ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ୧୮ ବର୍ଷୀୟ ଝିଅ ଗୋଆରେ ଏକ ବେଆଇନ ବାର୍ ଚଳାଉଛନ୍ତି ବୋଲି କଂଗ୍ରେସର ଅଭିଯୋଗକୁ ସ୍ମୃତି ଖଣ୍ଡନ କରିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ସ୍ମୃତି କଂଗ୍ରେସକୁ କଡ଼ା ସମାଲୋଚନା କରିବା ସହ ଝିଅ ବିରୋଧରେ ମିଥ୍ୟା ଅଭିଯୋଗ ଆଣିଥିବାରୁ କଂଗ୍ରେସ ନେତାମାନଙ୍କୁ କୋର୍ଟରେ ଦେଖିବେ ବୋଲି କହିଛନ୍ତି। ସୂଚନାଯୋଗ୍ୟ, କଂଗ୍ରେସ ପ୍ରବକ୍ତା ପବନ ଖେରା ଅଭିଯୋଗ କରିଥିଲେ ଯେ ଗୋଆରେ ୧୩ ମାସ ତଳେ ମୃତ ଘୋଷିତ ଜଣେ ବ୍ୟକ୍ତି ନାମରେ ବେଆଇନ ଲାଇସେନ୍ସ ହାସଲ କରି ସ୍ମୃତିଙ୍କ ଝିଅ ବାର୍ ଚଳାଉଛନ୍ତି। ତେବେ ଏଭଳି ଅଭିଯୋଗକୁ ସ୍ମୃତି ଖଣ୍ଡନ କରିବା ସହ କେବଳ ରାଜନୈତିକ କାରଣରୁ ତାଙ୍କର ୧୮ ବର୍ଷୀୟା ଝିଅ ବିରୋଧରେ ଏଭଳି ଡାହା ମିଛ କହି କଂଗ୍ରେସ ବିଭ୍ରାନ୍ତ କରୁଛି ବୋଲି କହିଛନ୍ତି। ଦେଶର ରାଜକୋଷରୁ ୫ ହଜାର କୋଟି ଟଙ୍କା ଲୁଟିଥିବା ସୋନିଆ ଗାନ୍ଧି ଏବଂ ରାହୁଲ ଗାନ୍ଧିଙ୍କ ବିରୋଧରେ ସାମ୍ବାଦିକ ସମ୍ମିଳନୀ କରିଥିବାରୁ ମୋର ୧୮ ବର୍ଷୀୟ ଝିଅ ବିରୋଧରେ କଂଗ୍ରେସ ଏଭଳି ଅଭିଯୋଗ ଆଣିଛି। ବୋଲି ସ୍ମୃତି କହିଛନ୍ତି। ୨୦୧୪ ଏବଂ ୨୦୧୯ ଲୋକସଭା ନିର୍ବାଚନରେ ମୁଁ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ବିରୋଧରେ ଲଢ଼ିଥିବାରୁ ସେମାନେ ଏବେ ମୋ ଝିଅକୁ ଟାର୍ଗେଟ୍ କରିଛନ୍ତି ବୋଲି ସ୍ମୃତି କହିଛନ୍ତି। କଂଗ୍ରେସ ମୁଖପାତ୍ର ପବନ ଖେରାଙ୍କ ଅଭିଯୋଗ ଉପରେ ଜବାବ ଦେଇ ସ୍ମୃତି କହିଛନ୍ତି ଯେ ମୋର ଝିଅ କଲେଜରେ ପ୍ରଥମ ବର୍ଷରେ ଅଧ୍ୟୟନ କରୁଛି ଏବଂ ସେ କୌଣସି ବାର୍ ଚଳାଏ ନାହିଁ।
ଅଭିଯୋଗ ଆଣିବା ପୂର୍ବରୁ ଏକଥା ପ୍ରଥମେ କଂଗ୍ରେସ ବୁଝିବା ଆବଶ୍ୟକ ଥିଲା। ସ୍ମୃତି ଇରାନୀଙ୍କ ପକ୍ଷରୁ ଆଜି ସନ୍ଧ୍ୟାରେ ପବନ ଖେରା ଏବଂ ଅନ୍ୟ ଦୁଇ ଜଣ ବରିଷ୍ଠ ନେତାଙ୍କୁ ଓକିଲ ନୋଟିସ୍ ପଠାଯାଇଛି। ସ୍ମୃତି କହିଛନ୍ତି, ମୋ ଝିଅର ଏହା ଦୋଷ ଥିଲା ଯେ ତା’ର ମା’ ଗାନ୍ଧି ପରିବାରର ଲୁଟ୍ ବିରୋଧରେ ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ କରିବାର ସାହସ ରଖଛି। ତେବେ କଂଗ୍ରେସ ନେତାଙ୍କ ଦ୍ବାରା ମୋ ଝିଅକୁ ସର୍ବସାଧାରଣରେ ନିନ୍ଦିତ କରିବା ପାଇଁ ହୋଇଥିବା ଅପଚେଷ୍ଟାର କଡ଼ା ଜବାବ ସେମାନଙ୍କୁ ଉଭୟ ଆଇନର ଅଦାଲତ ଓ ଜନତାର ଅଦାଲତରେ ମିଳିବ। ସେମାନେ ଆଦୌ ଖସି ଯାଇପାରିବେ ନାହିଁ ବୋଲି ସ୍ମୃତି ଚେତାଇ ଦେଇଛନ୍ତି।
ଅନ୍ୟପକ୍ଷରେ କଂଗ୍ରେସ ନେତା ବିଭି ଶ୍ରୀନିବାସ ଆଜି ସ୍ମୃତିଙ୍କ ଝିଅ ଜୋଇଶଙ୍କର ଏକ ଭିଡିଓ ଟ୍ବିଟ୍ କରିଛନ୍ତି। ଏହି ଭିଡିଓଟିରେ ଜୋଇଶ କହିଛନ୍ତି, ସ୍ଥାନୀୟ ରେସ୍ତୋରାଁରେ ଗୋଆ ଖାଦ୍ୟ ମିଳିପାରିବ କିନ୍ତୁ ଅନ୍ତର୍ଜାତୀୟ ଖାଦ୍ୟ କ୍ଷେତ୍ରରେ ସ୍ଥାନୀୟ ରେସ୍ତୋରାଁଗୁଡ଼ିକ ପଛୁଆ। ଏଭଳି ବୟାନ ରେଷ୍ଟୁରାଣ୍ଟ ଚଳାଇବାର ପ୍ରମାଣ ବୋଲି ସେ କହିଛନ୍ତି।ତେବେ ଭିଡିଓରେ କେଉଁଠି ବି ସେ ବାର୍-ରେଷ୍ଟୁରାଣ୍ଟ ଚଳାଉଥିବା କଥା କହିନଥିବାରୁ ଏଭଳି ଭିଡିଓ କେବଳ ବିଭ୍ରାନ୍ତି ସୃଷ୍ଟି ପାଇଁ ଉଦ୍ଦିଷ୍ଟ ବୋଲି କେତେକ ମହଲ ମତ ଦେଇଛନ୍ତି।