ଜମ୍ମୁ ଓ କଶ୍ମୀର କଂ‌ଗ୍ରେସ ପ୍ରଚାର କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇବାର କିଛି ସମୟ ପରେ ଇସ୍ତଫା ଦେଲେ ଗୁଲାମ୍‌ ନବୀ ଆଜାଦ୍‌

ଶ୍ରୀନଗର: ମଙ୍ଗଳବାର ଦିନ ଜମ୍ମୁ ଓ କଶ୍ମୀର କଂଗ୍ରେସ ପ୍ରଚାର କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇବାର କିଛି ସମୟ ପରେ ଦଳର ବରିଷ୍ଠ ନେତା ଗୁଲାମ୍‌ ନବୀ ଆଜାଦ୍‌ ଉକ୍ତ ପଦବୀରୁ ଇସ୍ତଫା ଦେଇଛନ୍ତି।

ବିଶେଷସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ସ୍ବାସ୍ଥ୍ୟଗତ ସମସ୍ୟା ହେତୁ ନୂତନ ଦାୟିତ୍ବ ବହନ କରିବାକୁ ଗୁଲାମ୍‌ ନବୀ ଆଜାଦ୍‌ ଅଗ୍ରାହ୍ୟ କରିଛନ୍ତି।

ସୂଚନାଯୋଗ୍ୟ, ମଙ୍ଗଳବାର ଦିନ କଂଗ୍ରେସର ନୂତନ ନିର୍ବାଚନ ପ୍ରଚାର ଅଭିଯାନ କମିଟି ଗଠନ କରାଯାଇଥିଲା। ଉକ୍ତ କମିଟିରେ ‘ପିସିସି’ ସଭାପତି ଏବଂ ଦଳର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷାଙ୍କ ସମେତ ୧୧ଜଣ ସଦସ୍ୟଙ୍କୁ ନେଇ ଗଠିତ ହୋଇଥିଲା। ତାରିକ୍‌ ହମିଦ୍‌ କର୍‌ରାଙ୍କୁ ପ୍ରଚାର ଅଭିଯାନର ଉପାଧ୍ୟକ୍ଷ ଏବଂ ଜି. ଏମ୍‌. ସରୂରିଙ୍କୁ ଆବାହକ ଭାବେ ନିଯୁକ୍ତ କରାଯାଇଥିଲା।

Image Courtesy of India Today

ଏହାଛଡ଼ା, ମଙ୍ଗଳବାର ଦିନ କଂଗ୍ରେସ ଜମ୍ମୁ ଓ କଶ୍ମୀର କଂଗ୍ରେସର ମୁଖ୍ୟ ଭାବେ ୱିକାର ରସୂଲ୍‌ଙ୍କୁ ନିଯୁକ୍ତ କରିଛି। ତାଙ୍କ ପୂର୍ବରୁ ଜମ୍ମୁ ଓ କଶ୍ମୀର ପ୍ରଦେଶ କଂଗ୍ରେସ କମିଟି ସଭାପତି ପଦରୁ ଗୁଲାମ୍‌ ଅହମଦ୍‌ ମିର୍‌ ଦେଇଥିବା ଇସ୍ତଫା ପତ୍ରକୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଗ୍ରହଣ କରିଥିଲେ।

ମଙ୍ଗଳବାର ଦିନ ସୋନିଆ ଗାନ୍ଧୀ ଜମ୍ମୁ ଓ କଶ୍ମୀରର ସଭାପତି ଓ କାର୍ଯ୍ୟନିର୍ବାହୀ ସଭାପତି ନିଯୁକ୍ତ କରିବା ସହ ପ୍ରଚାର ଅଭିଯାନ କମିଟି, ରାଜନୈତିକ ବ୍ୟାପାର କମିଟି, ସମନ୍ବୟ କମିଟି, ଇସ୍ତାହାର କମିଟି, ପ୍ରଚାର ଓ ପ୍ରକାଶନ କମିଟି, ଶୃଙ୍ଖଳା ରକ୍ଷାକାରୀ କମିଟି ଏବଂ ‘ଜମ୍ମୁ ଓ କଶ୍ମୀର ପ୍ରଦେଶ କଂଗ୍ରେସ କମିଟି’ର ପ୍ରଦେଶ ନିର୍ବାଚନ କମିଟି ଗଠନ କରିଛନ୍ତି।

ସେହିପରି, ଜମ୍ମୁ ଓ କଶ୍ମୀର କଂଗ୍ରେସର ସଭାପତି ଭାବେ ୱାନି ଓ କାର୍ଯ୍ୟନିର୍ବାହୀ ସଭାପତି ଭାବେ ରମନ୍‌ ଭଲ୍ଲାଙ୍କୁ ନିଯୁକ୍ତ କରାଯାଇଛି।

ସମ୍ବନ୍ଧିତ ଖବର