ମିଗ-୨୯ ବିମାନର ଇନ୍ଧନ ଟ୍ୟାଙ୍କି ଖସି ପଡ଼ିବା ପରେ ଗୋଆ ବିମାନବନ୍ଦରରେ ଲାଗିଥିଲା ନିଆଁ, ଏବେ ବିମାନ ଚଳାଚଳ ହେଲା ସ୍ୱାଭାବିକ

ନୂଆଦିଲ୍ଲୀ: ଗୋଆ ବିମାନବନ୍ଦରରୁ ଶନିବାର ଦ୍ୱିପହରରେ ଏକ ଅଗ୍ନିକାଣ୍ଡ ଘଟଣା ସାମ୍ନାକୁ ଆସିଥିଲା। ବିମାନବନ୍ଦରରୁ ଉଡ଼ାଣ  ଆରମ୍ଭ କରିବା ପରେ ଏକ ଲଢ଼ୁଆ ମିଗ ୨୯ ବିମାନର ବାହାର ପଟରେ ଥିବା ଇନ୍ଧନ ଟାଙ୍କି (ଡ୍ରପ ଟ୍ୟାଙ୍କ) ଆକସ୍ମିକ ଭାବେ ତଳକୁ  ଖସି ପଡ଼ିଥିଲା। ଫଳରେ ବିମାନବନ୍ଦରରେ ନିଆଁ ଲାଗି ଯାଇଥିଲା। ନିଆଁ ଲାଗିବା ଘଟଣା ପରେ ବିମାନବନ୍ଦରକୁ କିଛି ଘଣ୍ଟା ପାଇଁ ବନ୍ଦ କରି ଦିଆଯାଇଥିଲା। ଏହାର ସିଧାସଳଖ ପ୍ରଭାବ ଗୋଆ ବିମାନବନ୍ଦରକୁ ଆସିବା ଓ ଏଠାରୁ ଯାଉଥିବା ବିମାନ ଉପରେ ପଡ଼ିଥିଲା। ଏହି ବିମାନ ଉଡାଣକୁ ୨ଘଣ୍ଟା ପାଇଁ ରୋକି ଦିଆଯାଇଥିଲା। ଏବେ ବିମାନବନ୍ଦରରେ ବିମାନ ଚଳାଚଳ ସ୍ୱାଭାବିକ ରହିଛି।

ଭାରତୀୟ ନୌସେନା ପ୍ରବକ୍ତାଙ୍କ କହିବା ଅନୁସାରେ ଏହି ଘଟଣା ପରେ ଗୋଆ ବିମାନବନ୍ଦରରେ ବିମାନର ପରିଚାଳନାକୁ ସ୍ୱଭାବିକ କରିବା ନେଇ ଜୋରସୋର କାର୍ଯ୍ୟ ଆରମ୍ଭ କରାଯାଇଥିଲା। ନୌସେନାର ମିଗ ୨୯ ବିମାନ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ରହିଛି।  ବିମାନର ବାହାରପାର୍ଶ୍ୱରେ ଲାଗିଥିବା ଫୁଏଲ ଟ୍ୟାଙ୍କକୁ ଡ୍ରପ୍‌ ଟ୍ୟାଙ୍କ କହି ଥାଆନ୍ତି। ଏଥିରେ ଅତିରିକ୍ତ ଇନ୍ଧନ ରଖା ଯାଇଥାଏ।

ସମ୍ବନ୍ଧିତ ଖବର