ଗୋଆ : ବିଜେପିକୁ ୨ ଏମଜିପି ବିଧାୟକ, ୩ ସ୍ବାଧୀନ ବିଧାୟକଙ୍କ ସମର୍ଥନ ଘୋଷଣା

ନୂଆଦିଲ୍ଲୀ : ଗୋଆରେ ବିଜେପି ସରକାର ଗଢିବା ନିଶ୍ଚିତ ହୋଇଯାଇଛି । ୪୦ ସଦସ୍ୟ ବିଶିଷ୍ଟ ଗୋଆ ବିଧାନସଭାରେ ସରକାର ଗଢିବାକୁ ୨୧ଟି ଆସନ ଆବଶ୍ୟକ । ବିଜେପି ୨୦ଟି ଆସନ ଜିଣି ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିଛି । ମାତ୍ର ଦଳ ମ୍ୟାଜିକ ନମ୍ବରଠାରୁ ୧ ଆସନ ପଛରେ ରହିଯାଇଛି । ତେବେ ଦଳକୁ ୩ ଜଣ ସ୍ବାଧୀନ ବିଧାୟକ ଓ ମହାରାଷ୍ଚ୍ରବାଦୀ ଗୋମନ୍ତକ ପାର୍ଟିର ୨ ବିଧାୟକ ସମର୍ଥନ ଘୋଷଣା କରିଛନ୍ତି ବୋଲି ବରିଷ୍ଠ ବିଜେପି ନେତା ତଥା ଗୋଆ ପ୍ରଭାରୀ ଦେବେନ୍ଦ୍ର ଫଡନବୀସ କହିଛନ୍ତି ।

ତେବେ ଆଜି ରାତିରେ ରାଜ୍ୟପାଳଙ୍କୁ ଭେଟିବାର କାର୍ଯ୍ୟକ୍ରମ ନାହିଁ । ବିଜେପି କେନ୍ଦ୍ରୀୟ ସଂସଦୀୟ ବୋର୍ଡର ବୈଠକ ବସିବା ପରେ ଗୋଆ ପାଇଁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯିବ । ସେମାନେ ଆସିବା ପରେ ରାଜ୍ୟ ସଂସଦୀୟ କମିଟିର ବୈଠକ ବସିବ । ଏହା ପରେ ହିଁ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି କରାଯିବ ବୋଲି ଫଡନବୀସ କହିଛନ୍ତି ।

ନିର୍ବାଚନ ଆୟୋଗ ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁସାରେ ୪୦ ଆସନ ବିଶିଷ୍ଟ ଗୋଆ ବିଧାନସଭା ଆସନରେ ବିଜେପି ୨୦ଟି ଆସନରେ ବିଜୟୀ  ହୋଇଛି । କଂଗ୍ରେସ ୧୦ଟି ଆସନରେ ବିଜୟୀ ହୋଇଥିବାବେଳେ ୧ଟି ଆସନରେ ଆଗୁଆ ରହିଛି । ମହାରାଷ୍ଟ୍ରବାଦୀ ଗୋମନ୍ତକ ପାର୍ଟି ଦୁଇଟି  ଆସନରେ ବିଜୟୀ ହୋଇଛି ।

ଅନ୍ୟପକ୍ଷରେ ଗୋଆରେ ଆମ ଆଦମି ପାର୍ଟି (ଆପ) ୨ଟି ଆସନରେ ବିଜୟ ଲାଭ କରିଥିବାବେଳେ ପ୍ରଥମ ଥର ପାଇଁ ଗୋଆ ରାଜନୀତିରେ ପ୍ରବେଶ କରିଥିବା ତୃଣମୂଳ କଂଗ୍ରେସ (ଟିଏମସି) ମଧ୍ୟ ୨ଟି ଆସନରେ ବିଜୟ ହାସଲ କରିଛି ।

 

ସମ୍ବନ୍ଧିତ ଖବର