‘ଆମ ଧନ ଖାଇବ ଆଉ ଅନ୍ୟର ଗୁଣ ଗାଇବ’?… ଆନ୍ଦୋଳନକାରୀଙ୍କୁ କହିଲେ ମିରଟ ପୁଲିସ୍‌ ଅଧିକାରୀ, ଭିଡିଓ ଭାଇରାଲ୍‌

ମିରଟ୍‌: ନାଗରିକତା ସଂଶୋଧନ ଆଇନ୍‌(ସିଏଏ)କୁ ନେଇ ବିରୋଧ ପ୍ରଦର୍ଶନ କରୁଥିବା ମୁସ୍‌ଲମାନ ବହୁଳ ଅଞ୍ଚଳର ବାସିନ୍ଦାମାନଙ୍କୁ ଉତ୍ତରପ୍ରଦେଶର ମିରଟ୍‌ସ୍ଥିତ ଜଣେ ବରିଷ୍ଠ ପୁଲିସ୍‌ ଅଧିକାରୀ ପାକିସ୍ତାନ ପଳାଇ ଯିବାକୁ କହୁଥିବାର ଦେଖିବାକୁ ମିଳିଛି।  ବରିଷ୍ଠ ପୁଲିସ୍‌ ଅଧିକାରୀ ଜଣକ ଏଭଳି ସାଂପ୍ରଦାୟିକ ଟିପ୍ପଣୀ ‌ଦେଉଥିବା ସମୟର ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି।

ନୂଆ ନାଗରିକତା ଆଇନ୍‌କୁ ବିରୋଧ କରି ଶୁକ୍ରବାର ଶତାଧିକ ଆନ୍ଦୋଳନକାରୀ ମସ୍‌ଜିଦ୍‌ରେ ପ୍ରାର୍ଥନା ସାରି ଆନ୍ଦୋଳନ କରି ରାଜରାସ୍ତାକୁ ବାହାରିଥିବା ବେଳେ ପୁଲିସ୍‌ ଅଧିକାରୀ ଜଣକ ତାଙ୍କୁ ଅଟକାଇ ଏପରି କହୁଥିବାର ଦେଖିବାକୁ ମିଳିଛି।

Zee News

ଇଣ୍ଟର୍‌ନେଟ୍‌ରେ ଘୂରିବୁଲୁଥିବା ଭିଡିଓରେ ପୁଲିସ୍‌ ଅଧିକାରୀ ଜଣକ କହୁଛନ୍ତି, ‘କୁଆଡ଼େ ଯିବ? କଳା ଓ ହଳଦିଆ ଫିତା ଗୁଡ଼ାଇ ଆନ୍ଦୋଳନ କରୁଥିବା ଆନ୍ଦୋଳନକାରୀମାନେ ପାକିସ୍ତାନ ପଳାଅ। ଆମ ଧନ ଖାଇ ଆଉ କାହାର ଗୁଣ ଗାଇବ? ଯଦି କିଛି ଅଘଟଣ ଘଟିଲା ତାହାକୁ ତୁମେମାନେ ଭରଣା କରିବ। ପ୍ରତ୍ୟେକ ଘରର ସମସ୍ତ ଲୋକଙ୍କୁ ଗିରଫ କରାଯିବ।’

ଉଲ୍ଳେଖଯୋଗ୍ୟ, ଶୁକ୍ରବାର ହୋଇଥିବା ଆନ୍ଦୋଳନରେ ଆନ୍ଦୋଳନକାରୀମାନେ ହିଂସା ଉପୁଯାଇ ପୁଲିସ୍‌ କର୍ମୀଙ୍କ ଉପରକୁ ପଥର ଫିଙ୍ଗାଫୋପଡ଼ା କରିଥିଲେ ବୋଲି ମିରଟ୍‌ ପୁଲିସ୍‌ ଅଭିଯୋଗ ଆଣିଛି। ପୁଲିସ୍‌ ପକ୍ଷରୁ ଆହୁରି ବି କୁହାଯାଇଛି ଯେ ପୁଲିସ୍‌କର୍ମୀମାନେ ପରିସ୍ଥିତିକୁ ଶାନ୍ତିର ସହ ଆୟତ୍ତ କରିବାକୁ ଉଦ୍ୟମ କରିଥିବା ବେଳେ ଆନ୍ଦୋଳନକାରୀମାନେ ଦୁର୍ବ୍ୟବହାର ଦେଖାଇଥିଲେ।

ସମ୍ବନ୍ଧିତ ଖବର