ଆରମ୍ଭ ହେଲା ପ୍ରବାସୀ ଓଡ଼ିଆଙ୍କ ମହାକୁମ୍ଭ ‘ବିଶ୍ଵ ଓଡ଼ିଆ ମହୋତ୍ସବ-୨୦୨୦’, ୩୦ରୁ ଅଧିକ ଦେଶରୁ ସାମିଲ ହେଲେ ଓଡ଼ିଆ

ଭୁବନେଶ୍ବର : ବିଶ୍ୱର ବିଭିନ୍ନ ଦେଶରେ ବସବାସ କରୁଥିବା ଓଡ଼ିଆଙ୍କୁ ଗୋଟିଏ ମଞ୍ଚରେ ଏକାଠି କରିବା ପାଇଁ ଓଡ଼ିଶା ସୋସାଇଟି ଅଫ୍ ଦି ଆମେରିକାଜ୍ (ଓସା) ପକ୍ଷରୁ ଆରମ୍ଭ ହୋଇଛି ‘ବିଶ୍ଵ ଓଡ଼ିଆ ମହୋତ୍ସବ ୨୦୨୦’ । ଡିସେମ୍ବର ୨୬ ଓ ୨୭ ଦୁଇ ଦିନ ଧରି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ହେଉଥିବା ଏହି ମହାକୁମ୍ଭରେ ପ୍ରଥମ ଥର ପାଇଁ ବିଶ୍ୱର ୩୦ରୁ ଅଧିକ ଦେଶରେ ବାସ କରୁଥିବା ପ୍ରବାସୀ ଓଡ଼ିଆ ସାମିଲ ହୋଇଛନ୍ତି। ସମସ୍ତଙ୍କର ମିଳିତ ଆନୁକୁଲ୍ୟରେ ଏହି ମହୋତ୍ସବ ଆୟୋଜିତ ହେଉଛି । ଏଥିରେ ଓଡ଼ିଶାର ସ୍ୱାସ୍ଥ୍ୟ, ଶିକ୍ଷା, ଦକ୍ଷତା ବିକାଶ, ଉଦ୍ୟୋଗୀକରଣ, ପର୍ଯ୍ୟଟନ, ମହିଳା ସଶକ୍ତିକରଣ ଓ ଯୁବ ସଂଯୋଗ ବିକାଶ ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା ହେବ।

ଆଜି ସନ୍ଧ୍ୟା ୬ଟା ୩୦ ମିନିଟରେ ‘ବିଶ୍ଵ ଓଡ଼ିଆ ମହୋତ୍ସବ ୨୦୨୦’ର ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଗଜପତି ମହାରାଜା ଦିବ୍ୟସିଂହ ଦେବ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନିଆ ସାଂସଦ ଡକ୍ଟର ସ୍ୱରୂପ ଆର୍ ମିଶ୍ର, ଉଚ୍ଚଶିକ୍ଷା ମନ୍ତ୍ରୀ ଡକ୍ଟର ଅରୁଣ ସାହୁ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ‘ମୋ ପରିବାର’ର ଆବାହକ ଅରୂପ ପଟ୍ଟନାୟକ, ‘ଆଇସିଆରଆଇଏସଏଟି’ର କଣ୍ଟ୍ରି ଡିରେକ୍ଟର ଡ.ଅରବିନ୍ଦ ପାଢ଼ୀ ଏବଂ ‘ଓସା’ର ସଭାନେତ୍ରୀ କୁକୁ ଦାସ ପ୍ରମୁଖ ଉପସ୍ଥିତ ଥିଲେ। କିଭଳି ଓଡ଼ିଆମାନେ ଏକତ୍ରିତ ହୋଇ ଓଡ଼ିଶାର କଳା, ସଂସ୍କୃତି,ଐତିହ୍ୟ ଓ ପରମ୍ପରାକୁ ବିଶ୍ବ ଦରବାରରେ ପରିଚିତ କରାଇ ପାରିବେ ସେ ସଂକ୍ରାନ୍ତରେ ଉଦଘାଟନୀ କାର୍ଯ୍ୟକ୍ରମରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା।

ଏହା ପୂର୍ବରୁ ମଧ୍ୟାହ୍ଣ ୧୨ଟାରେ ‘ଗଣମାଧ୍ୟମର ଭୂମିକା’ ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ଓଡ଼ିଶାଲାଇଭର ମୁଖ୍ୟ ସମ୍ପାଦକ ନୀଳାମ୍ବର ରଥ, କନକ ନ୍ୟୁଜର ସମ୍ପାଦକ ମନୋରଞ୍ଜନ ମିଶ୍ର, ଓଟିଭିର ବାର୍ତ୍ତା ସମ୍ପାଦକ ରାଧାମାଧବ ମିଶ୍ର, କଳିଙ୍ଗ ଟିଭିର ମୁଖ୍ୟ ସମ୍ପାଦକ ସୌମ୍ୟଜିତ ପଟ୍ଟନାୟକ, ନ୍ୟୁଜ ୭ର ସିନିଅର ପ୍ରଡ୍ୟୁସର ଓ ନ୍ୟୁଜ ଆଙ୍କର ଇତିଶ୍ରୀ ନାୟକ, ନନ୍ଦିଘୋଷ ଟିଭିର ସମ୍ପାଦକ ଶିଶିର ଭଟ୍ଟମିଶ୍ର ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ୟୁଏଇରେ ରହୁଥିବା ସୁଧାଶ୍ରୀ ଦାସ ସଂଯୋଜନା କରିଥିଲେ। ଏଥିରେ ଗଣମାଧ୍ୟମର ସ୍ଥିତି, ଧାରା ଓ ଭବିଷ୍ୟତ ଏବଂ ରାଜନୈତିକ ହସ୍ତକ୍ଷେପ ଓ ଅନ୍ୟ ସାଂପ୍ରତିକ ଦିଗ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା।

ରାତି ୯ଟାରେ ଭବିଷ୍ୟତ ପିଢ଼ି ଲାଗି ଉନ୍ନତମାନର ଉଚ୍ଚଶିକ୍ଷା ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜ୍ୟ ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ପ୍ରଫେସର ଅଶୋକ ଦାସ, ଭୁବନେଶ୍ବର ଆଇଆଇଟିର ନିର୍ଦ୍ଦେଶକ ପ୍ରଫେସର ରତ୍ନମ୍ ଭି.ରାଜକୁମାର, ଉତ୍କଳ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ, କିଟ୍ ବିଶ୍ବବିଦ୍ୟାଳୟର କୁଳପତି ଡ.ସସ୍ମିତା ସାମନ୍ତ ଏବଂ ଫକିରମୋହନ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଦୀନବନ୍ଧୁ ସାହୁ ପ୍ରମୁଖ ଅଂଶଗ୍ରହଣ କରି ରାଜ୍ୟର ଶିକ୍ଷା ପରିସର ଓ ସମ୍ଭାବନା ଉପରେ ମତ ରଖିଥିଲେ।ଏହାପରେ ରାତି ୧୧ଟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

ବିଶ୍ୱସ୍ତରରେ ବ୍ରାଣ୍ଡ ଓଡ଼ିଶା ନିର୍ମାଣ କରିବା ହେଉଛି ଏହି ଭବ୍ୟ ଆୟୋଜନର ଉଦ୍ଦେଶ୍ୟ। ଓଡ଼ିଶାର ବିକାଶରେ ବିଦେଶରେ ଥିବା ଓଡ଼ିଆମାନେ କିପରି ସାମିଲ ହୋଇପାରିବେ ଏବଂ ଓଡ଼ିଶା ସହିତ ଘନିଷ୍ଠ ଭାବେ ଯୋଡ଼ି ହୋଇପାରିବେ ସେଥିପାଇଁ ଓସା ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରାଯାଉଛି। ‘ବିଶ୍ଵ ଓଡ଼ିଆ ମହୋତ୍ସବ’ ମଧ୍ୟ ସେହି ଲକ୍ଷ୍ୟ ରଖିଛି ବୋଲି ଓସାର ସଭାନେତ୍ରୀ କୁକୁ ଦାସ କହିଛନ୍ତି।

‘ବିଶ୍ଵ ଓଡ଼ିଆ ମହୋତ୍ସବ ୨୦୨୦’ର ଦ୍ୱିତୀୟ ଦିନରେ ମଧ୍ୟ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନାଚକ୍ର ଆୟୋଜନ କରାଯିବ। ସ୍ୱାସ୍ଥ୍ୟ, ନାରୀ ସଶକ୍ତିକରଣ, ଯୁବ ସଂଯୋଗ ଆଦି ବିଷୟ ଉପରେ ବିଶେଷଜ୍ଞମାନେ ଆଲୋଚନା କରିବେ। ଡିସେମ୍ବର ୨୭ ତାରିଖ ରାତି ୧୧ଟାରେ ଏହି ମହୋତ୍ସବର ଉଦଯାପନୀ ଉତ୍ସବ ହେବ। ଏହାପରେ ‘ମୋ ସ୍ୱପ୍ନର ଓଡ଼ିଶା’ ଶୀର୍ଷକ ବିଷୟବସ୍ତୁ ଉପରେ ଛୋଟ ପିଲାମାନଙ୍କ ଭାଷଣ, କବିତା ପାଠ, ଗପସପ ଆଦି କାର୍ଯ୍ୟକ୍ରମ କରାଯିବ।

ସମ୍ବନ୍ଧିତ ଖବର