛି।

NYTimes

ଏଥିସହ ୧ ମିଲିୟନ (୧୦ ଲକ୍ଷ)ରୁ ଅଧିକ ସୁନିଶ୍ଚିତ କରୋନା ମାମଲା ଥିବା ଅନ୍ୟ ଦେଶଗୁଡ଼ିକ ହେଉଛି ବ୍ରାଜିଲ (୫,୮୭୬,୪୬୪), ଫ୍ରାନ୍‌ସ (୨,୦୪୧,୨୯୩), ରଷିଆ (୧,୯୫୪,୯୧୨), ସ୍ପେନ୍‌ (୧,୪୯୬,୮୬୪), ବ୍ରିଟେନ (୧,୩୯୪,୨୯୯), ଆର୍ଜେଣ୍ଟିନା (୧,୩୧୮,୩୮୪), ଇଟାଲୀ (୧,୨୦୫,୮୮୧), କଲମ୍ବିଆ (୧,୨୦୫,୨୧୭), ଏବଂ ମେକ୍ସିକୋ (୧,୦୦୯,୩୯୬) ବୋଲି ସିଏସ୍‌ଏସ୍‌ଇ ଦ୍ୱାରା ପ୍ରକାଶିତ ପରିସଂଖ୍ୟାନ ରିପୋର୍ଟରେ ଦର୍ଶାଯାଇଛି।

ବ୍ରାଜିଲରେ ବର୍ତ୍ତମାନ ସୁଦ୍ଧା କରୋନାରେ ୧୬୬,୦୧୪ ଜଣଙ୍କର ମୃତ୍ୟୁ ଘଟି ସାରିଲାଣି। ଯାହାକି ସମଗ୍ର ବିଶ୍ୱରେ ଦ୍ୱିତୀୟ ସର୍ବାଧିକ ସଂଖ୍ୟା।
ସେହିପରି ୨୦,୦୦୦ରୁ ଅଧିକ ମୃତ୍ୟୁ ସଂଖ୍ୟା ଥିବା ଦେଶଗୁଡ଼ିକ ହେଉଛି ମେକ୍ସିକୋ (୯୮,୮୬୧), ବ୍ରିଟେନ (୫୨,୨୪୦), ଇଟାଲୀ (୪୫,୭୩୩), ଫ୍ରାନ୍‌ସ (୪୫,୧୨୨), ଇରାନ (୪୧,୯୭୯), ସ୍ପେନ (୪୧,୨୫୩), ଆର୍ଜେଣ୍ଟିନା (୩୫,୭୨୭), ପେରୁ (୩୫,୨୩୧), କଲମ୍ବିଆ (୩୪,୨୨୩), ରଷିଆ (୩୩,୬୧୯) ଏବଂ ଦକ୍ଷିଣ ଆଫ୍ରିକା (୨୦,୩୧୪)।

ସମ୍ବନ୍ଧିତ ଖବର