ବେଙ୍ଗାଲୁରୁ: ଆଜି ବେଙ୍ଗାଲୁରୁରେ ଏକ ଅଜବ ଘଟଣା ଘଟିଥିଲା। ଯାତ୍ରା ପାଇଁ ବସରେ ବସିଥିବା ପ୍ରାୟ ୫୫ଯାତ୍ରୀଙ୍କୁ ନ ନେଇ ଗୋ ଫାଷ୍ଟର ଏକ ବିମାନ ଗନ୍ତବ୍ୟସ୍ଥଳକୁ ଉଡ଼ାଣ କରିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଏହି ଘଟଣା ସାମ୍ନାକୁ ଆସିବା ପରେ ଗୋ ଫାଷ୍ଟ୍ ସଂସ୍ଥାକୁ କୈଫିୟତ୍ ମାଗିଛି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ)। ତେବେ ଏହାକୁ ନେଇ ଗୋ ଫାଷ୍ଟ୍ ସମାଲୋଚିତ ହେବା ପରେ କ୍ଷତିପୂରଣ ପାଇଁ କମ୍ପାନି ଏକ ବଡ଼ ଘୋଷଣା କରିଛି।
ଗୋ ଫାଷ୍ଟ୍ ଏୟାରଲାଇନ ପକ୍ଷରୁ କୁହାଯାଇଛି ଯେ, ଯେଉଁ ଯାତ୍ରୀମାନେ ବସରେ ରହିଯାଇଥିଲେ ସେମାନଙ୍କୁ କ୍ଷତିପୂରଣ ଆକାରରେ ଗୋଟିଏ ଲେଖାଏଁ ମାଗଣା ଟିକେଟ ଦିଆଯିବ। ମାଗଣାରେ ଟିକେଟ ବୁକ୍ କରି ସେମାନେ ଭାରତର ଯେକୌଣସି ସ୍ଥାନକୁ ଯାଇପାରିବେ। ଗୋ ଫାଷ୍ଟ୍ ଏହି ଘଟଣା ପାଇଁ କ୍ଷମା ମାଗି ପ୍ରଭାବିତ ଯାତ୍ରୀମାନଙ୍କୁ ଆସନ୍ତା ବର୍ଷ ମଧ୍ୟରେ ଭାରତର ଯେକୌଣସି ସ୍ଥାନକୁ ଯାତ୍ରା କରିବାକୁ ଗୋଟିଏ ମାଗଣା ଟିକେଟ ପ୍ରଦାନ କରିଛି। ଏହା ସହ ଏହି ଘଟଣାରେ ସମ୍ପୃକ୍ତ କର୍ମଚାରୀଙ୍କୁ ସାମୟିକ ଭାବେ କାମରୁ ହଟାଯାଇଛି ବୋଲି କମ୍ପାନି ପକ୍ଷରୁ ବିବୃତି ଜାରି କରାଯାଇଛି।
ସୂଚନା ମୁତାବକ, ବେଙ୍ଗାଲୁରୁରୁ ଦିଲ୍ଲୀ ଯାଉଥିବା ଜି ୮ ୧୧୬ ବିମାନ କେମ୍ପେଗୋଡ଼ା ଅନ୍ତର୍ଜୀତୀୟ ବିମାନ ବନ୍ଦରରୁ ସୋମବାର ସକାଳ ୬.୩୦ରେ ଉଡ଼ାଣ କରିଥିଲା। ବିମାନରେ ଚଢ଼ାଇବା ପାଇଁ ଯାତ୍ରୀମାନଙ୍କୁ ୪ଟି ବସ୍ରେ ଅଣା ଯାଇଥିଲା। ଗୋଟାଏ ବସ୍ରେ ଥିବା ୫୫ ଜଣ ଯାତ୍ରୀ ଗୋ ଫାଷ୍ଟ୍ ବିମାନରେ ଚଢ଼ିବାକୁ ଅପେକ୍ଷା କରିଥିବା ବେଳେ ବିମାନ ସେମାନଙ୍କୁ ଛାଡ଼ି ଉଡ଼ାଣ କରିଥିଲା। ଏହା ପରେ ପରେ କିଛି ଯାତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଟ୍ୟାଗ୍ କରି ଟ୍ବିଟ୍ କରିଥିଲେ। ଫଳରେ ବିମାନ ଚଳାଚଳ ସଂସ୍ଥାର କର୍ମଚାରୀଙ୍କ ଅବହେଳା ସାମ୍ନାକୁ ଆସିଥିଲା।