ସଙ୍କଟ ମୁକାବିଲା ପାଇଁ ବୈଶ୍ବିକ ଐକ୍ୟ ଓ ଉନ୍ମୁକ୍ତ ଗଣତାନ୍ତ୍ରିକ ସମାଜ ଆବଶ୍ୟକ: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଦୁନିଆରେ ଦେଖାଦେଉଥିବା ସ୍ବାସ୍ଥ୍ୟ, ଜଳବାୟୁ ପରିବର୍ତ୍ତନଜନିତ ସଙ୍କଟ ଓ ଆର୍ଥିକ ସୁଧାର ନିମନ୍ତେ ବୈଶ୍ବିକ ଐକ୍ୟ ଓ ଉନ୍ମୁକ୍ତ ଗଣତାନ୍ତ୍ରିକ ସମାଜ ପ୍ରୟୋଜନ ବୋଲି ରବିବାର ଦିନ ‘ଜି୭’ ଶିଖର ସମ୍ମିଳନୀରେ ଉଦ୍‌ବୋଧନ ଦେଇ ରବିବାର ଦିନ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆମକୁ ଏକତ୍ର କରି ରଖିବା ଭଳି ଆନ୍ତର୍ଜାତିକ ନିୟମ ଏବଂ ଆଚରଣବିଧି ଭଳି ମୂଲ୍ୟବୋଧ ପ୍ରତି ସମ୍ମାନ ପ୍ରଦର୍ଶନ କରିବା ଆବଶ୍ୟକ।

Image Courtesy of NDTV

ଗତକାଲି ଏହି ଶିଖର ସମ୍ମିଳନୀର ଦ୍ବିତୀୟ ଦିବସରେ ପ୍ରଧାନମନ୍ତ୍ରୀ ମୋଦୀ ଭର୍ଚ୍ୟୁଆଲ୍‌ ମୋଡ୍‌ରେ ଦୁଇଟି ଅଧିବେଶନରେ ଉଦ୍‌ବୋଧନ ଦେଇଥିଲେ। ‘ବିଲ୍‌ଡିଙ୍ଗ୍‌ ବ୍ୟାକ୍‌ ଟୁଗେଦର-ଓପେନ୍ ସୋସାଇଟିଜ୍‌ ଆଣ୍ଡ୍‌ ଇକୋନୋମିକ୍ସ୍‌’ ଅଧିବେଶନରେ ମୁଖ୍ୟବକ୍ତା ଭାବେ ପ୍ରଧାନମନ୍ତ୍ରୀ ମୋଦୀ କହିଲେ, ଗଣତନ୍ତ୍ର ଏବଂ ସ୍ବାଧୀନତା ହେଉଛି ଭାରତୀୟ ସଭ୍ୟତା ସମ୍ବନ୍ଧୀୟ ନୈତିକତାର ଅଂଶବିଶେଷ। ସେ ଗୁରୁତ୍ବାରୋପ କରି କହିଲେ ଯେ, ଅବଦମନ ନୁହେଁ, ଗଣତାନ୍ତ୍ରିକ ମୂଲ୍ୟବୋଧକୁ ଅଗ୍ରସର କରାଇବା ଲାଗି ‘ସାଇବର୍‌ସ୍ପେସ୍‌’ ଏକ ଆଭିମୁଖ୍ୟ ହେବା ଉଚିତ।

Image Courtesy of NDTV

ସେହିପରି, ‘କ୍ଲାଇମେଟ୍‌ ଚେଞ୍ଜ୍‌’ ଅଧିବେଶନରେ ପ୍ରଧାନମନ୍ତ୍ରୀ ମୋଦୀ କହିଲେ, ଅନ୍ୟମାନଙ୍କ ଠାରୁ ପୃଥକ୍‌ ହୋଇ କାର୍ଯ୍ୟ କରୁଥିବା ଦେଶମାନଙ୍କଦ୍ବାରା ବିଶ୍ବର ବାୟୁମଣ୍ଡଳ, ଜୈବବିବିଧତା ଏବଂ ସମୁଦ୍ରକୁ ସୁରକ୍ଷିତ ରଖି ହେବନାହିଁ। ଜଳବାୟୁ ପରିବର୍ତ୍ତନ ରୋକିବା ଲାଗି ସମ୍ମିଳିତ ପ୍ରୟାସ ପାଇଁ ସେ ଆହ୍ବାନ ଦେଇଛନ୍ତି।

ସେ ମଧ୍ୟ ଗୁରୁତ୍ବାରୋପ କରି କହିଲେ ଯେ, ‘ପ୍ୟାରିସ୍ ପ୍ରତିବଦ୍ଧତା’ ନିୟମାବଳୀ ଅନୁସରଣ କରିବା ପଥରେ ଥିବା ଏକମାତ୍ର ‘ଜି୨୦’ ଦେଶ ହେଉଛି ଭାରତ।

ଏବର୍ଷର ‘ଜି୭ ଶିଖର ସମ୍ମିଳନୀ’ ଭାରତ, କୋରିଆ ସାଧାରଣତନ୍ତ୍ର ଏବଂ ଦକ୍ଷିଣ ଆଫ୍ରିକା ଭଳି ଦେଶଙ୍କୁ ଅନ୍ତର୍ଭୁକ୍ତ କରିଥିଲା। ଏହା ବ୍ୟତିରେକେ, ‘ଜି୭’ର ମୂଳ ସଦସ୍ୟମାନେ ମିଳିତ ବିବୃତିରେ ଉନ୍ମୁକ୍ତ ସମାଜ, ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ବହୁପାକ୍ଷିକବାଦ ପ୍ରତି ସେମାନଙ୍କର ବିଶ୍ବାସ ଅଛି ବୋଲି ସୁନିଶ୍ଚିତ କରିଛନ୍ତି।

ସମ୍ବନ୍ଧିତ ଖବର