ଗୋଆ ବିଜେପି ପ୍ରାର୍ଥୀଙ୍କର ୧୪୦୦ କୋଟିର ସମ୍ପତ୍ତି: ଦୁବାଇ, ଲଣ୍ଡନରେ ଅଛି ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ

ମାର୍ଗାଓ: ଦକ୍ଷିଣ ଗୋଆର ବିଜେପି ପ୍ରାର୍ଥୀ ପଲ୍ଲବୀ ଡେମ୍ପୋ ମଙ୍ଗଳବାର ଲୋକସଭା ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ସେ ଦାଖଲ କରିଥିବା ୧୧୯ ପୃଷ୍ଠାର ସତ୍ୟପାଠରୁ ଜଣାପଡ଼ିଛି ଯେ ସ୍ୱାମୀ ଶ୍ରୀନିବାସଙ୍କ ସହ ତାଙ୍କର ମୋଟ ସମ୍ପତ୍ତିର ମୂଲ୍ୟ ପ୍ରାୟ ୧୪୦୦ କୋଟି ଟଙ୍କା। ପଲ୍ଲବୀ ଡେମ୍ପୋ ଗ୍ରୁପ୍‌ର ଅଧ୍ୟକ୍ଷ ଶ୍ରୀନିବାସ ଡେମ୍ପୋଙ୍କୁ ବିବାହ କରିଛନ୍ତି, ଯାହାଙ୍କର ଫୁଟବଲଠାରୁ ରିଅଲ ଇଷ୍ଟେଟ୍, ଜାହାଜ ନିର୍ମାଣ ଓ ଶିକ୍ଷାଠାରୁ ଆରମ୍ଭ କରି ଖଣି ପର୍ଯ୍ୟନ୍ତ ରୁଚି ରହିଛି। ପଲ୍ଲବୀଙ୍କ ସତ୍ୟପାଠରେ ତାଙ୍କର ୨୫୫.୪ କୋଟି ଟଙ୍କାର ଅସ୍ଥାବର ସମ୍ପତ୍ତି ଥିବା ଦର୍ଶାଯାଇଥିବା ବେଳେ ଶ୍ରୀନିବାସଙ୍କ ସମ୍ପତ୍ତିର ମୂଲ୍ୟ ୯୯୪.୮ କୋଟି ଟଙ୍କା ରହିଛି।

ସୂଚନାଯୋଗ୍ୟ ଯେ ଗୋଆ ଓ ଦେଶର ଅନ୍ୟାନ୍ୟ ସ୍ଥାନରେ ସେମାନଙ୍କ ମାଲିକାନାରେ ଥିବା ସମ୍ପତ୍ତି ବ୍ୟତୀତ ଡେମ୍ପୋ ଦମ୍ପତି ମିଳିତ ଭାବେ ଦୁବାଇର ସାଭାନ୍ନାରେ ଏକ ଆପାର୍ଟମେଣ୍ଟର ମାଲିକ, ଯାହାର ବର୍ତ୍ତମାନର ବଜାର ମୂଲ୍ୟ ଅଢ଼େଇ କୋଟି ଟଙ୍କା। ସେମାନଙ୍କର ଲଣ୍ଡନରେ ଥିବା ଏକ ଆପାର୍ଟମେଣ୍ଟର ମୂଲ୍ୟ ୧୦ କୋଟି ଟଙ୍କା। ପଲ୍ଲବୀଙ୍କ ସୁନା ପ୍ରତି ଆକର୍ଷଣ କେତେ ତାହା ତାଙ୍କ ସତ୍ୟପାଠରୁ ମଧ୍ୟ ସ୍ପଷ୍ଟ ହୋଇଛି। ତାଙ୍କ ମାଲିକାନାରେ ଥିବା ସୁନାର ମୂଲ୍ୟ ୫.୭ କୋଟି ଟଙ୍କା ବୋଲି ଦର୍ଶାଯାଇଛି। ପଲ୍ଲବୀ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୧୦ କୋଟି ଟଙ୍କାର ଆୟକର ରିଟର୍ଣ୍ଣ ଦାଖଲ କରିଥିବା ବେଳେ ଶ୍ରୀନିବାସ ସେହି ବର୍ଷ ପାଇଁ ୧୧ କୋଟି ଟଙ୍କାର ରିଟର୍ଣ୍ଣ ଦାଖଲ କରିଛନ୍ତି। ୪୯ ବର୍ଷୀୟା ବିଜେପି ପ୍ରାର୍ଥୀ ପୁଣେ ବିଶ୍ୱବିଦ୍ୟାଳୟର ଏମ୍‌ଆଇଟିରୁ ବିଜନେସ୍ ମ୍ୟାନେଜମେଣ୍ଟରେ ସ୍ନାତକୋତ୍ତର ଡିଗ୍ରି ହାସଲ କରିଛନ୍ତି।

ସମ୍ବନ୍ଧିତ ଖବର