ଗୋଆରେ ବଢିଚାଲିଛି ରାଜନୈତିକ ଉଷ୍ମତା : ଆଗୁଆ ମେଣ୍ଟ ଗଠନ ପାଇଁ କଂଗ୍ରେସ, ବିଜେପିର ଉଦ୍ୟମ

ପାନାଜୀ : ଗୋଆରେ ଝୁଲା ବିଧାନସଭା ହେବ ବୋଲି ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ଏକଜିଟ ପୋଲ୍ ରିପୋର୍ଟରେ କୁହାଯାଇଥିବାରୁ ଦୁଇ ମୁଖ୍ୟ ଦଳ କଂଗ୍ରେସ ଓ ବିଜେପି ନିଜ ନିଜର ଗୋଟି ଚାଳନା ଆରମ୍ଭ କରିଦେଇଛନ୍ତି ।

ସରକାର ଗଢିବାକୁ କଂଗ୍ରେସ ଆପ ଓ ଟିଏମସି ସହ ଯୋଗାଯୋଗରେ ରହିଥିବାରୁ ବିଜେପି ମଧ୍ୟ ପଛରେ ପଡ଼ିବାକୁ ଚାହୁଁ ନାହିଁ । ଦଳ ପକ୍ଷରୁ ଗୋଆର ଏକ ଆଂଚଳିକ ଦଳ ମହାରାଷ୍ଟ୍ରବାଦୀ ଗୋମନ୍ତକ ପାର୍ଟି (ଏମଜିପି) ସହ ମେଣ୍ଟ କରିବାକୁ ପ୍ରସ୍ତାବ ଦେଇଛି । ବିଜେପିର ଗୋଆ ପ୍ରଭାରୀ ଦେବେନ୍ଦ୍ର ଫଡନବୀସ କହିଛନ୍ତି ଯେ ଏମଜିପି ହେଉଛି ବିଜେପିର ସ୍ବାଭାବିକ ସହଯୋଗୀ ଦଳ । ଆଦର୍ଶଗତ ଭାବେ ଏହି ଦଳ ବିଜେପିର ନିକଟତର ।

ସେ କହିଛନ୍ତି ଯେ ଏହି ନିର୍ବାଚନରେ ବିଜେପି ସଂଖ୍ୟା ଗରିଷ୍ଠତା ହାସଲ କରି ପୁଣି ସରକାର ଗଢିବ । ତେବେ ରାଜ୍ୟରେ ଦଳ ସଂଖ୍ୟା ଗରିଷ୍ଠତା ହାସଲ କଲେ ବି ଆଉ କେତେକ ଛୋଟ ଛୋଟ ଦଳଙ୍କ ସହଯୋଗରେ ସରକାର ଗଠନ କରାଯିବ ।

ଅନ୍ୟପକ୍ଷରେ କଂଗ୍ରେସ ୨୦୧୭ର ଭୁଲ ନ ଦୋହରାଇବାକୁ ଏକ ରଣନୀତି ପ୍ରସ୍ତୁତ କରିଛି । ଗୋଆରେ ଯଦି ଝୁଲା ବିଧାନସଭା ହୁଏ ତେବେ କଂଗ୍ରେସ ଉଭୟ ଆପ ଓ ଟିଏମସି ସହଯୋଗରେ ସରକାର ଗଢିବାକୁ ଦାବି କରିବାକୁ ଯୋଜନା କରୁଛି ।

ଏଣୁ ଆସନ୍ତା କାଲି ପ୍ରକାଶ ପାଇବାକୁ ଥିବା ଭୋଟ ଗଣତି ଫଳାଫଳ ପରେ ଗୋଆର ରାଜନୈତିକ ପାଣିପାଗ ଉଷ୍ଣ ହେବା ଆଶା କରାଯାଉଛି ।

 

ସମ୍ବନ୍ଧିତ ଖବର