ବିଶ୍ବ ତମାମ ଟିକା ଯୋଗାଣ ଏବେ ନୂଆ ସମସ୍ୟା, ଆମେରିକା ଶହେ କୋଟି ଡଲାର ଖଟେଇଛି

ନୂଆଦିଲ୍ଲୀ: କୋଭିଡ୍‌-୧୯ର ମୁକାବିଲା ପାଇଁ ଟିକା ଉପଲବ୍‌ଧ ନିମନ୍ତେ ବିଶ୍ବବ୍ୟାପୀ ବିଭିନ୍ନ ଭେଷଜ ପ୍ରତିଷ୍ଠାନ ଓ ଔଷଧ କମ୍ପାନି ଉଦ୍ୟମ ଜାରି ରଖିଛନ୍ତି। ଯେ କୌଣସି ସମୟରେ ଏକ ଟିକାର ଆତ୍ମପ୍ରକାଶ କିଛି ଅସମ୍ଭବ ନୁହେଁ। ମାତ୍ର ବର୍ତ୍ତମାନ ସ୍ଥିତିରେ ଭୂତାଣୁର ସମୂଳ ନାଶ ପାଇଁ ବିଶ୍ବବ୍ୟାପୀ ଉକ୍ତ ଟିକାର ସାର୍ବଜନୀନ ବ୍ୟବହାରର ଆବଶ୍ୟକତା ରହିଛି। କିନ୍ତୁ ଏଥିଲାଗି ପୃଥିବୀର କୋଣ ଅନୁକୋଣରେ ରହୁଥିବା କୋଟି କୋଟି ଜନତାଙ୍କ ପାଖରେ ଉକ୍ତ ଟିକାକୁ ପହଞ୍ଚାଇବା ପରିହବନ କମ୍ପାନିଙ୍କ ପକ୍ଷେ ସହଜ ନୁହେଁ। କୋଭିଡ୍‌ ଯୋଗୁଁ ପରିବହନ କମ୍ପାନିଙ୍କ ବ୍ୟବସାୟ ବାଧାପ୍ରାପ୍ତ ହୋଇଛି। ସେମାନଙ୍କ ପରିବାହୀ ଜାହାଜ ବା ବିମାନ ସଂଖ୍ୟା ସୀମିତ ହୋଇଯାଇଛି। ଅପରପକ୍ଷେ, ସାମଗ୍ରୀର ଆନ୍ତର୍ଜାତିକ ଯୋଗାଣ ପାଇଁ ଆବଶ୍ୟକ କାଗଜାତ ସଂଗ୍ରହ ଲାଗି ସେମାନଙ୍କୁ ବର୍ଷ ବର୍ଷ ଧରି ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଛି।

ଏଥି ସହିତ ପରିବହନରେ ବ୍ୟବହୃତ ପୁରୁଣା ଜ୍ଞାନକୌଶଳର ବିକାଶ ନହେଲେ ଯୁଦ୍ଧକାଳୀନ ଭିତ୍ତିରେ ଏପରି କୋଟି କୋଟି ସଂଖ୍ୟକ ଭଙ୍ଗୁର ଟିକାକୁ ପରିବହନ କରିବା କଷ୍ଟକର। ସାଧାରଣ ଭାବେ ହିସାବ କଲେ ଗୋଟେ ବୋଇଂ-୭୭୭ ପରି ବିଶାଳ ପଣ୍ୟବାହୀ ବିମାନରେ ଥରକେ ଅତି ବେଶିରେ ୧୦ ଲକ୍ଷ ଟିକା ପରିବହନ କରିହେବ। ଯଦି ସଫଳ ଟିକାକରଣ ପାଇଁ ପ୍ରତ୍ୟେକଙ୍କୁ ଅତି କମ୍‌ରେ ଦୁଇଟି ମାତ୍ରା ଆବଶ୍ୟକ ପଡ଼େ, ତେବେ ବିଶ୍ବର ଅର୍ଦ୍ଧେକ ଲୋକଙ୍କ ଚାହିଦା ମୁତାବକ ଟିକା ପରିବହନ କରିବାକୁ ୮୦୦୦ ସଂଖ୍ୟକ ପଣ୍ୟବାହୀ ବିମାନର ଆବଶ୍ୟକତା ପଡ଼ିବ। ସେହିପରି ଅନ୍ୟ ଏକ ସମସ୍ୟା ହେଲା ଶୀତଳୀକରଣ। ସାଧାରଣତଃ ଟିକାକୁ ବ୍ୟବହାର ଉପଯୋଗୀ କରିବା ଲାଗି ତାହା ୨ଡିଗ୍ରିରୁ ୮ ଡିଗ୍ରି ସେଲସି୍ସ ବା ୩୫.୬ରୁ ୪୬.୪ ଫାରେନ୍‌ହିଟ୍‌ ତାପମାତ୍ରାରେ ସଂରକ୍ଷିତ ରଖିବାକୁ ହେବ। ସେଥିପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗ କରି ଅଧିକ ସମୟ ଶୀତଳ ରଖି ହେଉଥିବା ବ୍ୟବସ୍ଥାର ଉପଯୋଗ ଜରୁରୀ। ତେବେ ସବୁଠୁ ଗୁରୁତ୍ବପୂର୍ଣ୍ଣ ବିଷୟ ହେଲା, ପରିବହନର ମୁଖ୍ୟ ସ୍ଥଳରୁ ଅପନ୍ତରା କି ସୁଦୂର ଇଲାକାରେ ରହୁଥିବା ଜନସାଧାରଣଙ୍କ ପାଖରେ ଟିକାକୁ ସୁରକ୍ଷିତ ଭାବେ ପହଞ୍ଚାଇବା। ତେଣୁ ଏସବୁ ସମସ୍ୟାର ସମାଧାନ ନହେଲା ଯାଏ ଟିକାଟିଏ ବିକଶିତ ହୋଇଗଲେ ବି ତାହା ବ୍ୟବହାର ଉପଯୋଗୀ ହୋଇପାରିବ ନାହିଁ।

ଆମେରିକା ଶହେ କୋଟି ଡଲାର ଖଟେଇଛି
ଵାସିଂଟନ: ଏକ ପ୍ରଯୁଜ୍ୟ କୋଭିଡ୍‌ ଟିକାର ବିକାଶ କରିବା ଲାଗି ଆମେରିକା ଦୁଇଗୁଣା ଅର୍ଥ ଖଟେଇଛି। ସୋମବାର ଚୂଡ଼ାନ୍ତ ମାନବୀୟ ପରୀକ୍ଷଣ ଆରମ୍ଭ କରିଥିବା ମଡର୍ଣ୍ଣା କମ୍ପାନିଠାରୁ ଉକ୍ତ ଟିକା ପାଇବାକୁ ଟ୍ରମ୍ପ୍‌ ପ୍ରଶାସନ ପାଖାପାଖି ଶହେ କୋଟି ଡଲାର ଖର୍ଚ୍ଚ କରିଥିବା ଜଣାଯାଇଛି। ଏହି ପରୀକ୍ଷଣରେ ୩୦ ହଜାର ସ୍ବେଚ୍ଛାସେବୀ ସାମିଲ ହେବାକୁ ରହିଥିବା ବେଳେ ସରକାର ଏହି ପର୍ଯ୍ୟାୟ ପାଇଁ ୪୭.୨ କୋଟି ଡଲାର ଖର୍ଚ୍ଚ କରିବାକୁ ଘୋଷଣା କରିଥିବା ମଡର୍ଣ୍ଣା କହିଛି। ପୂର୍ବରୁ ଏ ବାବଦରେ ପ୍ରାୟ ୪୮.୩ କୋଟି ଡଲାର ଖର୍ଚ୍ଚ ସରିଛି। ପ୍ରାରମ୍ଭିକ ପରୀକ୍ଷଣରେ ସାମିଲ ହୋଇଥିବା ମାତ୍ର ୪୫ ଜଣ ସ୍ବେଚ୍ଛାସେବୀଙ୍କ ଠାରେ କରୋନାଭୂତାଣୁ ଆଣ୍ଟିବଡି ସୃଷ୍ଟି ହୋଇଥିବା ଜାଣିବାକୁ ମିଳିଛି। ସୁତରାଂ ଏହି ଫଳାଫଳକୁ ଭିତ୍ତି କରି ଚୂଡ଼ାନ୍ତ ପର୍ଯ୍ୟାୟରେ ବିକ୍ଷିପ୍ତ ଭାବେ ସଂଖ୍ୟାଧିକ ସ୍ବେଚ୍ଛାସେବୀଙ୍କ ଠାରେ ଅନୁରୂପ ୧୦୦ ମାଇକ୍ରୋଗ୍ରାମ୍‌ର ମାତ୍ରା ପ୍ରୟୋଗ କରାଯିବ ବୋଲି କମ୍ପାନି ପକ୍ଷରୁ ଜଣାଯାଇଛି।

ସମ୍ବନ୍ଧିତ ଖବର