ପିଓକେରେ ଇମ୍ରାନ୍‌ଙ୍କୁ ବିରୋଧ: ଧଳା ପତାକା ଉଡ଼ାଇ ୨ ସୈନିକଙ୍କ ଶବ ନେଲା ପାକିସ୍ତାନ

ନୂଆଦିଲ୍ଲୀ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଗତକାଲି ପାକ୍‌ ଅଧିକୃତ କଶ୍ମୀରର ମୁଜାଫରବାଦ୍‌‌ରେ ଏକ ରୢାଲିରେ ଉଦ୍‌ବୋଧନ ଦେବାକୁ ଯାଇଥିବା ବେଳେ ସ୍ଥାନୀୟ ବାସିନ୍ଦାଙ୍କ ଆଡ଼ୁ ଜୋର୍‌ଦାର ବିରୋଧର ସମ୍ମୁଖୀନ ହୋଇଥିଲେ। ହଜାର ହଜାର ଲୋକଙ୍କ ଇମ୍ରାନଙ୍କ ଗସ୍ତକୁ ବିରୋଧ କରି ସ୍ଲୋଗାନ ଦେଇଥିଲେ। ସେଠାରେ ଉତ୍ତେଜନା ବଢ଼ିବାରୁ ପାକ୍‌ ସେନା ବିକ୍ଷୋଭକାରୀଙ୍କୁ ଅଟକ ରଖିଥିଲା। ଇମ୍ରାନ ଭାରତ ସରକାରଙ୍କ ବିରୋଧରେ ସ୍ଥାନୀୟ ଲୋକଙ୍କ ସମର୍ଥନ ଚାହିବା ପରେ ଏହାକୁ ଲୋକେ ବିରୋଧ କରିଥିବା ଜଣାପଡ଼ିଛି । କଶ୍ମୀର ବାସିନ୍ଦାଙ୍କ ପାଇଁ ନିଜକୁ ଜଣେ ଶୁଭ ଚିନ୍ତକ ‌ବୋଲି ଦାବି କରି ଇମ୍ରାନ୍‌ ପିଓକେବାସୀ ଭାରତ ସରକାରଙ୍କ ବିରୋଧରେ ସ୍ବର ଉତ୍ତୋଳନ କରିବାପାଇଁ ଆହ୍ବାନ ଦେଇଥିଲେ। କିନ୍ତୁ ଉପସ୍ଥିତ ଲୋକେ ଇମ୍ରାନ୍‌ଙ୍କ କଶ୍ମୀର ନୀତିକୁ ବିରୋଧ କରି ‘ଇମ୍ରାନ ଖାନ୍‌ ଗୋ ବ୍ୟାକ୍‌’ ସ୍ଲୋଗାନ୍‌ ଦେଇଥିଲେ।

ଉଲ୍ଲେଖଯୋଗ୍ୟ, ମୋଦୀଙ୍କ ନାମ ନନେଇ ଇମ୍ରାନ ଗତକାଲି କହିଥିଲେ କଶ୍ମୀରରେ ଲୋକଙ୍କ ମାନବାଧିକାର ଉଲ୍ଲଂଘନ ହୋଇଛି ଏବଂ କେବଳ ଜଣେ କାପୁରୁଷ ହିଁ ଏଭଳି ବର୍ବରତାର ସହିତ ପଦକ୍ଷେପ ନେଇପାରିବ। ଭାରତୀୟ ସେନାର ଅତ୍ୟାଚାରରେ ସାଧାରଣ ଜନତା ଛଟପଟ ହେଉଛନ୍ତି ଏବଂ ହିନ୍ଦୁ ଚରମପନ୍ଥୀ ସଂଗଠନର ସଦସ୍ୟ ମୋଦୀ ଏଥିପାଇଁ ଦାୟୀ ବୋଲି ସେ କହିଥିଲେ।

ନୂଆଦିଲ୍ଲୀ: ନିୟନ୍ତ୍ରଣ ରେଖା ଅଂଚଳର ୨୦ରୁ ଅଧିକ ସ୍ଥାନରେ ପାକିସ୍ତାନ ସେନା ଅସ୍ତ୍ରବିରତି ଉଲ୍ଲଂଘନ କରି ଗୁଳିବର୍ଷା କରୁଥିବାରୁ ଭାରତୀୟ ସେନା ଏହାର କଡ଼ା ଜବାବ ଦେଉଛି। ଭାରତର କାର୍ଯ୍ୟାନୁଷ୍ଠାନରେ ୨ ଜଣ ପାକ୍‌ ସୈନିକ ନିହତ ହେବାପରେ ଆଜି ପାକିସ୍ତାନ ଧଳା ପତାକା ଉଡ଼ାଇ ନିଜ ସୈନିକଙ୍କ ଶବ ନେବାକୁ ବାଧ୍ୟ ହୋଇଛି। ଧଳା ପତାକାର ଅର୍ଥ ହେଉଛି ଆତ୍ମସମର୍ପଣ କରିବା କିମ୍ବା ଯୁଦ୍ଧବିରତି ପାଇଁ ନିବେଦନ ରଖିବା। ପାକିସ୍ତାନ ସେନାର ଧଳା ପତାକା ଦେଖି ଭାରତ ଏହାର ସମ୍ମାନ ରଖିଥିଲା ଏବଂ ସୈନିକଙ୍କ ଶବ ନେବାପାଇଁ ସୁଯୋଗ ଦେଇଥିଲା। ଏହା ଘଟଣା ଏଲ୍‌ଓସିରେ ଲାଗିଥିବା ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଥିଲା। ପିଓକେରେ ହାଜିପୀର ସେକ୍ଟରରେ ଭାରତର ଜବାବୀ କାର୍ଯ୍ୟାନୁଷ୍ଠାନରେ ଦୁଇ ପାକ୍‌ ସୈନିକ ନିହତ ହୋଇଥିବା ବେଳେ ଅନେକ ଆହତ ହୋଇଥିଲୋ।

ସମ୍ବନ୍ଧିତ ଖବର